ନୂତନ ପିସିସି କମିଟିର ପ୍ରଥମ ବୈଠକ: ଫୋକସ୍‌ରେ ପିପିଲି

ଭୁବନେଶ୍ବର : ଆଗକୁ ପିପିଲି ଉପ ନିର୍ବାଚନକୁ ନେଇ ରାଜ୍ୟ କଂଗ୍ରେସ ତା’ର ରଣନୀତି ପ୍ରସ୍ତୁତ କରିଛି। ନିକଟରେ ନବନିଯୁକ୍ତ ଉପ-ସଭାପତି ଓ ସାଧାରଣ ସଂପାଦକମାନଙ୍କ ସହିତ ହୋଇଥିବା ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଛି। ପିପିଲିରେ ସମୁଦାୟ ୪୬ଟି ପଞ୍ଚାୟତ ଓ ୧୪ଟି ୱାର୍ଡ ରହିଥିବା ବେଳେ ଏଥିପାଇଁ ଜଣେ ଲେଖାଏ କର୍ମକର୍ତାଙ୍କୁ ଦାୟିତ୍ବ ଦିଆଯିବ। ଆସନ୍ତା ୧୫ତାରିଖରୁ କଂଗ୍ରେସ ନିଜର ଅଭିଯାନ ଆରମ୍ଭ କରିବ। କଂଗ୍ରେସ ନେତୃମଣ୍ଡଳୀ ଘରକୁ ଘର ବୁଲି କ୍ୟାମ୍ପେନ୍‌ରେ ସାମିଲ ହେବେ।

ସୋମବାର କଂଗ୍ରେସ ଭବନରେ ନୂତନ ଉପସଭାପତି, ସାଧାରଣ ସଂପାଦକମାନଙ୍କ ପ୍ରଥମ ବୈଠକ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର ପିପିଲି ସହିତ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରିଛନ୍ତି। ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ରୁଦ୍ର ରାଜୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜୀବୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଗଣମାଧ୍ୟମକୁ ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର କହିଛନ୍ତି, କଂଗ୍ରେସ ଦଳରେ ଥାଇ କୌଣସି ପ୍ରକାର ବିଶୃଙ୍ଖଳକୁ ଆଉ ବରଦାସ୍ତ କରାଯିବନି। ସିଏ ଯେଉଁ ପଦ ପଦବିରେ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ପିସିସି ସଭାପତି ବଦଳିବା ପ୍ରସଙ୍ଗକୁ ମଧ୍ୟ ଚେଲ୍ଲା କୁମାର ସିଧା ମନା କରି ଦେଇଛନ୍ତି। ଏଭଳି ପ୍ରଶ୍ନର ଆଉ କୌଣସି ପ୍ରାସଙ୍ଗିକତା ନାହିଁ। ଓଡ଼ିଶାରେ ପିସିସି ସଭାପତି ବଦଳିବାର ପ୍ରଶ୍ନ ନାହିଁ।

ଶ୍ରୀ କୁମାର କହିଛନ୍ତି ଯେ କଂଗ୍ରେସ ସମୟରେ ଓଡ଼ିଶାରେ ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇଥିଲା ତାହାକୁ ବିଜେଡି ହାଇଜ୍ୟାକ୍ କରି ନେଇଛି। ତେଣୁ ବିଜେଡି ସରକାରର ବିଫଳତାକୁ ନେଇ ଲୋକଙ୍କ ପାଖକୁ ଯିବୁ। ବିଜେଡି ସରକାରକୁ ଏକ୍ସପୋଜ୍ କରିବୁ ବୋଲି ସେ କହିଛନ୍ତି। ବୈଠକରେ ଶିବାନନ୍ଦ ରାୟ, ଗଣେଶ୍ବର ବେହେରା, ରତ୍ନଗିରି ଉଲ୍ଲାକା, ସରସ୍ବତୀ ହେମ୍ବ୍ରମ୍, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ବାପି ସର୍ଖେଲ୍, ନକୁଳ ନାୟକ, ଯଜ୍ଞେଶ୍ବେର ବାବୁ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର