ସରିଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌: ୭୦% ମତଦାନ, ଷ୍ଟ୍ରଙ୍ଗ ରୁମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ଟି ବୁଥ୍‌ରେ ମତଦାନ ହୋଇଥିବା ବେଳେ ପ୍ରାୟ ୭୦% ମତଦାତା ଭୋଟ୍ ଦେଇଛନ୍ତି। ତିନିଟି ଜିଲ୍ଲା ଯାଜପୁର, ପୁରୀ, ଢେଙ୍କାନାଳର ମୋଟ୍ ୧୮ଟି ବୁଥ୍‌କୁ ଛାଡ଼ିଦେଲେ ବାକି ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି। ହଜାର ହଜାର ପ୍ରାର୍ଥୀଙ୍କ ଭାଗ୍ୟ ଏବେ ବାଲାଟ୍ ବକ୍ସରେ ବନ୍ଦ ହୋଇଯାଇଛି। ଚଳିତ ଥର ବ୍ଲକ ମୁଖ୍ୟାଳୟରେ ଗଣତି ହେବାକୁ ଥିବାରୁ ପ୍ରାର୍ଥୀମାନେ ଫେବ୍ରୁଆରି ୨୬ ପରେ ହିଁ ଫଳାଫଳ ଜାଣିପାରିବେ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବୁଧବାର ଦିନ ମତଦାତାଙ୍କ ମଧ୍ୟରେ ଭିନ୍ନ ଉତ୍ସାହ ଦେଖିବାକୁ ମିଳିଥିଲା। ପ୍ରାୟ ସବୁ ବୁଥ୍‌ରେ ମତଦାତାମାନେ ସକାଳୁ ଲମ୍ବା ଧାଡ଼ି ଲଗାଇଥିଲେ। ବାଲାଟ୍ ପେପରରେ ଭୋଟ୍ ହେଉଥିବାରୁ ଭୋଟ୍ ଦେବା ପାଇଁ ମତଦାତାଙ୍କୁ ଅଧିକ ସମୟ ଲାଗୁଥିଲା। ଯେଉଁଥିପାଇଁ ଅଧିକାଂଶ ବୁଥ୍‌ରେ ଲୋକ କୋଭିଡ କଟକଣା ନମାନି ଧାଡ଼ିରେ ଛିଡ଼ା ହୋଇଥିଲେ। ଏପରିକି ଆଜି ୬୭ଲକ୍ଷ ୫୧ହଜାରରୁ ଅଧିକ ଭୋଟର ଭୋଟ୍‌ ଦେବାକୁ ଥିବାବେଳେ ମାତ୍ର ୭୦% ଭୋଟିଂ ହେବା ଚିନ୍ତା ବଢ଼ାଇଛି। ଆଗାମୀ ଦିନରେ ମତଦାତାଙ୍କ ହାର ବଢ଼ିବ ବୋଲି ରାଜ୍ୟ ନିର୍ବାଚନ କମିସନର୍‌ କହିଛନ୍ତି।

ସେହିପରି ବୁଧବାର ଦିନ ନିର୍ବାଚନ ଶେଷ ହେବା ପରେ ସଂଧ୍ୟା ସୁଦ୍ଧା ସମସ୍ତ ବୁଥ୍‌‌ରୁ ଭୋଟ୍‌ ବାକ୍ସ, ବଳକା ବାଲାଟ୍ ପେପର ଆଦି ସଂଗ୍ରହ କରାଯାଇ ଷ୍ଟ୍ରଙ୍ଗରୁମ୍‌କୁ ପଠାଯାଇଛି। ଏଥର ପ୍ରଥମ କରି ବ୍ଲକ ମୁଖ୍ୟାଳୟରେ ଭୋଟ୍‌ ଗଣତି ହେବାକୁ ଥିବାରୁ ସବୁ ବାଲାଟ୍ ବକ୍ସ ଯେପରି ନିରାପଦର ସହ ଷ୍ଟ୍ରଙ୍ଗରୁମ୍‌ରେ ପହଞ୍ଚିବ ସେନେଇ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବ୍ୟବସ୍ଥା କରିଥିଲେ। କିଛି କିଛି ସ୍ଥାନରେ ସଂଧ୍ୟା ପରେ ବି ଭୋଟ୍‌ ବାକ୍ସ ଷ୍ଟ୍ରଙ୍ଗରୁମ୍‌କୁ ଆସୁଥିବା ଦେଖିବାକୁ ମିଳିଥିଲା।

ଅପରପକ୍ଷେ ବୁଧବାର ଦିନ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି। ୧୮ତାରିଖରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ଆଜି ସଂଧ୍ୟା ୭ଟାରୁ ପ୍ରଚାର ବନ୍ଦ କରାଯାଇଛି। ବାହାର ନିର୍ବାଚନମଣ୍ଡଳୀର ରାଜନେତାଙ୍କୁ ନିର୍ବାଚନମଣ୍ଡଳୀ ବାହାରକୁ ବିଦା କରାଯାଇଛି। ଯେପରି ଟଙ୍କା, ମଦ ଆଦି ବଣ୍ଟା ନ‌ହୁଏ ‌ସେନେଇ ନଜର ରଖିବାକୁ ରାଜ୍ୟ ନିର୍ବାଚନ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକର ୧୮୬ଟି ଜିଲ୍ଲା ପରିଷଦ ଜୋନ୍, ୧୫୧୪ଟି ଗ୍ରାମପଞ୍ଚାୟତ ପାଇଁ ୨୦୪୩୬ଟି ବୁଥ୍‌ରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୬୨ଲକ୍ଷ ୧୦ହଜାର ୯୩୮ଜଣ ମତଦାତା ଅଛନ୍ତି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କିଛି ବୁଥ୍‌ରେ ଉତ୍ତେଜନା ଦେଖାଦେଇଥିବାରୁ ଏବଂ କିଛି ଅବ୍ୟବସ୍ଥା ଦେଖାଦେଇଥିବାରୁ ଦ୍ବିତୀୟ ପର୍ଯ୍ୟାୟରେ ଏହା ଯେପରି ପୁନରାବୃତ୍ତି ନହେବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୭୬.୬୫ ପ୍ରତିଶତ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର