ସ୍ୱାସ୍ଥ୍ୟକର୍ମୀ, ଗର୍ଭବତୀ ଓ ବୟସ୍କଙ୍କୁ ଆଗ ଟିକା

ଓଡ଼ିଶାକୁ ଟିକା ମିଳିବା ଆଶା ଉଜ୍ଜ୍ବଳ ବୋଲି କହିଲେ ନବୀନ

ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଅଧିକ
୧୦ମ ଓ +୨ ପରୀକ୍ଷା ଆଲୋଚନା ଦାୟିତ୍ବ ମୁଖ୍ୟସଚିବଙ୍କୁ ଦିଆଗଲା
ଧାନ ସଂଗ୍ରହରେ ଅସାଧୁଙ୍କୁ ଜଗିବାକୁ ବିଭାଗକୁ ନିର୍ଦେଶ

ଭୁବନେଶ୍ୱର : ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ୍ ପରିଚାଳନା ସଂକ୍ରାନ୍ତ ସମୀକ୍ଷା ବୈଠକ ପରେ ଏହା ସ୍ପଷ୍ଟ କରିଛନ୍ତି। ଲୋକଙ୍କୁ ସତର୍କ କରି ଏକଥା ବି କହିଛନ୍ତି ଯେ ଟିକା ନେବା ପର୍ଯ୍ୟନ୍ତ ମାସ୍କ ହିଁ ହେଉଛି ସବୁଠାରୁ ଅଧିକ ଫଳପ୍ରଦ ପ୍ରତିରୋଧକ। ଏହା ବ୍ୟତୀତ ସାମାଜିକ ଦୂରତା ଏବଂ ହାତ ଧୋଇବା ଆଦି ସୁରକ୍ଷା ବ୍ୟବସ୍ଥା ଜାରି ରଖିବା ଦରକାର।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେରିକା ଓ ପଶ୍ଚିମ ୟୁରୋପୀୟ ଦେଶ ଏବଂ ନୂଆଦିଲ୍ଲୀରେ ଯେଭଳି କୋଭିଡର ଦ୍ବିତୀୟ ପ୍ରବାହ ଆରମ୍ଭ ହୋଇଛି, ତାକୁ ଦୃଷ୍ଟିରେ ରଖି ଆମେ ସତର୍କତା ଜାରି ରଖିବା ଦରକାର। ଗୋଟିଏ ମାସ ଭିତରେ ଆମେରିକାରେ ସଂକ୍ରମଣ ତିନି ଗୁଣ ବଢିବା ରୋଗର ଗୁରୁତର ଦିଗ ପ୍ରତି ସୂଚାଉଛି। ତେଣୁ ଶୀତ ଋତୁ ପାଇଁ ସତର୍କ ରହିବା ସହିତ କୋଭିଡ ହସ୍‌ପିଟାଲର ଆଇସିୟୁଗୁଡିକୁ ମଧ୍ୟ କାର୍ଯ୍ୟକ୍ଷମ ରଖାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟ ସରକାରଙ୍କ ଆଗୁଆ ଯୋଜନା, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ଏବଂ ବିଭିନ୍ନ ସ୍ତରରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଫଳପ୍ରଦ ତଦାରଖ କାରଣରୁ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଟିକାକରଣ ପାଇଁ ମଧ୍ୟ ଏବେଠାରୁ ସେହି ଅନୁଭବକୁ ଉପଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିସହିତ ଟିକା ମିଳିବାର ଆଶା ଉଜ୍ଜ୍ବଳ ହୋଇଛି। ଅନ୍ୟପକ୍ଷରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ଏବେ ସହାୟକ ହେବ। ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।

ସେହିଭଳି ଲୋକଙ୍କ ଜୀବନ ଜୀବିକା ଯେପରି ବ୍ୟାହତ ନ ହୁଏ, ସେ ଦିଗ ପ୍ରତି ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହାର ନିୟମିତ ସମୀକ୍ଷା ପାଇଁ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ଓଡିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନକାରୀ ରାଜ୍ୟ ଭାବରେ ବିବେଚିତ ହୋଇଥିବା ଏବଂ କଳାହାଣ୍ଡି ଅନ୍ତର୍ଦେଶୀୟ ଜିଲ୍ଲା ଭାବେ ଶ୍ରେଷ୍ଠ ପୁରସ୍କାର ପାଉଥିବାରୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମତ୍ସ୍ୟ ଓ ପଶୁପାଳନ ବିଭାଗ ଓ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଉଲ୍ଲେଖଥାଉକି, କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ପରିଚାଳନା କରାଯାଇପାରିବ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏ ଦିଗରେ ଭାରତ ସରକାର ଏବଂ ଅନ୍ୟ ରାଜ୍ୟମାନେ କଣ ପଦକ୍ଷେପ ନେଉଛନ୍ତି, ତାକୁ ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ସେ କହିଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଶୀତ ଋତୁରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ବ୍ୟବସ୍ଥା ଏବଂ ଜୀବନଜୀବିକା ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶୃଙ୍ଖଳିତ ଟିକାକରଣ ପାଇଁ ନିଆଯାଇଥିବା ପଦଷେପ ସଂପର୍କରେ ଉପସ୍ଥାପନା କରିଥିଲେ।

କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା ରବି ଚାଷ ତଥା ଜୀବିକା ସହାୟତାରେ ଦିଆଯାଇଥିବା ମାଛ, କୁକୁଡା ଚାଷ ଆଦି ବିଷୟରେ ଉପସ୍ଥାପନ ଦେଇଥିଲେ। ମାଛ ତଥା ଅନ୍ୟାନ୍ୟ ଚାଷ କ୍ଷେତ୍ରରେ ସବ୍‌ସିଡି ପାଇବାରେ ଯେପରି ହିତାଧିକାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ସମବାୟ ସଚିବ ସତ୍ୟବ୍ରତ ସାହୁ ଖରିଫ ଧାନ ସଂଗ୍ରହ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୯୭ ହଜାର ଚାଷୀ ପଞ୍ଜୀକୃତ କରିଥିବା ବେଳେ ବରଗଡ, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି ଏବଂ ଡିସେମ୍ବର ମାସ ସୁଦ୍ଧା ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ ।

ଏ ବର୍ଷ ରାଜ୍ୟରେ ପ୍ରଚୁର ଫସଲ ହୋଇଥିବାରୁ ଅନ୍ୟ ରାଜ୍ୟର ଅସାଧୁ ବ୍ୟାବସାୟୀମାନେ ଯେପରି ସଂଗ୍ରହ କାର୍ଯ୍ୟରେ ଫାଇଦା ନ ନିଅନ୍ତି, ସେଥିପ୍ରତି ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉନ୍ନୟନ କମିସନର, ପୁଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ କମିସନର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର