ପୁରୀ : ମହାନଦୀ ଜଳ ବିବାଦର ସମାଧାନ ପାଇଁ କାହାରି ଆନ୍ତରିକ ଇଚ୍ଛାଶକ୍ତି ନାହିଁ। ଏଠି କେବଳ ରାଜନୀତି ଚାଲିଛି। ଇଚ୍ଛାଶକ୍ତି ଥିଲେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ଭିତରେ ଯେଉଁ ଜଳ ବିବାଦ ଲାଗି ରହିଛି, ତାହା କେବେଠୁ ସମାଧାନ ହୋଇ ସାରନ୍ତାଣି। ମୋତେ ଯଦି ଏହି ବିବାଦର ସମାଧାନ ଦାୟିତ୍ବ ଦିଆଯାଏ, ଦୁଇ ଘଣ୍ଟାରେ ସବୁ ବିବାଦର ସମାଧାନ ହୋଇଯିବ। ଟ୍ରିବୁନାଲ୍ ଗଠନର ଆବଶ୍ୟକତା ନାହିଁ। ମରୁଡ଼ି ଓ ବନ୍ୟା ଉପରେ ବିଶ୍ବ ଜନଆୟୋଗ(ପିପୁଲ୍ସ ୱାର୍ଲଡ କମିସନ ଅନ୍ ଡ୍ରଟ୍ ଆଣ୍ଡ୍ ଫ୍ଲଡ୍) ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆୟୋଜିତ ସାଧାରଣ ପରିଷଦ ବୈଠକରେ ମାଗାସେସ୍ ପୁରସ୍କାର ବିଜେତା ଜଳପୁରୁଷ ରାଜେନ୍ଦ୍ର ସିଂହ ଏଭଳି କହିଛନ୍ତି।
ବଖାଣିଲେ ନଦୀକୁ ଜୀବନ୍ତ କରିବାର ସଂଘର୍ଷ କାହାଣୀ
ମରୁଡ଼ି ଓ ବନ୍ୟା ଉପରେ ବିଶ୍ବ ଜନଆୟୋଗ ଓ ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ବୈଠକକୁ ଆଜି ଉଦ୍ଘାଟନ କରି ଶ୍ରୀ ସିଂହ କହିଥିଲେ, ମହାନଦୀ ବିବାଦ ସମାଧାନ ଆଇନଗତ ଟ୍ରିବୁନାଲ୍ ଗଠନ ଦ୍ବାରା ହୋଇପାରିବ ନାହିଁ। ଏଥିପାଇଁ ରାଜନୈତିକ ଇଚ୍ଛାଶକ୍ତି ଦରକାର। ଜଳ ସାକ୍ଷରତା ଦରକାର। ରାଜସ୍ଥାନ, ଚମ୍ବଲରେ ଯେଉଁମାନେ ବନ୍ଧୁକ ଧରି ଡକାୟତି କରୁଥିଲେ, ଆଜି ଚାଷବାସ ସହ ଜଳ ସୁରକ୍ଷା ଦିଗରେ ସେମାନଙ୍କ ବଳିଷ୍ଠ ଅବଦାନ ରହିଛି। ଅଦ୍ୟାବଧି ୧୯ଟି ରାଜ୍ୟରେ ଜଳ ସମସ୍ୟା ଦେଖାଦେଇଛି। ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ। ଏଣୁ ବର୍ତ୍ତମାନ ଦେଶକୁ ବନ୍ୟା, ମରୁଡ଼ିମୁକ୍ତ କରିବାକୁ ପଡ଼ିବ। ଜଳ ସଂରକ୍ଷଣ ଓ ଏହାର ସୁପରିଚାଳନା ସବୁଠୁ ଗୁରୁତ୍ବପୂର୍ଣ୍ଣ। ନଚେତ୍ ଏହା ଅର୍ଥନୀତିକୁ ପ୍ରଭାବିତ କରିବ। ଆଜି ଦେଶରେ ଭୂତଳ ଜଳସ୍ତର ୭୨ ପ୍ରତିଶତ କମିଗଲାଣି। ଯେଉଁଠି ଜଳ ସମସ୍ୟା ରହିଛି, ସେଠି ଶରଣାର୍ଥୀ ସମସ୍ୟା ବଢ଼ିଛି। ଭାରତ ଏଥିପ୍ରତି ଯତ୍ନବାନ ହେବା ଦରକାର। ଓଡ଼ିଶାରେ ବି କେବଳ ମହାନଦୀ ନୁହେଁ, ସବୁ ନଦୀନାଳ ଶୁଖିଗଲାଣି। ଏହାର ପୁନରୁଦ୍ଧାର ଓ ସଂରକ୍ଷଣ ଆବଶ୍ୟକ। ନଦୀ ସହ ନାଳର ଆବର୍ଜନା ପାଣି ମିଶାଇବାକୁ ଆମେ ଭ୍ରଷ୍ଟାଚାର ବିବେଚନା କରୁ ବୋଲି ଶ୍ରୀ ସିଂହ କହିଥିଲେ। ମହାରାଷ୍ଟ୍ରରେ ଜଳ ସଂରକ୍ଷଣ ଓ ନଦୀର ସୁରକ୍ଷା ଦାୟିତ୍ବ ମୁଣ୍ଡାଇଥିବା ଓ ଲକ୍ଷ୍ୟକୁ ସଫଳ କରି ଦେଖାଇଥିବା ଆୟୋଗର ପ୍ରତିନିଧି ଦଳଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବାର ସୁଯୋଗ ଦେବାକୁ ଶ୍ରୀ ସିଂହ ନିବେଦନ କରିଥିଲେ।
ଅନ୍ୟତମ ଅତିଥି ସୁଦର୍ଶନ ଦାସ, ନଦୀ ପ୍ରଦୂଷଣ ଉପରେ ବକ୍ତବ୍ୟ ରଖିବା ସହ ମହାନଦୀର ସୁରକ୍ଷା ଦିଗରେ ଆନ୍ଦୋଳନକୁ ତୀବ୍ର କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତିନିଧି ତଥା ଜଳ ସଂରକ୍ଷଣ ଓ ନଦୀର ସୁରକ୍ଷା ପାଇଁ ସଂଘର୍ଷ କରୁଥିବା ବ୍ୟକ୍ତିବିଶେଷମାନେ ସେମାନଙ୍କ ଅନୁଭୂତି ରଖିଥିଲେ। ସେମାନଙ୍କ ସଂଘର୍ଷ ପରେ କିଭଳି ବିଲିପ୍ତ ପ୍ରାୟ ନଦୀ ଜୀବନ ପାଇଛନ୍ତି, ତାର କାହାଣୀ ବଖାଣିଥିଲେ। ମଧ୍ୟପ୍ରଦେଶରେ ନର୍ମଦା ବଞ୍ଚାଅ ଅଭିଯାନ ଜରିଆରେ ନର୍ମଦା ନଦୀ କିଭଳି ସୁରକ୍ଷିତ ହୋଇପାରିଛି, ସେଠାରେ ଫଳର ମଞ୍ଜିକୁ ନଷ୍ଟ ନ କରି ଏଥିରୁ ଗଛ କରି ଜଙ୍ଗଲ ତିଆରି କରିବାକୁ ଜନସଚେତନତା ସୃଷ୍ଟି କରାଯାଉଛି ଓ ଏହା କ୍ରମେ କିଭଳି ସଫଳ ହେବାରେ ଲାଗିଛି, ସ୍ଥାନୀୟ ପ୍ରତିନିଧିମାନେ କହିଥିଲେ।
ସେହିଭଳି ସାଳନ୍ଦୀ ନଦୀର ସୁରକ୍ଷା ପାଇଁ ଭଦ୍ରକର ସାଳନ୍ଦୀ ବିକାଶ ମଞ୍ଚ କିଭଳି ସଂଘର୍ଷ କରୁଛି ଓ ସାଳନ୍ଦୀ ନଦୀରୁ କିଭଳି ବାଲିମାଫିଆମାନେ ବାଲି ଲୁଟ୍ କରିବାରେ ଲାଗିଛନ୍ତି ସେ ସମ୍ପର୍କରେ ମଞ୍ଚର ପ୍ରତାପ ପାଢ଼ୀ କହିଥିଲେ। ଉତ୍ତରପ୍ରଦେଶ ଉତ୍ତରାଖଣ୍ଡର ସଂଜୟ ସିଂହ ଝାନ୍ସି ସହ ୪ ନଦୀର ସୁରକ୍ଷା, ମହାରାଷ୍ଟ୍ରର ଅନିକେସ ଦୁବ୍ୟା ଗୋଦାବରୀ ଓ ମାଞ୍ଜା ନଦୀର ସୁରକ୍ଷା, ଉତ୍ତରପ୍ରଦେଶର ଡ. ଅର୍ଜୁନ ପାଣ୍ଡେ, ଦେବଗଡ଼ର ଗଜେନ୍ଦ୍ର ସିଂହ, ଆସାମର ଅଭିଷେକ ଆନନ୍ଦ, ଉତ୍ତରାଖଣ୍ଡର ବସୁଦ୍ଧା ପନ୍ଥ ବ୍ରହ୍ମପୁତ୍ର, ସ୍ବର୍ଣ୍ଣ ଆଦି ନଦୀର ଜଳ ସୁରକ୍ଷାରେ ସଂଘର୍ଷ କାହାଣୀ କହିଥିଲେ। ଏହି ଅବସରରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଲୋକସେବକ ମଣ୍ଡଳ ଉପସଭାପତି ଦୀପକ ମାଲଭିୟ, ଲୋକ ସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ସଦସ୍ୟ ପ୍ରଭାସ ଆଚାର୍ଯ୍ୟ, ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ଗୁରୁସ୍ବାମୀ, ଡ. ଇନ୍ଦିରା ଖୁରାନୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।