ରାଉରକେଲା : ପ୍ରଥମଥର ପାଇଁ ରାଉରକେଲାରେ ଦକ୍ଷିଣପୂର୍ବ ରେଳବାଇର ଜୋନାଲ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରାଞ୍ଚି ଓ ଚକ୍ରଧରପୁର ମଣ୍ଡଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦ, ବରିଷ୍ଠ ରେଳବାଇ ଅଧିକାରୀ ସାମିଲ ହୋଇଥିଲେ।
ବୈଠକରେ ସାଂସଦ ଜୁଏଲ ଓରାମ ଅଧ୍ୟକ୍ଷତା କରିଥିଲେ। କୋଭିଡ୍ ମହାମାରୀ ସମୟରେ ରେଳବାଇର ସେବାକୁ ସାଂସଦମାନେ ଉଚ୍ଚ ପ୍ରଶଂସା କରାଯାଇଥିଲା। ଟ୍ରେନ୍, ଷ୍ଟେସନରେ ସ୍ବଚ୍ଛତା ବଜାୟ ରଖିବାଠାରୁ ଆରମ୍ଭ କରି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପରିବହନ ପାଇଁ ପାର୍ସଲ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ, ଫସିରହିଥିବା ଶ୍ରମିକଙ୍କୁ ନିଜ ନିଜ ଭିଟାମାଟିରେ ପହଞ୍ଚାଇବାକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଚଳକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହାସହ ନିଜ ନିଜ ଅଞ୍ଚଳରେ ରେଳ ଭିତ୍ତିଭୂମିର ବିକାଶ, ନୂଆ ଟ୍ରେନ୍ ଚଳାଚଳ, ନୂଆ ଟ୍ରେନ୍ ସଂଯୋଗୀକରଣ ତଥା ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ପ୍ରସ୍ତାବ ଦେଇଥିଲେ। ବରଗଡ଼ ସାଂସଦ ସୁରେଶ ପୂଜାରୀ ଝାରସୁଗୁଡ଼ାରେ ନୂଆ ରେଳ ଡିଭିଜନ ସ୍ଥାପନ କରିବାକୁ ପ୍ରସ୍ତାବ ଦେଇଥିଲେ। ସେ କହିଲେ, ସଂପ୍ରତି ଗରିବରଥ ଏକ୍ସପ୍ରେସ୍ ରାଞ୍ଚିରୁ ବାହାରି ନୂଆ ଦିଲ୍ଲୀ ଚଳାଚଳ କରୁଛି। ଏହାଦ୍ବାରା ରାଉରକେଲାବାସୀ ରାଞ୍ଚିକୁ ଯାଇ ସେଠାରୁ ଟ୍ରେନ୍ ଧରୁଛନ୍ତି। ଏଣୁ ଏହି ଟ୍ରେନ୍ ରାଞ୍ଚି ପରିବର୍ତ୍ତେ ରାଉରକେଲାରୁ ଛାଡ଼ିଲେ ଅଞ୍ଚାବାସୀଙ୍କ ବୃହତ୍ତର ସ୍ବାର୍ଥ ପୂରଣ ହୋଇପାରିବ। ଏହାସହ କୋଭିଡ୍ ପାଇଁ ବନ୍ଦଥିବା ରାଉରକେଲା-ସମ୍ବଲପୁର ପାସେଞ୍ଜର ଟ୍ରେନ୍ ପୁନଃ ଚଳାଚଳ କରିବାକୁ ପ୍ରସ୍ତାବ ରଖିଥିଲେ। ପ୍ରସ୍ତାବଗୁଡ଼ିକୁ ଗୁରୁତ୍ବର ସହ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଆଯିବବୋଲି ଦକ୍ଷିଣ ପୂର୍ବ ରେଳବାଇ ମହାପ୍ରବନ୍ଧକ ସଞ୍ଜୟ କୁମାର ମହାନ୍ତି ମତ ରଖିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ସମ୍ବଲପୁର ସାଂସଦ ନୀତିଶ ଗଙ୍ଗଦେବ, ଜାମସେଦପୁର ସାଂସଦ ବିଦ୍ୟୁତ ବରନ ମାହାତୋ, ଜଗନ୍ନାଥପୁର ସାଂସଦ(ଝାଡ଼ଖଣ୍ଡ) ଗୀତା କୋଡ଼ା, ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡ଼ୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଞ୍ଚି ସାଂସଦ ସଞ୍ଜୟ ସେଠଙ୍କ ସମେତ ଚକ୍ରଧରପୁରଡ ଡିଆର୍ଏମ୍ ବିଜୟ କୁମାର ସାହୁ, ସିନିଅର ଡିସିଏମ୍ ମନୀଷ ପାଠକ, ରାଞ୍ଚି ଡିଆର୍ଏମ୍ ନୀରଜ ଅମ୍ବାସ୍ଥା ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟସଭା ସାଂସଦ ମହେଶ ପୋଦ୍ଦାର ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/anu.jpg)