ଏସ୍‌ସିବିରେ ପ୍ରଥମ ସ୍ୱାଇନ ଫ୍ଲୁ ରୋଗୀ, ମେଡିକାଲ କ୍ୟାମ୍ପସ୍‌ରେ ଆତଙ୍କ

କଟକ : କଟକ ବଡ଼ ଡାକ୍ତରଖାନାରେ ଚିହ୍ନଟ ହୋଇଛନ୍ତି ଚଳିତବର୍ଷର ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ। ସଂପୃକ୍ତ ‌ବ୍ୟକ୍ତି ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ତାଙ୍କୁ ବଡ ଡାକ୍ତରଖାନାର ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସିତ କରାଯାଉଛି। ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହେବା ଘଟଣା ପୁଣି କଟକ ବଡ ଡାକ୍ତରଖାନା ପରିସରରେ ଆତଙ୍କର କାରଣ ହୋଇଛି। ପୂର୍ବରୁ ଏସ୍‌ସିବିରେ ସ୍ବାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ବେଳେ ପରେ ପରେ ଏଥିରେ କେତେ ଜଣ ଡାକ୍ତରୀ ଛାତ୍ର ଆକ୍ରାନ୍ତ ହୋଇଥିଲେ। ଏଭଳି ସ୍ଥିତିରେ ଚଳିତ ବର୍ଷ ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ପୁଣି ହୁଏତ ରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ କଟକ ବଡ ଡାକ୍ତରଖାନାରେ ୩ ଜଣ ସନ୍ଦିଗ୍ଧ ସ୍ବାଇନ ଫ୍ଲୁ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯିବା ସହିତ ସେମାନଙ୍କ ରକ୍ତ ଓ ସ୍ବାବ ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଗବେ‌ଷଣା ତଥା ପରୀକ୍ଷା କେନ୍ଦ୍ରକୁ ପଠା ଯାଇଥିଲା। ୩ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ସେଥିରୁ ଦୁଇଟି ନେଗେଟିଭ୍ ବାହାରିଥିବା ବେଳେ ଗୋଟିଏ ପଜିଟିଭ୍ ରହିଛି। ୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଆବଶ୍ୟକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ଅନ୍ୟ ଦୁଇ ଜଣ କିନ୍ତୁ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି। ବଡ ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ସ୍ବାଇନ ଫ୍ଲୁକୁ ନେଇ ବର୍ତ୍ତମାନ ସ୍ଥିତିରେ ବିଶେଷ ଆତଙ୍କିତ ହେବାର କାରଣ ନାହିଁ। ପରୀକ୍ଷା ପଜିଟିଭ୍ ରହିଥିଲେ ବି ଆବଶ୍ୟକ ଭ୍ୟାକସିନ୍ ଦିଆଯାଇ ରୋଗୀର ସଫଳ ଚିକିତ୍ସା କରାଯାଇ ପାରୁଛି। କିନ୍ତୁ ଏଥିପାଇଁ ସତର୍କତା ଓ ସଚେତନତା ଜରୁରୀ। ଯେଉଁ ରୋଗୀଙ୍କର ପରୀକ୍ଷାରୁ ସ୍ବାଇନ ଫ୍ଲୁ ପଜିଟିଭ ବାହାରିଛି, ତାଙ୍କର ଆବଶ୍ୟକ ଚିକିତ୍ସା ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର