୨୪ରେ ଧନୁଯାତ୍ରା ପାଇଁ ପ୍ରଥମ ବୈଠକ: କଳାକାର ଚୟନ ନିଷ୍ପତ୍ତି ହେବ ତ?

ବରଗଡ଼ : ଆସନ୍ତା ୨୪ ତାରିଖ ବରଗଡ଼ ଧନୁଯାତ୍ରା ଆୟୋଜନ ପାଇଁ ପ୍ରଥମ ବୈଠକ ବସିବ। ଧନୁଯାତ୍ରା ମହୋତ୍ସବ ସମିତିର ଏହି ସାଧାରଣ ପରିଷଦ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। କାରଣ ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। କଳାକାର ଚୟନ ପ୍ରସଙ୍ଗ ଉପରେ ଅଧିକ ଦୃଷ୍ଟି ନିବଦ୍ଧ ରହିଛି। କଳାକାର ଚୟନ ହେବ କି ନାହିଁ, ତାହାକୁ ନେଇ କଳ୍ପନାଜଳ୍ପନା ବି ଆରମ୍ଭ ହୋଇଯାଇଛି।

ଆସନ୍ତା ଡିସେମ୍ବର ୨୬ ତାରିଖରୁ ଧନୁଯାତ୍ରା ଆରମ୍ଭ ତିଥି ରହିଛି। ସେତେବେ‌ଳେ କରୋନା ପ୍ରଭାବ ନଥିଲେ ଧନୁଯାତ୍ରା ଆୟୋଜନରେ କିଛି ଅସୁବିଧା ହେବନାହିଁ। ଶେଷଥର ପାଇଁ ୨୦୨୦ ମସିହାରେ ମହାରାଜ କଂସଙ୍କ ସମେତ ଅନ୍ୟ କଳାକାର ଚୟନ ପାଇଁ ସ୍ଥିର ହୋଇଥିଲା। ତେବେ, ଧନୁଯାତ୍ରା ବନ୍ଦ ହେବାରୁ ଏହି ପ୍ରକ୍ରିୟା ଗଡ଼ି ଚାଲିଛି।  ପର୍ଯ୍ୟାପ୍ତ ସମୟ ନମିଳିଲେ  ଏଥର ବି କଳାକାର ଚୟନ ଏବଂ  ପ୍ରସ୍ତୁତି ଆହୁରି କାଠିକର ହୋଇପଡ଼ିବ। ତେଣୁ ଧନୁଯାତ୍ରା ଆୟୋଜନ ହେଉ ବା ନହେଉ, କଳାକାର ଚୟନକୁ ଏଥର ପ୍ରାଥମିକତା ଦିଆଯିବ ବୋଲି ସୂଚନା ମିଳିଛି। ହସ୍ତଗତ ସୂଚନା ଅନୁସାରେ, ‘ ନୂଆ କଳାକାରଙ୍କ ମଞ୍ଚ ଅଭିନୟକୁ ନିଖୁଣ କରିବାକୁ ହେଲେ ଅତିକମ୍‌ରେ ତିନିମାସର ସମୟ ଆବଶ୍ୟକ। ଫଳରେ ସେପ୍ଟେମ୍ବର ମାସରେ କଳାକାର ଚୟନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦିଆଯାଇପାରେ।’

କିଛିଦିନ ପୂର୍ବରୁ କଳାକାର ଚୟନ ପ୍ରକ୍ରିୟାକୁ ପ୍ରାଥମିକତା ଦେବାପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଥିଲା। ଏଥିପାଇଁ ବୈଠକ କରିବାକୁ ଚାପ ବି ରହିବ। ବର୍ତମାନ କରୋନା ସ୍ଥିତି ନିୟନ୍ତ୍ରଣରେ ଥିଲେ ହେଁ ଧନୁଯାତ୍ରା ଆୟୋଜନ ହେବ ନା ନାହିଁ, ସେ ନେଇ କହିବା ମୁସ୍କିଲ। ନଭେମ୍ବର ଏବଂ ଡିସେମ୍ବର ମାସର ସ୍ଥିତିକୁ ଦେଖି ହିଁ ଯାହା ନିଷ୍ପତ୍ତି ନିଆଯିବ। ଗାଇଡ୍‌ଲାଇନ୍‌କୁ ଆଳକରି କଳାକାର ଚୟନ ପ୍ରକ୍ରିୟା ଆଉ ଗଡ଼ାନଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି। ତେଣୁ, ଆଗାମୀ ୨୪ ତାରିଖ ବୈଠକରେ କଳାକାର ଚୟନ ହେବ କି ନାହିଁ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର