୨୮୪ ବର୍ଷ ପରେ ପୁଣି ଥରେ ବନ୍ଦ ହେବ ରଥଯାତ୍ରା !

ଭୁବନେଶ୍ୱର: ଆଜି ସୁପ୍ରିମ୍‌ କୋର୍ଟ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ଅନୁମତି ପ୍ରଦାନ ନ କରିବା ହେତୁ ଜଗନ୍ନାଥପ୍ରେମୀ ମହଲରେ ଦୁଃଖ ପ୍ରକାଶ ପାଇଛି। ଯେହେତୁ ସର୍ବୋଚ୍ଚ ଅଦାଲତଙ୍କ ରାୟ ସର୍ବମାନ୍ୟ ତେଣୁ ଆପାତତଃ ଆସନ୍ତା ୨୩ ତାରିଖରେ ରଥଯାତ୍ରା ନ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଜରୁରୀ ବୈଠକରେ ଏ ପ୍ରସଙ୍ଗ ଆଲୋଚନା ହେବାକୁ ଯାଉଛି। କ୍ୟାବିନେଟ ଏ ନେଇ କି ନିଷ୍ପତ୍ତି ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

First Time In 284 Yrs, Puri's Jagannath Rath Yatra Unlikely Due To ...

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନିକଟ ଅତୀତରେ ବନ୍ଦ ହେବାର ନଜିର ନାହିଁ। ଇତିହାସ ଅନୁସାରେ, ଗତ ୨୮୪ ବର୍ଷ ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ ହୋଇନାହିଁ। ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସିତ ମହାନ୍ତିଙ୍କ ପ୍ରଦତ୍ତ ଅନୁସାରେ, ୧୫୬୮ ମସିହାରେ ଗଜପତି ମହାରାଜ ମୁକୁନ୍ଦ ଦେବ ମୋଗଲମାନଙ୍କଠାରୁ ପରାଜିତ ହେବାପରେ ଓଡ଼ିଶା ପରାଧୀନ ହୋଇଥିଲା। ମୋଗଲ ଶାସନ ସମୟରେ ବାରମ୍ବାର ପୁରୀ ଉପରେ ଆକ୍ରମଣ ହୋଇଥିଲା, ଫଳରେ ଶ୍ରୀଜଗନ୍ନାଥଙ୍କୁ ମନ୍ଦିର ବାହାରକୁ ନେବାର ଆବଶ୍ୟକତା ଉପୁଜିଥିଲା। ସେସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନୁପସ୍ଥିତି ହେତୁ ରଥଯାତ୍ରା ଅନୁଷ୍ଠିତ ହୋଇ ନ ଥିଲା। ଏହାକୁ ବିଚାରକୁ ନେଲେ ଗତ ୪୫୨ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ୩୨ଥର ରଥଯାତ୍ରା ହୋଇନାହିଁ। ତେବେ ଗତ ୨୮୪ ବର୍ଷ ମଧ୍ୟରେ କେବେ ବି ରଥଯାତ୍ରା ବନ୍ଦ ହୋଇନାହିଁ ବୋଲି ଗବେଷକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

As PM dials Odisha CM, Jagannath temple says rath yatra decision ...

ଶ୍ରୀମନ୍ଦିର ଇତିହାସ ଅନୁସାରେ, ମୋଗଲ ଆକ୍ରମଣ ସମୟରେ ଶ୍ରୀଜଗନ୍ନାଥ ଶେଷ ଥର ଲାଗି ଶ୍ରୀମନ୍ଦିରରୁ ବାହାରି ଗଞ୍ଜାମ ଜିଲ୍ଲା ମାରଦାଠାରେ ରହିଥିଲେ। ସେଠାରୁ ୧୭୩୬ ମସିହାରେ ଶ୍ରୀମନ୍ଦିରକୁ ଫେରିବା ପରେ ଆଉ ମନ୍ଦିର ବାହାରକୁ ଯାଇ ନାହାନ୍ତି। ତେଣୁ ୧୭୩୬ ମସିହାଠାରୁ ରଥଯାତ୍ରା କେବେ ବି ବନ୍ଦ ହୋଇନାହିଁ। ଗବେଷକ ଅସିତ ମହାନ୍ତିଙ୍କ ମତାନୁସାରେ ଏଯାବତ ମାତ୍ର ଥରଟିଏ ୧୬୯୨ ମସିହାରେ ଶ୍ରୀମନ୍ଦିର ଭିତରେ ରଥଯାତ୍ରା ହୋଇଥିବା ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି । ଶ୍ରୀଜିଉଙ୍କ ରଥଯାତ୍ରା ପ୍ରତୀକାତ୍ମକ ଭାବେ ଭୋଗମଣ୍ଡପରେ ସଂପନ୍ନ ହୋଇଥିବା ସୂଚନା ରହିଛି। ମୋଗଲ ସମ୍ରାଟ୍ ଔରଙ୍ଗଜେବଙ୍କ ଶାସନ କାଳରେ ମୋଗଲ ନବାବ ଏକ୍ରାମ ଖାନର ପୁରୀ ଆକ୍ରମଣ ହେତୁ ଶ୍ରୀମନ୍ଦିର ଭିତ‌ରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରଥଯାତ୍ରା ସଂପୂର୍ଣ୍ଣ ବନ୍ଦ ରହିବ ଅଥବା ମନ୍ଦିର ଭିତରେ ରଥଯାତ୍ରା ନୀତିକାନ୍ତି ସମାପିତ ହେବ ତାହା ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା ସମିତି ନିଷ୍ପତ୍ତି ନେବ। ଏ ନେଇ ସେବାୟତ ଓ ଛତିଶା ନିଯୋଗ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। ପୂର୍ବରୁ, ଗଜପତି ମହାରାଜା ଏ ପ୍ରସଙ୍ଗରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର