ଲୋମଶ କାହ୍ନାର ଅସ୍ତ୍ରୋପଚାର ଆରମ୍ଭ : ୧୨ ଜଣିଆ ଡାକ୍ତରୀ ଦଳର ୬ ଘଣ୍ଟା କସରତ, ସ୍କିନ୍‌ ଗ୍ରାଫ୍‌ଟିଂ ଶେଷ, ତିନି ମାସ ପରେ ଦ୍ୱିତୀୟ ପର୍ଯ୍ୟାୟ

ବ୍ରହ୍ମପୁର : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ଅଧୀନରେ ଲୋମଶ ବାଳକ କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯାଇଛି। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡା. ରାଜୁ ଦାଶଙ୍କ ନେତୃତ୍ୱରେ ୧୨ଜଣିଆ ଡାକ୍ତରୀ ଦଳ ଦୀର୍ଘ ୬ଘଣ୍ଟା ପରିଶ୍ରମ କରି ସଫଳ ଅସ୍ତ୍ରୋପଚାର କରିଛନ୍ତି। କାହ୍ନାର ଚେହେରାରେ ବଢ଼ି ଚାଲିଥିବା ଲୋମ କାଟି ବାହାର କରାଯାଇଛି। ଏହା ସହିତ ଚେହେରାର ଡାହାଣ ପଟ ଅଂଶର ଚମଡ଼ାକୁ ହଟାଇଯାଇଛି। ଜଙ୍ଘରୁ ଚମଡ଼ା ବାହାର କରାଯାଇ ସେଠାରେ ସ୍କିନ୍‌ ଗ୍ରାଫ୍‌ଟିଂ ପଦ୍ଧିତିରେ ପ୍ରତ୍ୟାରୋପଣ କରାଯାଇଛି। କାହ୍ନାର ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାରରେ ତାଙ୍କର ମାତା, ପିତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ କାହ୍ନର ମୁହଁକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖାଯାଇଛି। ଆସନ୍ତା ୭ଦିନ ପରେ ପଟି ଖୋଲାଯିବ ବୋଲି ଡାକ୍ତର କହିଛନ୍ତି। ସେପଟେ ୩ ମାସ ପରେ ପରବର୍ତ୍ତୀ ଅସ୍ତ୍ରୋପଚାର କରାଯିବ ବୋଲି ଡା. ଦାଶ ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗାୟାଗଣ୍ଡା ପଞ୍ଚାୟତର ବାଘୁଆ ଗାଁର ରାମଚନ୍ଦ୍ର ନାଇକ ଓ ମମତାଙ୍କ ୬ ବର୍ଷର ପୁଅ କାହ୍ନାର ଶରୀର ଲୋମଶ ପାଲଟିଯିବା ସଂକ୍ରାନ୍ତ ଗତ ୧୬ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ଵିଟ୍‌ରେ ବାର୍ତା ପହଞ୍ଚିଥିଲା। କାହ୍ନାର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ୍‌ କରିଥିଲେ। ସେ ନେଇ କାହ୍ନାକୁ ଚିକିତ୍ସା ପାଇଁ ଗତ ୧୯ତାରିଖରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରଥମେ କାହ୍ନାର ରକ୍ତ ପରୀକ୍ଷା ସହିତ ଆବଶ୍ୟକ ଟେଷ୍ଟ କରାଯାଇଥିଲା। ପରୀକ୍ଷାରେ କୌଣସି ତ୍ରୁଟି ନଥିବାରୁ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ଏବଂ ଆଜି ପ୍ରଥମ ପର୍ଯ୍ୟାୟ ଅପରେସନ୍‌ ଶେଷ ହୋଇଛି। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡା. ବିଶ୍ୱଜିତ ମିଶ୍ର, ଡା. କିରଣ କୁମାର କର, ଡା. ଶୁଭାଶିଷ ପାତ୍ର, ନିଶ୍ଚେତକ ବିଭାଗ ପ୍ରଫେସର ଡା. ଏଲ୍‌.ଡି ଦାଶ, ଆସିଷ୍ଟାଣ୍ଡ ପ୍ରଫେସର ଡା. ପ୍ରଭାତୀ ମିଶ୍ର, ଡା. ସତୀଶ ମିଶ୍ର, ଏସ୍‌ଆର୍‌ ଡା. ସୌଭାଗ୍ୟ ଦାଶ ପ୍ରମୁଖ ସାମିଲ ଏହି ଟିମ୍‌ରେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର