ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲା ପରେ ପ୍ରଥମ ଗସ୍ତ କଲେ ମୋହନ ମାଝୀ, କଟକରେ ନେତାଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲା ପରେ ମୋହନ ଚରଣ ମାଝୀ ସୋମବାର ପ୍ରଥମ ଥର ଭୁବନେଶ୍ବର ବାହାରକୁ ଗସ୍ତ କରିଛନ୍ତି। ସେ ନିଜର ପ୍ରଥମ ଗସ୍ତରେ କଟକ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭୁବନେଶ୍ବରରୁ କଟକ ଯିବା ପାଇଁ ଆକାଶପଥକୁ ବାଛି ନାହାନ୍ତି। ବରଂ ସେ ସଡ଼କପଥରେ କାର୍‌ରେ ଯାଇଛନ୍ତି। କଟକରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଯାଇଥିଲା। ଶ୍ରୀ ମାଝୀ ମଧ୍ୟ ଲୋକଙ୍କୁ ନିରାଶ କରି ନଥିଲେ। ଜନସାଧାରଣଙ୍କ ସହିତ କଥାବାର୍ତ୍ତା କରିଥିଲେ।

କଟକରେ ପହଞ୍ଚିଲା ପରେ ଶ୍ରୀ ମାଝୀ ନେତାଜୀ ସଂଗ୍ରହାଳୟକୁ ଯାଇଥିଲେ। ସେଠାରେ ସେ  ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସେହିପରି କଟକରେ ଆୟୋଜିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ‌ ଦେଇଛନ୍ତି।

ସୂଚନାଯୋଗ୍ୟ, ଶ୍ରୀ ମାଝୀ ଗତ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଜୁନ ୧୩ ତାରିଖ ଠାରୁ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିଚାଳିତ ହେଉଛି। ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଲୋକଙ୍କର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ସାଧାରଣ ଜନତା ହାତରେ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକ ଭେଟି ଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ଦାବି ଓ ସମସ୍ୟା ମଧ୍ୟ ଶୁଣିଛନ୍ତି।

ସମ୍ବନ୍ଧିତ ଖବର