ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ: ୧୫ ଲକ୍ଷ ଭକ୍ତଙ୍କ ପାଇଁ ପ୍ରଶାସନର ପ୍ରସ୍ତୁତି

ରହିବ ୨୯ ସରକାରୀ ଆମ୍ବୁଲାନ୍ସ, ବେସରକାରୀ ଆମ୍ବୁଲାନ୍ସକୁ ନା
ଚିହ୍ନଟ ହେବ ୧୯ଟି ନୂଆ ପାର୍କିଂ, ମାଳତୀପାଟପୁରରେ ରହିବ ବାହାର ବସ

ପୁରୀ : ତିନିବର୍ଷ ଧରି ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସିଧାସଳଖ ଭାଗନେବାରୁ ବଞ୍ଚିତ ରହିଛନ୍ତି। ବିନା ଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଏଣୁ ଚଳିତ ରଥଯାତ୍ରାରେ ଯଦି କୋଭିଡ୍‌ ସଂକ୍ରମଣର ଭୟ ନ ରୁହେ, ତେବେ ୧୨ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ପାରେ। ଜିଲ୍ଲା ପୁଲିସ ପକ୍ଷରୁ ଏଭଳି ଆକଳନ ପରେ ଆଜି ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକରେ ସେହି ଅନୁଯାୟୀ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଛି। ୧୫ ଲକ୍ଷ ଲୋକଙ୍କ ଆଗମନକୁ ଦୃଷ୍ଟିରେ ରଖି କିଭଳି ଟ୍ରାଫିକ ନିୟନ୍ତ୍ରଣଠାରୁ ଆରମ୍ଭ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇପାରିବ ସେ ଉପରେ ଗୁରୁତ୍ବ ଦିଆଯାଇଛି। ଅଘଟଣ ରୋକିବା ପାଇଁ ରାସ୍ତାଘାଟ, ନାଳ ମରାମତିଠାରୁ ଆରମ୍ଭ କରି ପାର୍କିଂ ସୁବିଧା, ସ୍ବାସ୍ଥ୍ୟସେବା ଆଦିକୁ ଗୁରୁତ୍ବ ଦିଆଯାଇଛି। ଆବଶ୍ୟକ ରଥକାଠରୁ କେତେ ଆସିଛି ଓ ଆଉ କେତେ ଆସିବ, ତାର ସମୀକ୍ଷା କରାଯାଇଛି।

ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସଠାରେ ଅନୁଷ୍ଠିତ ରଥଯାତ୍ରା ସମନ୍ବୟ ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧିକ ଜନ ସମାଗମକୁ ଦୃଷ୍ଟିରେ ରଖି ଆଶୁ ଚିକିତ୍ସା କେନ୍ଦ୍ର, ଡାକ୍ତର ଓ କର୍ମଚାରୀ ମୁତୟନ ପାଇଁ ଗୁରୁତ୍ବାରୋପ କରାଯାଇଥିଲା। ପ୍ରାଥମିକ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଯଦି କୋଭିଡ୍‌ ସଂକ୍ରମଣ ନ ଥାଏ, ତେବେ ରଥଯାତ୍ରାରେ ୨୧୨ଜଣ ଡାକ୍ତର ଓ କର୍ମଚାରୀ, ୨୯ଟି ଆମ୍ବୁଲାନ୍ସ ମୁତୟନ ହେବେ। ଜାତୀୟ ରାଜପଥରେ ୧୦୮ ଆମ୍ବୁଲାନ୍ସ ମୁତୟନ ହେବେ। ବିଶୃଙ୍ଖଳା ଏଡ଼ାଇବା ପାଇଁ ବେସରକାରୀ ଆମ୍ବୁଲାନ୍ସକୁ ବଡ଼ଦାଣ୍ଡ ପ୍ରବେଶରେ କଟକଣା ଲଗାଯାଇଛି। ଏମାନେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାରେ ନିୟୋଜିତ ହେବେ। ଖାଦ୍ୟ ମାନ ଯାଞ୍ଚ ପାଇଁ ୫ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯିବ।

ମିଳିଥିବା ସୂଚନା ମୁତାବକ, ଚଳିତବର୍ଷ ବୃନ୍ଦାବତୀ ଭବନରେ ରଥଯାତ୍ରା ଡ୍ୟୁଟି ପାଇଁ ଆସିବାକୁ ଥିବା ୪୦ ପ୍ଲାଟୁନ୍‌ ଫୋର୍ସ, ୨ଶହ ସ୍ବାସ୍ଥ୍ୟ କର୍ମଚାରୀଙ୍କ ରହିବା ବ୍ୟବସ୍ଥା କରାଯିବ। କୋଭିଡ୍‌ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ। ରଥ ରହିବା ଜଗାରେ ଦୀପଦାନ ପାଇଁ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହେବ। ଯେହେତୁ ପୂର୍ବରୁ ଥିବା ପାର୍କିଂ ସ୍ଥାନ ଆଉ ନାହିଁ, ଏଣୁ ନୂଆ କରି ୧୯ଟି ଜାଗାରେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ ପାଇଁ ଟ୍ରାଫିକ ପୁଲିସ, ଆର୍‌ଟିଓ, ପୌରସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ୧୯ଟି ପାର୍କିଂ ଷ୍ଟାଣ୍ଡ୍‌ ଭିତରେ ବଗଲା ଧର୍ମଶାଳା ଅନ୍ତର୍ଭୁକ୍ତ ରହିଛି। ସେହିଭଳି ପୌରସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ଭକ୍ତଙ୍କ ପାଇଁ ଅସ୍ଥାୟୀ ଶୌଚାଳୟ କରାଯିବ। ମେଘନାଦ ପାଚେରି ଆଲୋକୀକରଣ ହେବ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ଦାଣ୍ଡରେ ୩୦ଟି ଟ୍ୟାଙ୍କର , ୧୨୦ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌ ଓ ପାଣି ସିଞ୍ଚନ କରାଯିବ। ରେଳ ବିଭାଗର ଗୁରୁଦାୟିତ୍ବ ଥିବାରୁ କେତେ କର୍ମଚାରୀ ରହିବେ, ତାର ତାଲିକା ମଗାଯାଇଛି। ସେହିଭଳି ଭୁବନେଶ୍ବର ଆଡ଼ୁ ଆସୁଥିବା ବସଗୁଡ଼ିକ ତାଳବଣିଆ, ବାହାର ଯାତ୍ରୀଙ୍କ ବସଗୁଡ଼ିକ ମାଳତିପାଟପୁର, ବ୍ରହ୍ମଗିରି ପଟୁ ଆସୁଥିବା ବସଗୁଡ଼ିକ ମଙ୍ଗଳାଘାଟ ଛକରେ ପାର୍କିଂ କରିବେ। ଭିଆଇପିଙ୍କ ପାଇଁ ଗଦାଧର ହାଇସ୍କୁଲରେ ପାର୍କିଂ ବ୍ୟବସ୍ଥା ହେବ। ମାଳତୀପାଟପୁରରେ ଶହେ ଗାଡ଼ି, ତାଳବଣିଆରେ ୨ଶହ ଗାଡ଼ି ରହିବାର ବ୍ୟବସ୍ଥା କରାଯିବ। ବୈଠକରେ ଏସ୍‌ପି ଡ. କେ. ବିଶାଳ ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦିଲୀପ କୁମାର ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର