ଅନ୍ତଃମନ୍ତ୍ରୀସ୍ତରୀୟ ପ୍ରଥମ ବୈଠକ ଅନୁଷ୍ଠିତ : ଶିଳ୍ପ ସଂସ୍ଥା ପୁନରୁଦ୍ଧାର ନେଇ ସରକାରୀ ତନାଘନା

ଭୁବନେଶ୍ବର : କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ସମୟରେ ରାଜ୍ୟରେ ଶିଳ୍ପ ପ୍ରଗତି ଏବଂ ଦ୍ରୁତ ଅର୍ଥନୈତିକ ଉନ୍ନତି ଲାଗି ଗଠିତ ଅନ୍ତଃମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କମିଟିରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ, ଅର୍ଥମନ୍ତ୍ରୀ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ସଦସ୍ୟ ଅଛନ୍ତି। ଆଜି ମନ୍ତ୍ରୀମାନେ ଭିଡିଓ କନଫରେନ୍ସିଂରେ ରାଜ୍ୟରେ ଶିଳ୍ପ ସଂସ୍ଥାର ବିକାଶ ପାଇଁ କି କି ପଦକ୍ଷେପ ନିଆଯିବା ଦରକାର ସେ ସଂକ୍ରାନ୍ତ ବିଶଦ ଆଲୋଚନା କରିଥିଲେ।

ଇପିକଲର ପରିଚାଳନା ନିର୍ଦ୍ଦେଶକ ନୀତିନ ବି. ଜାୱଲେ ବର୍ତମାନର ସ୍ଥିତି ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ। କୁହାଯାଇଥିଲା ଯେ ବଜାର ଚାହିଦା ବୃଦ୍ଧି ନିମନ୍ତେ ବୃହତ୍ତର ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା କରିବା ହେଉଛି ସରକାରଙ୍କର ପ୍ରମୁଖ ଆଭିମୁଖ୍ୟ। ଏହାଦ୍ୱାରା ଶିଳ୍ପାନୁଷ୍ଠାନଗୁଡିକର ପୁନରୁଦ୍ଧାର ହେବା ସହିତ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇ ଦିଆଯାଇପାରିବ। ଫଳରେ ପୂର୍ବରୁ ବିଶ୍ୱସ୍ତରରେ ଅର୍ଥନୈତିକ ଦୃଷ୍ଟିରୁ ଶକ୍ତିଶାଳୀ ବିବେଚିତ ଦେଶଗୁଡ଼ିକରୁ ଚାଲିଆସୁଥିବା ଉଦ୍ୟୋଗଗୁଡ଼ିକୁ ଆମ ରାଜ୍ୟକୁ ଆକର୍ଷିତ କରିହେବ ଓ ରାଜ୍ୟ ଉନ୍ନତ ସ୍ଥିତିରେ ରହିପାରିବ।

ଏହି ଅବସରରେ ଶିଳ୍ପ ସଂଘଗୁଡିକୁ ସେମାନଙ୍କ ପ୍ରସ୍ତାବ ଏବଂ ଆବଶ୍ୟକତା ସଂପର୍କରେ ମତ ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଥିଲା। ଶିଳ୍ପ ସଂସ୍ଥାଗୁଡ଼ିକ ସରକାରୀ ଦେୟ ପ୍ରଦାନ ନିମନ୍ତେ କୋହଳ ବ୍ୟବସ୍ଥା କିମ୍ବା ଅବଧି ବୃଦ୍ଧି ସାଙ୍ଗକୁ ରାଜ୍ୟରେ ଥିବା ଶିଳ୍ପ ପ୍ରତିଷ୍ଠାନଗୁଡ଼ିକର ଉତ୍ପାଦିତ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପ୍ରଦାନ ପରି ପ୍ରୋତ୍ସାହନ ଆଶା କରି ମତାମତ ରଖିଥିଲେ ।

ଆଗାମୀ ସପ୍ତାହରେ ଅନ୍ୟ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ଶିଳ୍ପ ସଂଘମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯିବା ସାଙ୍ଗକୁ ରାଜ୍ୟ ସରକାରଙ୍କୁ ସବିଶେଷ ପ୍ରସ୍ତାବ ପ୍ରଦାନ କରାଯିବ ।

ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଖଣି ଓ ଇସ୍ପାତ, ଶ୍ରମ, ଶକ୍ତି,ଅର୍ଥ ବିଭାଗର ପ୍ରମୁଖ ସଚିବ, ଇଡ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଇପିକଲର ପରିଚାଳନା ନିର୍ଦ୍ଦେଶକ, ଶିଳ୍ପ ବିଭାଗର ନିର୍ଦ୍ଦେଶକ ଏବଂ ଓଡିଶାର ବିଭିନ୍ନ ପ୍ରାନ୍ତରୁ ୧୭ଟି ଶିଳ୍ପ ସଂଘର କର୍ମକର୍ତାମାନେ ଯୋଗଦେଇଥିଲେ। ଏହି ଅନ୍‌ଲାଇନ୍ ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର