ଭୁବନେଶ୍ୱର: ଚଳିତ ବର୍ଷ ଜୁନ୍‌ ମାସ ୨୭ ତାରିଖରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ଆୟୋଜନ କରିବା ନିମନ୍ତେ ଆଜି ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ୍‌ କାର୍ଯ୍ୟାଳୟଠାରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଓ ଗତବର୍ଷ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୁରୀର ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ ସିସିଟିଭି ଲଗାଇବା, ଟ୍ରାଫିକ ସମସ୍ୟାର ସୁପରିଚାଳନା, ଦଳା ଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ଗାଡ଼ି ପାର୍କିଂ, ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ୍‌, ପୁଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ୍‌ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ। 

Advertisment

ଏହି ବୈଠକରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର, ଏସ୍‌ସିଆର୍‌ବି ନିର୍ଦ୍ଦେଶକ ସନ୍ତୋଷ ଵାଲା, ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଏଡିଜି(ମୁଖ୍ୟାଳୟ) ଦୟାଲ ଗଙ୍ଗୱାର, ଏଡିଜି (ଏସ୍‌ଏପି) ରାଜେଶ କୁମାର, ଆଇଜି (ଟ୍ରେନିଂ) ଅନୁପ କୁମାର ସାହୁ, ଡିଆଇଜି (ଅପରେସନ୍‌) ଅଖିଳେଶ୍ବର ସିଂ, ଡିଆଇଜି (କେନ୍ଦ୍ରାଞ୍ଚଳ) ଚରଣ ସିଂ ମିନା, ଡିଆଇଜି (ଏସଆଇଡବ୍‌ଲ୍ୟୁ) କନୱର ବିଶାଲ ସିଂ, ଭୁବନେଶ୍ବର ଡିସିପି ପିନାକ ମିଶ୍ର, ଏଆଇଜି (ମୁଖ୍ୟାଳୟ) ଯୁଗଳ କିଶୋର କୁମାର ବନୋଥ, ଏଆଇଜି (ମୁଖ୍ୟାଳୟ) ବିବେକାନନ୍ଦ ଶର୍ମା ଓ ପୁରୀ ଏସ୍‌ପି ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।