ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର: ପ୍ରଚାରକୁ ଗଲେନି ଶୀର୍ଷ ନେତୃତ୍ୱ

ଏଥର ବି ମଇଦାନକୁ ଓହ୍ଲାଇଲେନି ନବୀନ, ଦୂରେଇ ରହିଲେ ଧର୍ମେନ୍ଦ୍ର, ଅଶ୍ବିନୀ, ନିରଞ୍ଜନ ମଧ୍ୟ ସାମିଲ ହେଲେନି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ସୋମବାର ଦିନ ସନ୍ଧ୍ୟାରେ ପ୍ରଚାର ଶେଷ ହେବ। ଏଥିପାଇଁ ଗାଁ ଗାଁରେ ଏବେ ପ୍ରଚାର ତାତି। ଘମାଘୋଟ ପ୍ରଚାରରେ ଗାଁ ଏବେ କମ୍ପୁଛି। ସବୁ ଦଳର ପ୍ରମୁଖ ନେତାଙ୍କୁ ଫୁର୍‌ସତ ନାହିଁ। କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳର ଶୀର୍ଷ ନେତୃତ୍ବ ସିଧାସଳଖ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏ ଯାଏ ପ୍ରଚାରକୁ ଓହ୍ଲାଇ ନାହାନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ ଥର ପରି ଏଥର ବି ପ୍ରଚାରରେ ସାମିଲ ହୋଇନାହାନ୍ତି। ବିଜେପିର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ମଧ୍ୟ ପ୍ରଚାର ଠାରୁ ଦୂରରେ ରହିଛନ୍ତି। ସମାନ ସ୍ଥିତି କଂଗ୍ରେସରେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଏ ଯାଏ ଭୋଟ୍ ମାଗି ନାହାନ୍ତି।

ଜିଲ୍ଲା ପରିଷଦ ନିର୍ବାଚନରେ ବିରୋଧୀ ବିଜେପି ଓ କଂଗ୍ରେସ ଅପେକ୍ଷା ବିଜେଡି ଭଲ ସ୍ଥିତିରେ ଅଛି। ବହୁ ସ୍ଥାନରେ ବିଜେଡିକୁ ବିରୋଧୀଙ୍କ ପଟୁ ଯେତିକି ଭୟ ନାହିଁ, ନିଜ ଦଳରୁ ବିଦ୍ରୋହୀ କଣ୍ଟା ସାଜୁଛନ୍ତି। ଏଥି ପାଇଁ ବୁଝାସୁଝା କରିବାକୁ ସ୍ଥାନୀୟ ବିଧାୟକମାନେ ନାକେଦମ୍ ହେଉଛନ୍ତି। କିଛି ଜାଗାରେ ବିଦ୍ରୋହୀଙ୍କୁ ଶାନ୍ତ କରିବାକୁ ବିଧାୟକ ସଫଳ ହୋଇଥିଲା ବେଳେ ଆଉ କିଛି ଜାଗାରେ ଗୃହ ଶତ୍ରୁଙ୍କ ଭୟ ଘାରୁଛି। ଯଦିଓ ପଞ୍ଚାୟତ ସମିତି ଓ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ବିଧାୟକମାନଙ୍କୁ ରଣନୀତି କରିବାକୁ ପଡ଼ୁଛି, କିନ୍ତୁ ଜିଲ୍ଲା ପରିଷଦରେ ସିଧାସଳଖ ଦଳୀୟ ପ୍ରାର୍ଥୀ ଲଢ଼ୁଥିବାରୁ ରାଜ୍ୟ ତଥା ଜାତୀୟ ସ୍ତରରେ ଏହା ହିଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବ। ତେଣୁ ଯେପରି ଭାବେ ଭଲ ଫଳାଫଳ ଆସିବ, ସେଥି ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିବାକୁ ନବୀନ ନିବାସରୁ ନିର୍ଦ୍ଦେଶ ଜାରି ହୋଇଛି। ସେଥି ପାଇଁ ବିଧାୟକମାନେ ନିର୍ବାଚନମଣ୍ଡଳୀ ଛାଡ଼ି ଯାଉ ନାହାନ୍ତି।

Odisha News In English

ନିର୍ବାଚନ ବୈତରଣୀ ପାର ହେବାକୁ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରଚାର ବିଜେଡି ପ୍ରାର୍ଥୀଙ୍କ ପାଇଁ ସବୁବେଳେ ଅମୋଘ ଅସ୍ତ୍ର ପାଲଟିଥାଏ। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ ନିଜ ନିର୍ବାଚନମଣ୍ଡଳୀ ବାଦ୍‌ ଅନ୍ୟ କୌଣସି ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନବୀନ ପ୍ରଚାର କରିନଥିଲେ। ଏଥର ମଧ୍ୟ ସେ ପ୍ରଚାରରେ ସାମିଲ ହୋଇ ନାହାନ୍ତି। ନବୀନ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ପ୍ରଚାରରେ ସାମିଲ ହେବେ ବୋଲି ନେତା ଓ କର୍ମୀମାନେ ଆଶା ରଖିଥିଲେ। କିନ୍ତୁ ଏ ଯାଏ ସେପରି କିଛି ଘଟି ନାହିଁ। ପ୍ରଥମ ପର୍ଯ୍ୟାୟ ମତଦାନ ପାଖେଇ ଅସୁଥିଲା ବେଳେ ସେ ପ୍ରଚାର ଆରମ୍ଭ କରି ନାହାନ୍ତି। ଆଗକୁ ମଧ୍ୟ ପ୍ରଚାରକୁ ଓହ୍ଲାଇବାର ସମ୍ଭାବନା କ୍ଷୀଣ। ତେବେ ବିଜେଡି ପକ୍ଷରୁ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଓ ପ୍ରଚାରରେ ଆଦୌ ହେଳା କରାଯାଇ ନାହିଁ। ଗାଁ ଗାଁରେ ଦଳର ବରିଷ୍ଠ ନେତା, ଅଭିନେତା ସମସ୍ତେ ପ୍ରଚାର ଜୋର୍‌ଦାର କରିଛନ୍ତି। ପ୍ରତି ପର୍ଯ୍ୟାୟ ନିର୍ବାଚନ ପରେ ସେଠାରେ ଦାୟିତ୍ବରେ ଥିବା ନେତାମାନେ ଅନ୍ୟତ୍ର ପ୍ରଚାର କାର୍ଯ୍ୟରେ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ପାଇଁ ତାଲିକା ପ୍ରସ୍ତୁତ କରି ଧରାଇ ଦିଆଯାଇଛି।

The Indian Express

ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପ୍ରଚାର ଜୋର୍‌ଦାର କରିଥିଲା। ଦଳର ରାଜ୍ୟ ଚେହେରା ପାଲଟିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ପ୍ରଚାରର ମଙ୍ଗ ଧରିଥିଲେ। ସାରା ରାଜ୍ୟରେ ମାରାଥନ୍ ପ୍ରଚାର କରିଥିଲେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ, ଆହୁରି ଏକାଧିକ କେନ୍ଦ୍ରମନ୍ତ୍ରୀ, ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ପ୍ରଚାରରେ ସାମିଲ ହୋଇଥିଲେ। ଦଳକୁ ଭଲ ସଫଳତା ମଧ୍ୟ ମିଳିଥିଲା। କିନ୍ତୁ ଏଥର ଧର୍ମେନ୍ଦ୍ର ଏ ଯାଏ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ନାହାନ୍ତି। କେବଳ ଥରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଘର ଘର ବୁଲି ମୋଦୀଙ୍କ ଅବଦାନକୁ ଲୋକଙ୍କୁ ଜଣାଇବା ପାଇଁ କହିଥିଲେ। ଏହା ପରେ ସେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ କୌଣସି ରାଜନୈତିକ ସଭା କରି ନାହାନ୍ତି। ଯଦିଓ ଧର୍ମେନ୍ଦ୍ର ଉତ୍ତରପ୍ରଦେଶ ନିର୍ବାଚନର ଗୁରୁ ଦାୟିତ୍ବ ବହନ କରୁଛନ୍ତି, ତେବେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ପ୍ରଚାର କରିବାରେ କୌଣସି ସମସ୍ୟା ନ ଥିଲା। କିନ୍ତୁ ବର୍ତ୍ତମାନ ଯାଏ ତାହା ସେ ଆରମ୍ଭ କରି ନାହାନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବି ନିର୍ବାଚନ ପ୍ରଚାରରୁ ନିଜକୁ ଦୂରେଇ ରଖିଛନ୍ତି। ଯଦିଓ ଗତ ସପ୍ତାହରେ ସେ ଭୁବନେଶ୍ବର ଆସିଥିଲେ, ତେବେ କୌଣସି ପ୍ରଚାରରେ ସାମିଲ ହୋଇ ନ ଥିଲେ। କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ କିଛି ଜାଗାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଘନ ଘନ ବିଭିନ୍ନ ଜିଲ୍ଲା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି।

ନିର୍ବାଚନ ପ୍ରସ୍ତୁତି ଓ ପ୍ରଚାର କାର୍ଯ୍ୟରେ ବିଜେଡି ଓ ବିଜେପି ତୁଳନାରେ କଂଗ୍ରେସ ଆରମ୍ଭରୁ ପଛରେ ପଡ଼ିଯାଇଛି। ତେବେ ପ୍ରାର୍ଥିପତ୍ର ଦାଖଲ ପରେ ଦଳୀୟ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ଚାଲୁ ରଖଇବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ଦଳର ସବୁ ବିଧାୟକ ଓ ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଜୋର୍‌ଦାର କରିଛନ୍ତି। ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ଭୋଟର୍‌ଙ୍କୁ ନିବେଦନ କରୁଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ବଖାଣି ଭୋଟର୍‌ଙ୍କ ମନ ଜିଣିବାକୁ ଦଳ ପକ୍ଷରୁ ଉଦ୍ୟମ ଚାଲିଛି। ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏ ଯାଏ ପ୍ରଚାରରେ ସାମିଲ ହୋଇ ନାହାନ୍ତି। ଶ୍ରୀ ପଟ୍ଟନାୟକ କୌଣସି ସ୍ଥାନକୁ ଯାଇ ନାହାନ୍ତି କିମ୍ବା ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନାହାନ୍ତି। ଆଗାମୀ ଦିନରେ ଶ୍ରୀ ପଟ୍ଟନାୟକ ପ୍ରଚାରକୁ ଓହ୍ଲାଇବେ କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ।

୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ୩୦ ଜିଲ୍ଲାର ୭୧ ବ୍ଲକ୍‌ର ୨୦୨ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ୍‌ ଗ୍ରହଣ ହେବ। ପ୍ରାୟ ୬୭ ଲକ୍ଷ ୫୧ ହଜାର ଭୋଟର୍‌ ୨୨,୩୭୯ ବୁଥ୍‌ରେ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର