ଭୁବନେଶ୍ୱର : ଓଡ଼ିଶାର ପ୍ରଥମ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କିଂବଦନ୍ତି ଓଡ଼ିଶୀ ନୃତ୍ୟଗୁରୁ ସ୍ବର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ଶନିବାର ରାତି ପ୍ରାୟ ୧୧ଟା ୧୦ରେ ପରଲୋକ ହୋଇଯାଇଛି। ଲକ୍ଷ୍ମୀପ୍ରିୟାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଭୀମଟାଙ୍ଗିସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ-ବୋହୂ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ ମହାପାତ୍ର ଓ ସୁଜାତା ମହାପାତ୍ରଙ୍କ ସମେତ ଅନ୍ୟ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶାର ନୃତ୍ୟ, ସଂଗୀତ ଓ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।
୧୯୪୭ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ଥିଏଟର୍ରେ ଜଣେ ମହିଳା ନୃତ୍ୟଶିଳ୍ପୀ ଭାବେ ପ୍ରଥମେ ଗୋଟିପୁଅ ନୃତ୍ୟ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ ଯେ ଗୋଟିପୁଅ ନୃତ୍ୟରୁ ଓଡ଼ିଶୀର ସୃଷ୍ଟି ବୋଲି କୁହାଯାଏ। ଏହି ପରିପ୍ରେକ୍ଷୀରେ ତାଙ୍କୁ ଓଡ଼ିଶାର ମଞ୍ଚରେ ପ୍ରଦର୍ଶନ କରିଥିବା ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ବୋଲି ଅଭିହିତ କରାଯାଏ।
ଲକ୍ଷ୍ମୀପ୍ରିୟା କଟକ ଅନ୍ନପୂର୍ଣ୍ଣା ଥିଏଟର୍ ‘ବି’ରେ ଅଭିନୟ କରୁଥିବା ବେଳେ କେଳୁଚରଣଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସେତେବେଳେ କେଳୁଚରଣ ଜଣେ ତବଲା ବାଦକ ଥିଲେ। ଲକ୍ଷ୍ମୀପ୍ରିୟା ନାଟକ ଶିଖୁଥିବା ବେଳେ ସେ ତବଲା ବାଦନ କରିବା ସହ କାଳକ୍ରମେ ତାଙ୍କୁ ନୃତ୍ୟ ଶିଖାଇବା ଆରମ୍ଭ କଲେ। ନୃତ୍ୟର ମୁଦ୍ରା ଶିଖୁ ଶିଖୁ ଦୁହିଁଙ୍କ ମଧ୍ୟରେ ଏମିତି ଅନ୍ତରଙ୍ଗତା ସୃଷ୍ଟି ହେଲା ଯେ ପରବର୍ତ୍ତୀ ସମୟରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ ଦୁହିଁଙ୍କର ଭିନ୍ନ ଭିନ୍ନ ଜାତି ଏଥିରେ ପ୍ରତିବନ୍ଧକ ସାଜିଥିଲା। ତେବେ ସବୁପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ୧୯୪୭ ମସିହାରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନାଟକ ପୂର୍ବରୁ ଦୁହେଁ ନୃତ୍ୟରେ ଦଶାବତାର ପରିବେଷଣ କରି ଇତିହାସ ପୃଷ୍ଠାରେ ଓଡ଼ିଶୀ ନୃତ୍ୟର ମୂଳଦୁଆ ସ୍ଥାପନ କରିଥିଲେ। ତେବେ ପରିବାରର ଝିନ୍ଝଟ୍ ଭିତରେ ଲକ୍ଷ୍ମୀପ୍ରିୟା ନୃତ୍ୟଶିଳ୍ପୀ ଜୀବନରୁ କ୍ରମଶଃ ଓହରି ଆସିଲେ। ଅନ୍ୟପକ୍ଷରେ ଗୁରୁ କେଳୁଚରଣ ନିଜର ସାଧନା ଜାରି ରଖି ଦେଶ ବିଦେଶରେ ସୁନାମ ଅର୍ଜନ କଲେ। କିନ୍ତୁ ଯେତେବେଳେ ବି କେଳୁଚରଣ ଯେଉଁ ମଞ୍ଚକୁ ଉଠୁଥିଲେ, ସମବେତ ଦର୍ଶକଙ୍କୁ ଗୋଟିଏ କଥା କହିବାକୁ କେବେ ବି ଭୁଲୁ ନଥିଲେ। ଜୀବନର ଅନ୍ତିମ ମଞ୍ଚ ପର୍ଯ୍ୟନ୍ତ ସେ କହୁଥିଲେ ‘ଆଜି ମୁଁ ଯାହା ବି ହୋଇଛି ମୋ ଲକ୍ଷ୍ମୀ ପାଇଁ’।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/laxmipriya-nrutyashilpi-1.jpg)