ଭୁବନେଶ୍ବର: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ତାଲିକା। ବିଜ୍ଞାନ, ବାଣିଜ୍ୟ ଓ କଳା କଟଅଫ୍ ମାର୍କରେ କଟକର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୧.୮୩% ସହ ରେଭେନ୍ସା ଶୀର୍ଷରେ ରହିଛି। ସେହିପରି ୮୯.୪୦% ମାର୍କ ସହ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ବିତୀୟ ସ୍ଥାନରେ ରହିଛି । ୮୭.୫୦ % କଟଅଫ୍ରେ ବାଲେଶ୍ବର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି। ସେହିପରି ବାଣିଜ୍ୟରେ ରେଭେନ୍ସା ସାଧାରଣ ବର୍ଗରେ ୮୦.୨୦% କଟଅଫ୍ ରଖି ଶୀର୍ଷରେ ରହିଛି। ୭୮.୬୭% କଟ୍ଅଫ୍ ସହିତ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟରେ ରହିଛି। ୭୩.୫୦ % କଟ୍ଅଫ ସହିତ ଭୁବନେଶ୍ବରର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟ ସ୍ଥାନରେ ରହିଛି। କଳା ବିଭାଗରେ ୮୧.୩୩% କଟ୍ଅଫ୍ ସହ ପ୍ରଥମେ ରହିଛି ରେଭେନ୍ସା, ଦ୍ବିତୀୟରେ ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଟ୍ଅଫ୍ ୭୭.୩୩ % ରହିଛି, ତୃତୀୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୭୬.୮୬% କଟ ଅଫ ମାର୍କ ରହିଛି।
ପ୍ରକାଶଥାଉ କି, ଯୁକ୍ତ ଦୁଇ ପଢ଼ିବା ପାଇଁ ୪ ଲକ୍ଷ ୪୬ ହଜାର ୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥି ମଧ୍ୟରୁ ୪ ଲକ୍ଷ ୧୩ ହଜାର ୮୦୪ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ କଟ୍ଅଫ୍ ମାର୍କ ତାଲିକାରେ ନିଜ ବିଭାଗ ଅନୁଯାୟୀ ଚୟନ କରାଯାଇଛି। କଳା ବିଭାଗରେ ୨ ଲକ୍ଷ ୬୪ ହଜାର ୭୬୬ ଛାତ୍ରଛାତ୍ରୀଙ୍କ ପ୍ରଥମ ପର୍ଯ୍ୟାୟରେ ଚୟନ କରାଯାଇଛି। ସେହିପରି ବିଜ୍ଞାନରେ ୧ ଲକ୍ଷ ୧୭ ହଜାର ୦୮୯ ଜଣ ଏବଂ ବାଣିଜ୍ୟରେ ୨୦ ହଜାର ୫୫୨ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି ସଂସ୍କୃତରେ ୬ ହଜାର ୮୧୧ ଜଣ ଚୟନ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୮୬ ଜଣଙ୍କୁ ଚୟନ କରାଯାଇଛି।