ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଓମିକ୍ରନ ଚିହ୍ନଟ

ନବରଙ୍ଗପୁର:  ନବରଙ୍ଗପୁର ଜିଲ୍ଲା ସଦର ମହକୁମା ନବରଙ୍ଗପୁର ସହରରେ ଜଣେ ଓମିକ୍ରନ ମାମଲା ଚିହ୍ନଟ ହୋଇଛି।  ସ‌େ ଜଣେ ଯୁବକ। ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଲା ସେ ବିଦେଶରୁ ଆସିନାହାନ୍ତି କି ମାସ ମଧ୍ୟରେ ସେ ଜିଲ୍ଲା ବାହାରକୁ ଯାଇ ନାହାନ୍ତି। ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଯୁବକଙ୍କ କରୋନା ଲକ୍ଷଣ ଦେଖାଯିବାରୁ ସେ ଗତ ୨୮ ତାରିଖ ଜିଲ୍ଲା ମେଡିକାଲରେ ଆରଟିପିସିଆର ପରୀକ୍ଷା କରାଇଥିଲେ। ଆରଟିପିଏସିଆର ରିପୋର୍ଟ‌ରେ ଗତ ୩୦ ତାରିଖ ତାଙ୍କ ପଜିଟିଭ୍ ରିପୋର୍ଟ ଆସିଥିଲା। ତାଙ୍କ ଆରଟିପିସିଆର ରିପୋର୍ଟକୁ ଜେ‌ନୋମ  ସିକ୍ୟୁନସି ପାଇଁ ଭୁବନେଶ୍ବର ସ୍ଥିତ ଆଇଏଲସିକୁ ପଠାଯାଇଥିଲା।

ସେଠାରେ ପରୀକ୍ଷଣ ପରେ ଆଜି ତାଙ୍କ ନମୁନାରୁ ଓମିକ୍ରନ ଚିହ୍ନଟ ହୋଇଥିବା ରିପୋର୍ଟ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଆସିଛି। ତାଙ୍କ କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କ କୋଭିଡ ପରୀକ୍ଷଣ ହୋଇଥିଲା। ସେଥି ମଧ୍ୟରୁ ୩ ଜଣ ପଜିଟିଭ୍ ରିପୋର୍ଟ ଆସିଛି। ପରିବାରର ଅନ୍ୟ ୩ ଜଣ ସଦସ୍ୟଙ୍କ ବି ନମୂନା ଜେନୋମ୍  ସିକ୍ୟୁନସି ପାଇଁ ପଠାଯାଇଛି। ଉକ୍ତ ବ୍ୟକ୍ତିଙ୍କ ପ୍ରଥମ ଦିନ କରୋନା ପଜିଟିଭ୍ ଜାଣିବା ପରେ ତାଙ୍କୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପାଇଁ ଗୃହ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ କରୋନା ସଂକ୍ରମିତଙ୍କୁ ଗୃହ ସଂଗରୋଧ ରଖାଯାଇଛି। ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି। ସମସ୍ତ ସଦସ୍ୟଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଯଦି ଆବଶ୍ୟକ ପଡେ ସ୍ଥାନାନ୍ତର କରାଯିବ ବୋଲି ଡିପିଏଚଓ ଡା.ମଳୟ ତ୍ରିପାଠୀ କହିଛନ୍ତି। ଓମିକ୍ରନ୍ ଚିହ୍ନଟ ହୋଇଥିବା ଯୁବକ ଜଣଙ୍କ ୨ ଟି ଡୋଜ୍ କରୋନା ଟିକା ନେଇଛନ୍ତି। ତାଙ୍କ ୨ୟ ‌ଡୋଜ୍ ଟିକା ଗତ ଅଗଷ୍ଟ ମାସରେ ନେଇଥିବା ଜଣାପଡିଛି।  ଉକ୍ତ ଯୁବକ ଜଣଙ୍କ ସହରର ୱାର୍ଡ ନଂ ୧୩ର ବୋଲି ଜଣାପଡିଛି। ତ‌େବେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଲା ସମସ୍ତଙ୍କ ବିଶ୍ବାସ ରହିଥିଲା ସାଧାରଣତଃ ବିଦେଶ ଫେରନ୍ତାଙ୍କ ପାଖରେ ହିଁ ଓମିକ୍ରନ ଚିହ୍ନଟ ହୋଇଥାଏ। ତେବେ ସ୍ବାସ୍ଥ୍ୟ ବିଭାଗର ପ୍ରାଥମିକ ତଦନ୍ତରୁ ସେ ୧ ମାସ ମଧ୍ୟରେ ବାହାର ଜିଲ୍ଲାକୁ ବି ଯାଇ ନାହାନ୍ତି।

ନବରଙ୍ଗପୁର ସହରରେ ପ୍ରଥମ ଓମିକ୍ରନ ଚିହ୍ନଟ ହେବା ପରେ ଏବେ ସହର ତଥା ଜିଲ୍ଲାରେ ଏବେ ଚିନ୍ତାର ବିଷୟ ହୋଇଛି।  ନବରଙ୍ଗପୁର ସହର ଦେଇ ହାଇଦ୍ରାବାଦ, ରାଇପୁର, ବିଶାଖାପାଟନା, ବିଜୟୱାଡା, ଭୁବନେଶ୍ବର, କଟକ , ବ୍ରହ୍ମପୁର, ରାଉରକେଲା ଆଦି ଅଞ୍ଚଳରୁ ନିୟମିତ ବସ ଚଳାଚଳ କରୁଥିବାରୁ ଏବେ ନବରଙ୍ଗପୁର ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାର ସମୟ ଆସିଛି ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର