କୁଜଙ୍ଗ: ‘ହେ..ଡଙ୍ଗା ଅଣେଇ ହଉଛି..ଡଙ୍ଗା ଅଣେଇ ହୋଇଗଲା..ସିଧା କର..ସିଧା କର..। ନାଉରିଆ ଭାଇ..ଡଙ୍ଗା ଓଲଟିଲା..ଓଲଟିଲା..ହେ..ପ୍ରଭୁ ରକ୍ଷାକର ..ବଞ୍ଚାଅ..ବଞ୍ଚାଅ..।’

Advertisment

ଲୋକଙ୍କର ଏପରି ଆକୁଳ ଚିତ୍କାର ଭିତରେ ମହାନଦୀରେ ବୁଡ଼ି ଯାଉଥିଲା ଡଙ୍ଗା। ଆଖି ପଲକରେ ହୋଇଗଲା ସବୁକିଛି ଓଲଟପାଲଟ । ଚାହୁଁ ଚାହୁଁ ଯାତ୍ରୀ ଚାପି ହୋଇ ଗଲେ ଡଙ୍ଗା ତଳେ। ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଥିଲା ଗତ କାଲି ହୁକିଟୋଲା ନିକଟସ୍ଥ ନିପାଣିଆ ଗାଁରେ।

ଘଟଣାସ୍ଥଳରୁ ଶୁଭୁଥିଲା ବିକଳ କାନ୍ଦଣା ଓ ବଞ୍ଚାଅ..ବଞ୍ଚାଅର ଆର୍ତ୍ତ ଚିତ୍କାର। ସମସ୍ତେ ଆରମ୍ଭ କଲେ ବଞ୍ଚିବା ଲାଗି ପ୍ରୟାସ। ପହଁରା ଶିଖିଥିବା ପୁରୁଷ ଓ ମହିଳା କୂଳକୁ ଆସିବା ଲାଗି ସମର୍ଥ ହେବା ବେଳେ ଛୋଟ ଛୋଟ ପିଲା ମହାନଦୀର ଅତଳତଳ ଜଳରେ ଡୁବିଗଲେ।

ସେ ସମୟରେ ହୃଦୟ ବିଦାରକ ଘଟଣା ବର୍ଣ୍ଣନା କରି ଜଣେ ବାଳିକା କହନ୍ତି,‘ସଂଧ୍ୟା ହୋଇ ଆସିଥିଲା। ସେ ଡଙ୍ଗାରେ ୫୫ ଲୋକ ବସିଥିଲେ। ଜଣେ ବୁଢୀ ଲୋକକୁ ଝାଡା ଲାଗିଲା। ଡଙ୍ଗାବାଲା ଗୋଟାଏ ଗଛ ପାଖରେ ଡଙ୍ଗା ଅଟକାଇଲେ। ସେ ଶୌଚ ହେବା ଲାଗି ଗଲେ। ଆଉ ବହୁ ଯାତ୍ରୀ ବି ଓହ୍ଲାଇଲେ ସେଠି। ସମସ୍ତେ ଡଙ୍ଗାକୁ ଫେରିଲେ। ଡଙ୍ଗା ହଲଚଲ ହେଲା। ଚାଳକ ଜଣକ ଡଙ୍ଗାକୁ ଟିକିଏ ଠେଲି ମୋଟର ଷ୍ଟାର୍ଟ କରୁଥିବା ବେଳେ ଅଣେଇ ହୋଇ ପଡ଼ିଲା। ଆମେ ସମସ୍ତେ ପାଟି କରୁ କରୁ ଓଲଟି ପଡ଼ିଲା ଡଙ୍ଗା।’

publive-image

କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ୨୧ ଜଣଙ୍କ ଜଣେ ମଧ୍ୟରୁ ଜରେ ଯାତ୍ରୀଙ୍କର ଇଏ ଥିଲା ଅଙ୍ଗେନିଭା କାହାଣୀ। ମହାନଦୀରେ ବୁଡ଼ି ଯାଉ ଯାଉ ଜୀବନ ଫେରିପାଇଥିବା ଜଣେ ବୟସ୍କା ମହିଳା କହନ୍ତି, ‘ଆମେ ସକାଳ ୭ଟାରୁ ଘରୁ ବାହାରିଥିଲୁ। ହୁକିଟୋଲା ବୁଲାବୁଲି କରି ଫେରିବା ଲାଗି ଡଙ୍ଗା ଚଢିଲୁ। ସଞ୍ଜ ହୋଇ ଯାଇଥିଲା। ୨୦ ଲୋକଙ୍କ ଯାଗାରେ ୫୫ ଜଣ ବସିଗଲେ ଡଙ୍ଗାରେ। ଜଣେ ବୁଢୀ ଶୌଚ ହେବାକୁ ଯାଇଥିଲେ। ସେଥିପାଇଁ ଡଙ୍ଗା ଅଟକି ଥିଲା। ସେ ଫେରିବା ପରେ ଡଙ୍ଗାବାଲା ମୋଟର ଷ୍ଟାର୍ଟ କରୁକରୁ ଅଣେଇ ହୋଇ ଓଲଟି ଗଲା ଡଙ୍ଗା।’

ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ହସିଣା ଗାଁର ୨୧ଜଣ ଜୀବନ ଫେରି ପାଇଛନ୍ତି ସତ କିନ୍ତୁ ମନରେ ଅନେକ କୋହ। ସେମାନେ ସିନା ବଞ୍ଚିଗଲେ କିନ୍ତୁ ସେମାନଙ୍କ ପ୍ରିୟଜନଙ୍କୁ ବଞ୍ଚାଇ ପାରିଲେ ନାହିଁ। ଅଘଟଣ ବେଳର କଥା କହିବା ବେଳେ ସେମାନଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା ତ କିଏ ଲୁହ ଛଳ ଛଳ ଆଖିରେ ବୟାନ ଦେଉଥିଲା।

ଶକ୍ତିମୟୀ ମା’ମଙ୍ଗଳା ମୋଟର ଡଙ୍ଗା ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୯ ଜଣଙ୍କର ପୋଷ୍ଟମର୍ଟମ ଶେଷ ହୋଇଛି। ଦୁଃଖର କଥା ହେଲା ୫ ଶିଶୁଙ୍କର ଘଟିଛି ସଲିଳ ସମାଧୀ।

ମୃତ୍ୟୁ ଏମିତି ଆସେ! ଆଗରୁ କିଛି ଖବର ଦେଇ ନ ଥାଏ। ହଠାତ୍‌ ହସଖୁସୀର ମୁହୂର୍ତ୍ତ ପାଲଟି ଯାଏ ଶୋକର ସମୟ। ଠିକ୍‌ ଏମିତି ଘଟିଛି ଏଇମାନଙ୍କ ଜୀବନରେ।