ରାଉରକେଲା: ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବୁଧବାର ସକାଳୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ପାଞ୍ଚ ବର୍ଷର ବ୍ୟବଧାନପରେ ପୁଣି ନିଜ ନିଜ ପସନ୍ଦର ୱାର୍ଡ ସଦସ୍ୟ, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଦସ୍ୟ ବାଛିବେ ଜନସାଧାରଣ। ପ୍ରତ୍ୟାଶୀଙ୍କ ମାରାଥନ୍‌ ପ୍ରଚାର ଶେଷ ହୋଇସାରିଥିବାବେଳେ ଜନସାଧାରଣ ବି ନିଜ ନିଜ ପସନ୍ଦର ପ୍ରାର୍ଥୀ ସ୍ଥିର କରିସାରିଲେଣି। ଅପରପକ୍ଷରେ ନିର୍ବାଚନ ସୁପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ବି ତୟାର୍‌। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ପୋଲିଂ ପାର୍ଟି ନିଜ ନିଜ ଆବଣ୍ଟିତ ପୋଲିଂ ବୁଥ୍‌ରେ ପହଞ୍ଚିସାରିଲେଣି।

Advertisment

ଆସନ୍ତାକାଲି ୪ଟି ବ୍ଲକ, ଯଥା-ଲାଠିକଟା, କୁଆରମୁଣ୍ଡା, ବଡ଼ଗାଁ ଓ ବଣାଇଁରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୪ଟି ବ୍ଲକର ବିଭିନ୍ନ ସ୍କୁଲ, ସେବାଶ୍ରମ, ଆଶ୍ରମ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ବୁଥ୍‌ ସ୍ଥାପନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୬୬ଟି ପଞ୍ଚାୟତରେ ୮୭୩ଟି ପୋଲିଂ ବୁଥ୍‌ରେ ମତଦାନ ହେବ। ଏଥିମଧ୍ୟରୁ ବଡ଼ଗାଁ ବ୍ଲକର ୧୫ଟି ପଞ୍ଚାୟତର ୧୯୭ଟି ବୁଥ୍‌ରେ ମତଦାନ ହେବାକୁ ଥିବାବେଳେ କୁଆରମୁଣ୍ଡା ବ୍ଲକରେ ୨୦ଟି ପଞ୍ଚାୟତରେ ୨୭୧ ବୁଥ୍‌, ଲାଠିକଟା ବ୍ଲକରେ ୧୮ଟି ପଞ୍ଚାୟତରେ ୨୩୩ ବୁଥ୍‌ ଓ ବଣାଇଁଗଡ଼ରେ ୧୩ଟି ପଞ୍ଚାୟତରେ ୧୭୨ ବୁଥ୍‌ରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟର ୪ଟି ବ୍ଲକର ମୋଟ୍‌ ୨ ଲକ୍ଷ ୮୧ ହଜାର ୬୯ ଜଣ ଭୋଟ୍‌ ଦେବେ। ବଡ଼ଗାଁ ବ୍ଲକରେ ୫୫,୮୦୧ ଭୋଟର ଥିବାବେଳେ କୁଆରମୁଣ୍ଡାରେ ୮୩,୨୩୨ ଭୋଟର, ଲାଠିକଟାରେ ୮୯,୯୭୫ ଭୋଟର ଓ ବଣାଇଁରେ ୫୨,୦୬୧ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ଏହି ୪ଟି ବ୍ଲକର ୱାର୍ଡ ସଦସ୍ୟ, ସମିତି ସଭ୍ୟ, ସରପଞ୍ଚଙ୍କ ସମେତ ମୋଟ୍‌ ୯ ଟି ଜିଲ୍ଲା ପରିଷଦ୍‌ ଜୋନ୍‌ରେ ଆସନ୍ତାକାଲି ନିର୍ବାଚନ ଅନୁଷ୍ଠିତ ହେବ। ବଡ଼ଗାଁ-(କ) ଜୋନ୍‌ରେ ୭ଟି ପଞ୍ଚାୟତର ୨୯,୦୧୪ ଜଣ ଓ ବଡ଼ଗାଁ-(ଖ) ଜୋନ୍‌ରେ ୮ଟି ଜୋନ୍‌ର ୨୬,୭୮୭ ଜଣ ଭୋଟ୍‌ ଦେବେ। ଏହାସହ କୁଆରମୁଣ୍ଡା-(କ) ଜୋନ୍‌ରେ ୧୧ ପଞ୍ଚାୟତର ୪୦,୭୩୫ ଜଣ, କୁଆରମୁଣ୍ଡା (ଖ)- ଜୋନ୍‌ରେ ୯ ପଞ୍ଚାୟତର ୪୨,୪୯୭ ଜଣ, ବଣାଇଁ-(କ) ଜୋନ୍‌ରେ ୭ ପଞ୍ଚାୟତର ୨୬,୫୨୫ ଜଣ, ବଣାଇଁ-(ଖ) ଜୋନ୍‌ରେ ୬ ପଞ୍ଚାୟତର ୨୫,୫୩୬ ଜଣ, ଲାଠିକଟା-(କ) ଜୋନ୍‌ରେ ୭ ପଞ୍ଚାୟତର ୨୯,୦୬୬ ଜଣ, ଲାଠିକଟା-(ଖ) ଜୋନ୍‌ରେ ୫ ପଞ୍ଚାୟତର ୩୧,୧୦୫ ଜଣ ଓ ଲାଠିକଟା-(ଗ) ଜୋନ୍‌ରେ ୬ ପଞ୍ଚାୟତର ୨୯,୮୦୪ ଜଣ ମତଦାନ କରିବେ।