ଓଡ଼ିଶାରେ ବଢିଛି ବିମାନ ଯାତ୍ରୀଙ୍କ ସଂଖ୍ୟା: ଭୁବନେଶ୍ୱରରୁ ସିଙ୍ଗାପୁର, ଦୁବାଇ, ଆବୁଧାବି ସମେତ ୧୩ ନୂଆ ସ୍ଥାନକୁ ବିମାନ ଉଡାଣ ପ୍ରସ୍ତାବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ବିଭିନ୍ନ ବିମାନ କମ୍ପାନିଙ୍କର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି | ‘ଏନହା‌ନ୍ସିଂ ଏୟାର କନେକ୍ଟିଭିଟି ଟୁ ଓଡ଼ିଶା’ ଶୀର୍ଷକ ଏହି  ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଦେଇଛନ୍ତି ଯେ ଓଡିଶାରେ ବିମାନ ଯାତ୍ରୀଙ୍କ ସଂଖ୍ୟା ୨୯%  ବଢିଛି । ଯେଉଁ ସବୁ ସ୍ଥାନକୁ ବିମାନ ସେବା ନାହିଁ ସେହି ସ୍ଥାନକୁ କିଭଳି ଉଡାଣ ହୋଇପାରିବ ସେ ନେଇ ଆଲୋଚନା ହୋଇଛି | ଏହି ବୈଠକରେ ଘରୋଇ ବିମାନ କମ୍ପାନି, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୩ଟି ନୂଆ ସ୍ଥାନକୁ ଭୁବନେଶ୍ବର ସହ ଯୋଡ଼ିବାକୁ ପ୍ରସ୍ତାବ ଦିଆଯାଇଛି। ଏହି କ୍ରମରେ  ଭୁବନେଶ୍ୱରରୁ ଆବୁଧାବି, ଭୁବନେଶ୍ୱରରୁ ବ୍ୟାଙ୍କକ ମଧ୍ୟରେ ବିମାନ ସେବା ସହ ସିଙ୍ଗାପୁରରୁ ଭୁବନେଶ୍ୱରକୁ ବିମାନ ଚଳଚଳ ପାଇଁ ପ୍ରସ୍ତାବ ଦିଆଯାଇଛି | ସେହିପରି ଦେଶର ଦୁଇ ଜଣାଶୁଣା ସହର ପ୍ରୟାଗରାଜ ଓ କୋଲାଇକୋଣ୍ଡାକୁ ବିମାନ ଉଡାଣ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଏଠାରେ ସୂଚନା ଥାଉ କି ଓଡିଶାରେ ବିମାନ ଚଳାଚଳ ନେଇ ଆଜି ରାଜ୍ୟ ସରକାରଙ୍କ ସହ ବିମାନ କମ୍ପାନିର ସିଇଓ ଓ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଥିଲା । ଏଥିରେ ୨୫ ବିମାନ କମ୍ପାନୀର ପ୍ରତିନିଧି ଓ ୫ ସିଇଓ ସାମିଲ ହୋଇଥିଲେ । ରାଜ୍ୟରେ ବିମାନ ସେବା ତଥା ଚଳାଚଳ ବୃଦ୍ଧି ନେଇ ବିଭିନ୍ନ ବିମାନ କମ୍ପାନୀର ସିଇଓଙ୍କ ସହିତ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶାର ସମସ୍ତ ବିମାନ ବନ୍ଦର କର୍ତୃପକ୍ଷ ମଧ୍ୟ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ, ଉଚ୍ଚପଦସ୍ଥ ଅଧିକାରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀ ଉପସ୍ଥିତ ଥିଲେ ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ଅନ୍ତର୍ଜାତୀୟ ବିମାନ ଇନ୍ଧନ ଉପରେ ଲାଗୁଥିବା ଭାଟରେ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ ନୂଆ ରୁଟରେ ଯେଉଁ ଘରୋଇ କମ୍ପାନୀ ବିମାନ ଚଳାଚଳ କରିବେ ସେମାନଙ୍କୁ ଇନ୍ଧନ ବାବଦରେ ଏକ ପ୍ରତିଶତ ରିହାତି ଦିଆଯିବ ।

ସମ୍ବନ୍ଧିତ ଖବର