ଦେଶର ପ୍ରଥମ ସ୍ମାର୍ଟ ଗ୍ରିଡ୍‌ ଗାଁରେ ଅନ୍ଧାର ରାଜୁତି

ଅନୁଗୁଳ : ଏକଦା ଘଞ୍ଚ ଜଂଗଲ ମଧ୍ୟରେ ରହିଥିବା ଛୋଟକେଇ ଗାଁ ଭାରତର ପ୍ରଥମ ‘ସ୍ମାର୍ଟ ଗ୍ରିଡ ଗାଁ’ର ମାନ୍ୟତା ପାଇ କେବଳ ଅନୁଗୁଳ କାହିଁକି ସାରା ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିଲା। ସାତକୋଶିଆ ଜଂଗଲ ମଧ୍ୟରେ ରହିଥିବା ଏହି ଗାଁରେ ଆରମ୍ଭ ହୋଇଥିଲା ଏକ କୋଟି ଟଙ୍କାର ସୋଲାର ପାୱାର ପ୍ଲାଣ୍ଟ। ହେଲେ ପରିଚାଳନାଗତ ତ୍ରୁଟି ଯୋଗୁଁ ବର୍ଷେରୁ ଅଧିକ ସମୟ ଚାଲିପାରିଲା ନାହିଁ ଏହି ସୌରଶକ୍ତି ପ୍ରକଳ୍ପ। ଏବେ ସନ୍ଧ୍ୟା ହେଲେ ପୂର୍ବ ଭଳି ଛୋଟକେଇ ଗାଁରେ ଚାଲିଛି ଅନ୍ଧାରର ରାଜୁତି।

ଗତ ୨୦୧୬ ମସିହା ସେପ୍‌ଟେମ୍ବର ମାସରେ ଛୋଟକେଇ ଗାଁ ଲୋକାର୍ପିତ ହୋଇଥିଲା ୩୦ କିଲୋୱାଟ ଉତ୍ପାଦନ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ। ୱାର୍ଟଶିଲା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କଂପାନି ସିଏସ୍‌ଆର୍‌ ପାଣ୍ଠିରୁ ୧ କୋଟି ଟଙ୍କା ଯୋଗାଇ ଦେଇଥିଲା। ଛୋଟକେଇ ସୋଲାର ପାୱାର ପ୍ଲାଣ୍ଟ ଭାରତର ପ୍ରଥମ ‘ସ୍ମାର୍ଟ ଗ୍ରିଡ୍‌ ଗାଁ ହେବାକୁ ଥିବାରୁ ‘ସନ୍‌ମୋକ୍ଷ କଂପାନି’ ଏହି ନାନୋଗ୍ରିଡ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ବେଶ୍ ଉତ୍ସାହ ଦେଖାଇଥିଲା। ଏହା ଏକ ସ୍ବୟଂଚାଳିତ ପ୍ରକଳ୍ପ ଥିଲା। ଦିନବେଳା କମ୍ ବିଦ୍ୟୁତ ଦରକାର ପଡ଼ୁଥିବାରୁ ଗାଁରେ ହେବାକୁ ଥିବା ଛୋଟ ‌ଉଦ୍ୟୋଗକୁ ବିଦ୍ୟୁତ ଯୋଗାଇବା ବ୍ୟବସ୍ଥା ଥିଲା। ସନ୍ଧ୍ୟା ହେବା ମାତ୍ରେ ଘରଗୁଡ଼ିକୁ ପୂର୍ଣ୍ଣ କ୍ଷମତାରେ ବିଦ୍ୟୁତ ଯୋଗାଇବା ସହିତ ଷ୍ଟ୍ରିଟ୍ ଲାଇଟ୍‌ ବି ଜଳି ଉଠୁଥିଲା। ତିନିବର୍ଷିଆ ସ୍ମାର୍ଟ ଗ୍ରିଡ୍ ଗ୍ରାମ ପ୍ରକଳ୍ପ ପାଇଁ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟ ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଆବଶ୍ୟକ ଜ୍ଞାନକୌଶଳ ଯୋଗାଇ ଦିଆଯାଇଥିଲା। ଜଂଗଲ ମଧ୍ୟରେ ଅନ୍ଧକାର‌େର ରାତି ବିତାଉଥିବା ଲୋକେ ବିଜୁଳି ସୁବିଧା ପାଇ‌େବ। ‌ଗାଁର ଶିକ୍ଷା, ସ୍ବାସ୍ଥ୍ୟସେବାର ଉନ୍ନତି ‌ହେବା ସହିତ ଛୋଟ ଉଦ୍ୟୋଗ ଜରିଆରେ ଲୋକେ ଆତ୍ମନିର୍ଭରଶୀଳ ବି ହୋଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ, ପରିଚାଳନାଗତ ତ୍ରୁଟି ଯୋଗୁଁ ଏହି ପ୍ରକଳ୍ପ ଅଧିକ ଦିନ ଚାଲିପାରିଲା ନାହିଁ।

ପାଖାପାଖି ୧୫୦ ପରିବାର ରହୁଥିବା ଏହି ଗ୍ରାମବାସୀଙ୍କୁ ଏବେ ବି ଆଗକାଳ ଭଳି ସମୟ ବିତାଇବାକୁ ପଡ଼ୁଛି। ଅବଶ୍ୟ, ଗାଁର ଆର୍ଥିକ ସ୍ବଚ୍ଛଳବର୍ଗର କିଛି ପରିବାର ନିଜ ଘରୋଇ ବ୍ୟବହାର ପାଇଁ ଛୋଟ୍ ସୋଲାର ପ୍ରକଳ୍ପ କରିଛନ୍ତି। ଛୋଟକେଇ ‘ସ୍ମାର୍ଟ ଗ୍ରିଡ ଗାଁ’ ହୋଇଥିବାରୁ ବନ ବିଭାଗ ପକ୍ଷରୁ ଏକ ପ୍ରକୃତି ନିବାସ(ନେଚର କ୍ୟାମ୍ପ) କରାଯାଇଛି। ଏଠାକାର ମନୋରମ ସୌନ୍ଦର୍ଯ୍ୟ ଉପ‌େଭାଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହି ପ୍ରକୃତି ନିବାସକୁ ସମୟ ବିତାଇଥାନ୍ତି। ବନ ବିଭାଗ ପକ୍ଷରୁ ପ୍ରକୃତି ନିବାସ ପାଇଁ ସୋଲାର ପ୍ଲାଣ୍ଟ କରାଯାଇଛି। କିନ୍ତୁ, ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ‘କୋର୍‌ ଜୋନ୍‌’ ରେଆସୁଥିବାରୁ ବିଦ୍ୟୁତ ଯୋଗାଣରୁ ବଂଚିତ ଥିବା ଏହି ଛୋଟକେଇ ଗାଁ ଲୋକଙ୍କୁ ବିଜୁଳି ଯୋଗାଇବା ଦିଗରେ ପଦକ୍ଷେପ ନେଉନାହିଁ। ଜଂଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସହିତ ପ୍ରକୃତି ନିବାସ ପରିଚାଳନାରେ ଗାଁ ଲୋକଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ବନ ବିଭାଗ ଏହି ଗାଁ ପ୍ରତି ସେତେଟା ଦୃଷ୍ଟି ଦେଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର