କେନ୍ଦୁଝର ଜିଲ୍ଲା ଗାମୁଣ୍ଡା ଟସର ସୋସାଇଟି ପରିସରରେ ରାଜ୍ୟର ପ୍ରଥମ ଟସର ସିଲ୍‌କ ପାର୍କ ଉଦ୍‌ଘାଟିତ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଭଗାମୁଣ୍ଡା ଟସର ସୋସାଇଟି ପରିସରରେ ଆଜି ରାଜ୍ୟର ପ୍ରଥମ ଟସର ସିଲ୍‌କ ପାର୍କ ଉଦ୍‌ଘାଟିତ ହୋଇଛି। ୨ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହ ଓ ୨ କୋଟି ୪୦ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପିତ ନୂତନ ଟସର ସୂତାକଟା ମେସିନ, ହସ୍ତତନ୍ତ ତଥା ଅନ୍ୟାନ୍ୟ ଯନ୍ତ୍ରପାତିକୁ ମୁଖ୍ୟ ଅତିଥି ରାଜ୍ୟ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍‌ଘାଟନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ.ପ୍ରେମାନନ୍ଦ ନାୟକ ଯୋଗଦେଇଥିଲେ। ଏଥିସହିତ ଭଗାମୁଣ୍ଡାରେ ପ୍ରଦର୍ଶନୀ ଓ ବିକ୍ରୟକେନ୍ଦ୍ର, ହରିଚନ୍ଦନପୁର ଓ ବାଂଶପାଳରେ ମୌଳିକ ଟସର ଉତ୍ପାଦନ ବିକ୍ରିର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଟସର ସୋସାଇଟି ପରିସରରେ ଆୟୋଜିତ ସଭାରେ ବୟନଶିଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ଦିଆନ ଅଧିକରୁ ଅଧିକ ଟସର ଚାଷ କରି ଆତ୍ମନିର୍ଭରଶୀଳ ହେବା ଉପରେ ଗୁରୁତ୍ବ ଦେବା ସହ ଭଗାମୁଣ୍ଡାରେ ସେଣ୍ଟ୍ରାଲ ଟସର ନର୍ସରି ସ୍ଥାପନ ବିଷୟରେ ସୂଚନା ଦେଇଥିଲେ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ବର୍ତ୍ତମାନ ଏହି ଟସର ସୋସାଇଟିରେ ୨୦୦ ମହିଳା ଟସର ସୂତା କାଟି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଆଗକୁ ଅଧିକ ମହିଳା ଏଥିରେ ଆତ୍ମନିଯୁକ୍ତି ପାଇପାରିବେ ବୋଲି କହିଥିଲେ।

ହରିଚନ୍ଦନପୁର ଓ ବାଂଶପାଳ ବ୍ଲକରେ ୨୦୧୮-୧୯ ରେ ଟସର ଚାଷ ଓ ଟସର ଚାଷର ବନୀକରଣ (ଅର୍ଜୁନ ଓ ଅସନ ଗଛ ଚାଷ) ପାଇଁ ଡିଏମ୍‌ଏଫ୍‌ରୁ ୩୨କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଥିଲେ। ଯୁଗ୍ମ ନିର୍ଦେଶକ ରେଶମ ବୋର୍ଡ ସୂର୍ଯ୍ୟନାରାୟଣ ପଟ୍ଟନାୟକ କହିଥିଲେ ଯେ ଏହା ରାଜ୍ୟର ପ୍ରଥମ ଟସର ସିଲ୍‌କ ପାର୍କ। ଏହି ଉତ୍ସବରେ ବୟନ ଶିଳ୍ପର ସ୍ବତନ୍ତ୍ର ସଚିବ ବୃନ୍ଦାବନ ବେହେରା, ପରିଚାଳନା ନିର୍ଦେଶକ ସେରିଫାଏଡ୍‌ ସତ୍ୟରଞ୍ଜନ ସାହୁ, ରେଶମ ବୋର୍ଡ ଉପନିର୍ଦେଶକ ଲୁସିଆ ଲାକ୍ରା, କେନ୍ଦ୍ରୀୟ ରେଶମ ବୋର୍ଡର ବୈଜ୍ଞାନିକ ପିକେ କର, କେନ୍ଦ୍ରୀୟ ରେଶମ ବୋର୍ଡର ଉପସଚିବ ଦାଶରଥି ବେହେରା, କେନ୍ଦୁଝରର ସହକାରୀ ନିର୍ଦେଶକ ରେଶମ ବୋର୍ଡ ଲକ୍ଷ୍ମଣ ମୁଣ୍ଡା, ହରିଚନ୍ଦନପୁର ବିଡିଓ ଉମାକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର