ସମ୍‌ରେ ରାଜ୍ୟର ପ୍ରଥମ ଯକୃତ ପ୍ରତିରୋପଣ : ବାପାକୁ ଯକୃତ ଦେଇ ଜୀବନ ବଞ୍ଚାଇଲେ ପୁଅ

ଦୀର୍ଘ ୯ଘଣ୍ଟାର ଜଟିଳ ଅସ୍ତ୍ରୋପଚାର, ପ୍ରତିରୋପଣ ଖର୍ଚ ବହନ କଲେ ହସ୍ପିଟାଲ କର୍ତୃପକ୍ଷ

ଭୁବନେଶ୍ବର : ଇତିହାସ ରଚିଛି ସମ୍ ହସ୍ପିଟାଲ। ରାଜ୍ୟରେ ପ୍ରଥମ ଥର ଲାଗି ସମ୍ ହସ୍ପିଟାଲରେ ସଫଳ ଯକୃତ ପ୍ରତିରୋପଣ କରାଯାଇଛି। ଜଣେ ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ ଯକୃତ କଢ଼ାଯାଇ ଅନ୍ୟ ଜଣଙ୍କ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଅସୁସ୍ଥ ବାପାଙ୍କୁ ଯକୃତ ପ୍ରଦାନ କରି ପୁଅ ତାଙ୍କୁ ନୂ୍ଆ ଜୀବନ ଦେଇଛନ୍ତି। ସମ୍ ହସ୍ପିଟାଲ ଓ ହାଇଦ୍ରାବାଦ୍ ସ୍ଥିତ ଯଶୋଦା ହସ୍ପିଟାଲର ଏକ ୪୦ଜଣିଆ ଡାକ୍ତରୀ ଦଳ ଦୀର୍ଘ ୯ଘଣ୍ଟାର ଜଟିଳ ଅସ୍ତ୍ରୋପଚାରକୁ ସଫଳ ରୂପ ଦେବାରେ ସକ୍ଷମ ହୋଇପାରିଛନ୍ତି। ଏହି ପ୍ରତିରୋପଣ ପାଇଁ ଖର୍ଚ ହୋଇଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ବୋଝ ରୋଗୀ ନୁହେଁ, ବରଂ ହସ୍ପିଟାଲ କର୍ତୃପକ୍ଷ ବହନ କରିଛନ୍ତି।

ବାଲେଶ୍ବର ଜିଲ୍ଲା ନୀଳଗିରି ଔପଦା ବ୍ଲକ୍‌ର କାଣ୍ଠିଆଟିକରା ଗାଁର ଜୟନ୍ତ ବିଶ୍ବାଳ(୫୫) ଗତ ୪ବର୍ଷରୁ ଅଧିକ ସମୟ ହେବ ଯକୃତ ରୋଗରେ ପୀଡ଼ିତ ଥିଲେ। ଗୁଜରାଟର ସୁରଟର ସନ୍ଥ କବୟିତ୍ରୀ ମୀରାବାଇ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ଶ୍ରୀ ବିଶ୍ବାଳ ଛୁଟି ସମୟରେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଚାରିଆଡ଼େ ଚିକିତ୍ସା କରାଇ‌ବା ପରେ ସେ ସମ୍‌ ହସ୍ପିଟାଲରେ ତାଙ୍କର ଯକୃତ ଖରାପ ଥିବା ଜଣାପଡ଼ିଥିଲା। ତେଣୁ ତାଙ୍କର ଯକୃତ ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିଲା। ସମ୍ ହସ୍ପିଟାଲ ପକ୍ଷରୁ ତାଙ୍କର ଡୋନର୍‌ ବା ଅଙ୍ଗ ପ୍ରଦାନକାରୀ ଭାବେ ଶ୍ରୀ ବିଶ୍ବାଳଙ୍କ ୧୯ବର୍ଷର ପୁଅ ସୌମ୍ୟରଂଜନ ବିଶ୍ବାଳଙ୍କୁ ଚିହ୍ନଟ କରାଯାଇଥିଲା। ଜୟନ୍ତଙ୍କ ଏ ପଜିଟିଭ୍ ରକ୍ତ ଗ୍ରୁପ୍ ଥିବା ବେଳେ ତାଙ୍କ ପୁଅ ସୌମ୍ୟରଂଜନଙ୍କ ଓ ପଜିଟିଭ୍ ରକ୍ତ ଗ୍ରୁପ୍ ଯୋଗୁଁ ପ୍ରତିରୋପଣ ପାଇଁ ଡାକ୍ତର ଆଗକୁ ବଢ଼ିଥିଲେ। ପୂର୍ବରୁ ସମ୍ ହସ୍ପିଟାଲ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲ ସହିତ ଅଙ୍ଗ ପ୍ରତିରୋପଣ ପାଇଁ ଏକ ଏମ୍‌ଓୟୁ କରିଥିବାରୁ ଯଶୋଦା ହସ୍ପିଟାଲକୁ ଏଥିପାଇଁ ଖବର ଦିଆଯାଇଥିଲା। ସେଠାରୁ ଏକ ୧୩ଜଣିଆ ଟିମ୍ ଓ ସମ୍ ହସ୍ପିଟାଲର ୩୦ଜଣିଆ ଡାକ୍ତରୀ ଦଳ ଯକୃତ ପ୍ରତିରୋପଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଗୁରୁବାର ଦିନ ପ୍ରାୟ ୩ଟା ସମୟରେ ପ୍ରତିରୋପଣ ଆରମ୍ଭ ହୋଇଥିବା ବେଳେ ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ଏହା ଶେଷ ହୋଇଥିଲା। ଏବେ ବାପ-ପୁଅ ସୁସ୍ଥ ଅଛନ୍ତି। ଆସନ୍ତା କିଛିଦିନ ପରେ ପୁଅ ସୌମ୍ୟରଂଜନଙ୍କୁ ଡିସଚାର୍ଜ କରାଯିବ ଏବଂ ଏହାର ୧୫ଦିନ ପରେ ଜୟନ୍ତ ମଧ୍ୟ ହସ୍ପିଟାଲରୁ ଡିସଚାର୍ଜ ହେବେ ବୋଲି ସମ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ହୋଟେଲ ମେ ଫେୟାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍‌ ଗ୍ୟାଷ୍ଟ୍ରୋ ବିଭାଗର ମୁଖ୍ୟ ଡା.ମନୋଜ କୁମାର ସାହୁ କହିଲେ ଯେ ଜୟନ୍ତଙ୍କ ଯକୃତ ଖରାପ ହୋଇ ଆଡଭାନ୍‌ସ ଷ୍ଟେଜ୍‌ରେ ରହିଥିଲା। ଯାହାଫଳରେ ସେ ବହୁତ କମ୍ ଦିନ ବଞ୍ଚିଥାନ୍ତେ। ତେଣୁ ଯକୃତ ପ୍ରତିରୋପଣ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିଲା। ତାଙ୍କ ପୁଅ ଯକୃତ ଦେବା ପାଇଁ ରାଜି ହୋଇଥିଲେ। ଲିଭିଂ ଡୋନର୍‌ ଲିଭର ଟ୍ରାନ୍‌ସପ୍ଲାଣ୍ଟ ବା ଏଲ୍‌ଡିଏଲ୍‌ଟି ସହାୟତାରେ ସୌମ୍ୟରଂଜନଙ୍କ ଯକୃତର ଦକ୍ଷିଣ ପାର୍ଶ୍ବର ଯକୃତ(ରାଇଟ୍ ‌ଲବ୍) କିଛି ଅଂଶକୁ କଢ଼ାଯାଇ ଜୟନ୍ତଙ୍କ ଶରୀରରେ ଠିକ୍ ଖରାପ ହୋଇଥିବା ଯକୃତ ସ୍ଥାନ(ଅର୍ଥୋଟ୍ରପିକ୍ ଯକୃତ ପ୍ରତିରୋପଣ) ଲଗାଯାଇଥିଲା। ପୁଅଙ୍କ କେତେ ପରିମାଣର ଯକୃତ କଢ଼ାଯିବ ଏବଂ ତାଙ୍କ ବାପାଙ୍କ ଶରୀରରେ ଲାଗିବ ଏଥିପାଇଁ ପୂର୍ବରୁ ଏକ ହିସାବ ‌କରାଯାଇଥିଲା। ଯାହାଫଳରେ ଆଗାମୀ ଦିନରେ ଉଭୟ ‌ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଯଶୋଦା ହସ୍ପିଟାଲର ମୁଖ୍ୟ ଯକୃତ ପ୍ରତିରୋପଣ ସର୍ଜନ ପ୍ରଫେସର ଡା.ପି.ବାଲଚନ୍ଦ୍ରନ୍ ମେନନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ପ୍ରତିରୋପଣ କରାଯାଇଥିଲା। ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆଗାମୀ ଦିନରେ କାଡାଭରିକ୍ ଯକୃତ ପ୍ରତିରୋପଣ ପାଇଁ ଗୁରୁତ୍ବ ଦିଆଯିବ। ସମ୍ ହସ୍ପିଟାଲକୁ ଉଭୟ କାଡାଭରିକ୍ ଓ ଲିଭିଂ ଡୋନର୍‌ ଯକୃତ ପ୍ରତିରୋପଣ ପାଇଁ ସରକାରଙ୍କ ଅନୁମତି ମିଳିସାରିଛି।

ମଦ୍ୟପାନ, ହେପାଟାଇଟିସ୍ ବି ଓ ମେଦବହୁଳତା ଯୋଗୁଁ ଯକୃତ ନଷ୍ଟ ହୋଇଥାଏ। ରାଜ୍ୟରେ ଏବେ ହେପାଟାଇଟିସ୍ ବି ଯୋଗୁଁ ଯକୃତ ରୋଗୀଙ୍କ ସଂଖ୍ୟା ୬ରୁ୮ ପ୍ରତିଶତ ହୋଇଥିବା ବେଳେ ମେଦବହୁଳତା ଯୋଗୁଁ ୪୦ ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ରାଜ୍ୟରେ ଯକୃତ ଜନିତ ରୋଗ ବଢ଼ି ଚାଲିଥିବା ବେଳେ ଆଡଭାନ୍‌ସ ଷ୍ଟେଜ୍‌ରେ ଥିବା ରୋଗୀଙ୍କ ପାଇଁ ଯକୃତ ପ୍ରତିରୋପଣ ଏକମାତ୍ର ବାଟ। ସୌମ୍ୟରଂଜନଙ୍କ ଦକ୍ଷିଣ ପାର୍ଶ୍ବର ଯକୃତ ଆସନ୍ତା ୨/୩ ମାସ ଭିତରେ ପୁଣିଥରେ ପୂର୍ବ ଅବସ୍ଥାକୁ ଫେରି ଆସିବ ଏବଂ ଜୟନ୍ତଙ୍କ ଶରୀରରେ ଲାଗିଥିବା ଯକୃତ ମଧ୍ୟ ୨/୩ ମାସ ଭିତରେ ଏହା ସଂପୂର୍ଣ୍ଣ ରୂପ ପାଇପାରିବ। ‌ତେବେ ରାଜ୍ୟ ବାହାରେ ଏଥିପାଇଁ ୨୦/୨୫ଲକ୍ଷ ଟଙ୍କା ଖର୍ଚ ହେଉଥିବା ବେଳେ ସମ୍ ହସ୍ପିଟାଲରେ ୧୦ଲକ୍ଷ ଟଙ୍କାରେ ଏହି ଚିକିତ୍ସା ଉପଲବ୍ଧ ହେବ। ସମ୍ ହସ୍ପିଟାଲ ପ୍ରତିରୋପଣ କ୍ଷେତ୍ରରେ ସ୍ବୟଂସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଯଶୋଦା ହସ୍ପିଟାଲ ସମସ୍ତ ସୁବିଧା ଯୋଗାଇ ଦେବ ବୋଲି ଡା.ସାହୁ ସୂଚନା ଦେଇଥିଲେ।

ସମ୍ ହସ୍ପିଟାଲର ଅଧୀକ୍ଷକ ପ୍ରଫେସର ଡା.ପୁଷ୍ପରାଜ ସାମନ୍ତସିଂହାର କହି‌ଥିଲେ ଯେ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟୋରୋଲୋଜି ସର୍ଜରି ବିଭାଗ, କାର୍ଡିଓଲୋଜି, କ୍ରିଟିକାଲ କେୟାର, ନିଶ୍ଚେତକ, ନେଫ୍ରୋଲୋଜି, ନ୍ୟୁରୋଲୋଜି, ହେମାଟୋଲୋଜି ଲ୍ୟାବ୍, ପାଥୋ ଲ୍ୟାବ୍ ଓ ଅନ୍ୟ ବିଭାଗକୁ ନେଇ ଗଠିତ ଦଳ ପ୍ରତିରୋପଣରେ ସାମିଲ ହୋଇଥିଲେ। ଯକୃତ ଦାନ ପାଇଁ ରୋଗୀଙ୍କ କୌଣସି ପରିଚିତ ବ୍ୟକ୍ତି ଯଦି ରୋଗୀଙ୍କ ସହିତ ତାଙ୍କର ନିବିଡ଼ ସଂପର୍କ ରହିଥିବ, ସଂପୃକ୍ତ ବ୍ୟକ୍ତି ରକ୍ତ ସଂପର୍କୀୟ ନ ହେଲେ ମଧ୍ୟ ଯକୃତର କିଛି ଅଂଶ ପ୍ରଦାନ କରି‌ପାରିବେ। ମାତ୍ର ତାଙ୍କ ଭିତରେ କୌଣସି ଆର୍ଥିକ କାରବାର ହୋଇଛି କି ନାହିଁ ତାହା ସରକାରଙ୍କ ଦ୍ବାରା ଗଠିତ ବୋର୍ଡ ତର୍ଜମା କରିବା ପରେ ହିଁ ଅନୁମତି ଦିଆଯାଇଥାଏ ବୋଲି ଡା.ସାମନ୍ତସିଂହାର କହିଥିଲେ।

ଏହି ସାମ୍ବାଦିକ ସମ୍ମିଳନୀରେ ଗ୍ୟାଷ୍ଟ୍ରୋ ସର୍ଜରି ବିଭାଗର ମୁଖ୍ୟ ଡା.ପ୍ରେମାନନ୍ଦ ପଟ୍ଟନାୟକ, ସୋଆର ଯୁଗ୍ମ କୁଳସଚିବ ଶଶାଙ୍କ ଶେଖର ମିଶ୍ର, ଯଶୋଦା ହସ୍ପିଟାଲର ସର୍ଜନ ଡା.କ୍ରିଷ୍ଣା ଚୈତନ୍ୟ, ନିଶ୍ଚେତକ ବିଶେଷଜ୍ଞ ଡା.ଶକ୍ତି, ଯଶୋଦା ହସ୍ପିଟାଲର ବରିଷ୍ଠ ମହାପ୍ରବନ୍ଧକ ସନ୍ତୋଷ କୁମାର ସାହୁ ଓ ଜୟନ୍ତ ବିଶ୍ବାଳଙ୍କ ପତ୍ନୀ ଅନିତା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ଉଲ୍ଲେଖଥାଉକି, ସମ୍ ହସ୍ପିଟାଲରେ ଯକୃତ ପ୍ରତିରୋପଣ ହେବା ପରେ ଆଗାମୀ ଦିନରେ ଏଭଳି ଜଟିଳ ଅସ୍ତ୍ରୋପଚାର ପାଇଁ ବାଟ ଫିଟିଛି। ଯକୃତ ନଷ୍ଟ ହୋଇଯାଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ବାହାରେ ଏହି ପ୍ରତିରୋପଣ ପାଇଁ ବହୁତ ଟଙ୍କା ଖର୍ଚ କରିବାକୁ ପଡ଼ୁଥିବା ବେଳେ ରାଜ୍ୟରେ ଆଗାମୀ ଦିନରେ ଏହି ପ୍ରତିରୋପଣ ପାଇଁ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ୍ ଟଙ୍କା ଖର୍ଚ ହେବ। ଏହାସହ ଆଗକୁ ଏକାଧିକ କାଡାଭରିକ ଯକୃତ ପ୍ରତିରୋପଣ ପାଇଁ ହସ୍ପିଟାଲମାନେ ଆଗେଇ ଆସିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର