୧୪ ଶିକ୍ଷାନୁଷ୍ଠାନକୁ ଅଢ଼େଇ କୋଟିର ପ୍ରକଳ୍ପ
ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର : ‘ମୋ କଲେଜ ଅଭିଯାନ’ ଅଧୀନରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ପ୍ରଥମ ପର୍ଯ୍ୟାୟ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରି ୧୨ଟି କଲେଜ ଓ ଦୁଇଟି ବିଶ୍ବବିଦ୍ୟାଳୟ ଲାଗି ମୋଟ ୨କୋଟି ୫୦ ଲକ୍ଷ ୫୬ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀଙ୍କର ୮୩ ଲକ୍ଷ ୫୨ ହଜାର ୨୭୨ ଓ ରାଜ୍ୟ ସରକାରଙ୍କ ଅଂଶ ୧କୋଟି ୬୭ ଲକ୍ଷ ୪ ହଜାର ୫୪୪ ଟଙ୍କା ରହିଛି। ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ, ମୋ କଲେଜ ଅଭିଯାନରେ ଦାତାମାନଙ୍କଠାରୁ ମିଳିଥିବା ଅର୍ଥର ଦୁଇଗୁଣା ରାଜ୍ୟ ସରକାର ପ୍ରଦାନ କରିବା ଲାଗି ବ୍ୟବସ୍ଥା ହୋଇଛି। ୫-ଟି ଟ୍ରାନ୍ସପେରେନ୍ସି ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪୦ଟି କଲେଜର ବିକାଶ କରାଯିବ। ଏହାଦ୍ବାରା କ୍ୟାମ୍ପସ, କ୍ଲାସରୁମ୍ର ବିକାଶ ସହ ସ୍ନାତକ ଓ ସ୍ନାତକୋତ୍ତରର ପାଖାପାଖି ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।
ସେ ଆହୁରି କହିଲେ, ସ୍କୁଲ ଟ୍ରାନ୍ସଫର୍ମେସନ୍ ତଥା ରୂପାନ୍ତରଣର ସଫଳତା ପରେ ଉଚ୍ଚ ଶିକ୍ଷାନୁଷ୍ଠାନ ଦିଗରେ ପଦକ୍ଷେପ ନିଆଯାଇଛି। ରାଜ୍ୟର ୧୦୭୦ ସ୍କୁଲର ବିକାଶ କାର୍ଯ୍ୟ ନଭେମ୍ବର ୧୪ସୁଦ୍ଧା ଶେଷ ହେବ। ଇତିମଧ୍ୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ହେବା ସହ କିଛି ମାସ ତଳେ ଲୋକାର୍ପିତ ହୋଇଛି। କଲେଜ ଦିନ ଆମ ଜୀବନର ଏକ ସୁବର୍ଣ୍ଣ ସମୟ। ଆମେ ଆମ ସ୍ୱପ୍ନ, ସଂଘର୍ଷ ଓ ଅସୀମ ସମ୍ଭାବନା ମାଧ୍ୟମରେ ବଞ୍ଚୁ। ବାସ୍ତବରେ, ଏହି ଅବଧି ଆମକୁ ଆମର ପ୍ରିୟ ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ସହ ଆଗକୁ ନେଇଥାଏ। ମୋ କଲେଜ ଅଭିଯାନରେ ଅର୍ଥ ପ୍ରଦାନ ପାଇଁ ସମସ୍ତ ଦାତା ଓ ଯୋଗଦାନକାରୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଅଧିକାରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ‘ମୋ କଲେଜ ଅଭିଯାନ’ରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୋ କଲେଜ ଅଭିଯାନ ଉଚ୍ଚ ଶିକ୍ଷାଷ୍ଠାନଗୁଡ଼ିକର ଶିକ୍ଷାଗତ ପରିବେଶକୁ ଏକ ନୂତନ ସ୍ତରକୁ ଆଣିବାରେ ସଫଳ ହେବ ବୋଲି ଆଶାପୋଷଣ କରିଥିଲେ। ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଅନୁଦାନର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବିଶ୍ବବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷ ଓ ମୋ କଲେଜର ଦାତାମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ଚିତ୍ତୋଳ ଡିଗ୍ରି କଲେଜ ପାଇଁ ସର୍ବାଧିକ ୭୫ଲକ୍ଷ ୨୧ହଜାର ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ୭୫ଲକ୍ଷ, ବିଜେବି ସ୍ବୟଂଶାସିତ କଲେଜ ପାଇଁ ୨୨ଲକ୍ଷ ୫୦ ହଜାର, ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଓ କଣ୍ଟିଲୋ ନୀଳମାଧବ ଡିଗ୍ରି ମହାବିଦ୍ୟାଳୟ ପାଇଁ ୧୫ଲକ୍ଷ ଲେଖାଏଁ ପ୍ରକଳ୍ପକୁ ମଞ୍ଜୁର ଦିଆଯାଇଛି।