ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶୀତର ପହିଲି ସ୍ପର୍ଶ ଅନୁଭୂତ ହୋଇଛି। ଗତକାଲି ଠାରୁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ଆଜି ସକାଳୁ ସକାଳୁ ଥଣ୍ଡା ଅନୁଭୂତ ହୋଇଛି। ଦିନରେ ସାମାନ୍ୟ ଗ୍ରୀଷ୍ମ ଅନୁଭୂତ ହେଉଥିବା ବେଳେ ରାତିରେ ଶୀତ ଲାଗୁଛି। ସକାଳ ସମୟରେ ଘନ କୁହୁଡ଼ି ମଧ୍ୟ ପଡ଼ିଲାଣି। ଗତ ସପ୍ତାହରେ ସର୍ବନିମ୍ନ ତାପମାତ୍ରା ୩୦ ଡିଗ୍ରି ଉପରେ ଥିଲାବେଳେ ହଠାତ୍ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ଆଜି ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରି ଥିବାବେଳେ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୧୮.୫ ଡିଗ୍ରି ରହିଛି। ଫୁଲବାଣୀ ସମେତ ଦାରିଙ୍ଗିବାଡ଼ି, ବେଲଘର, ଘୁ.ଉଦୟଗିରି, କୋଟଗଡ଼, ସୁବର୍ଣ୍ଣଗିରି, ରାଇକିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ଅନୁଭୂତ ହେଉଛି।
ଆଜି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା। ଆଜି ଫୁଲବାଣୀ ସହରରେ ସକାଳ ୮ଟା ବେଳକୁ ସୂର୍ଯ୍ୟ ଦୃଶ୍ୟମାନ ହୋଇଥିଲେ। ଘନ କୁହୁଡ଼ି ଯୋଗୁଁ ସକାଳ ସମୟରେ ରାସ୍ତାରେ ଚାଲିଲା ବେଳେ ମୁହଁକୁ ମୁହଁ ଦିଶୁ ନଥିବାରୁ ଯାତାୟାତରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଘନ କୁହୁଡ଼ି କାରଣରୁ ଯାନବାହନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଥଣ୍ଡା ପଡ଼ିବାରୁ ଲୋକେ ମର୍ଣ୍ଣିଂୱାକରେ ବାହାରି ପଡ଼ିଲେଣି ଏବଂ ଚା’ ଖଟିରେ ଭିଡ଼ ଜମାଇଲେଣି। ଗତ ସପ୍ତାହେ ଧରି ପ୍ରତିଦିନ ୧ ଡିଗ୍ରି ଲେଖାଏଁ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଫୁଲବାଣୀ, ଦାରିଙ୍ଗିବାଡ଼ିର ହାଲୁକା ଶୀତର ମଜା ନେବାକୁ ପର୍ଯ୍ୟଟକମାନେ କନ୍ଧମାଳମୁହାଁ ହେଲେଣି। ବିଭିନ୍ନ ପର୍ଯ୍ୟଟନସ୍ଥଳରେ ଧୀରେ ଧୀରେ ଗହଳି ଜମିଲାଣି। ଅନ୍ୟପଟେ, ଗତକାଲି ରାତିରୁ ଥଣ୍ଡା ପଡ଼ିବାରୁ ଶୀତବସ୍ତ୍ର ଓ କମ୍ବଳ ବାହାର କରିବାକୁ ପଡ଼ିଲାଣି ବୋଲି ଫୁଲବାଣୀ ସହରର ବରିଷ୍ଠ ନାଗରିକ ବନବିହାରୀ ନନ୍ଦ ପ୍ରକାଶ କରିଛନ୍ତି। ଗତବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରୁ ଶୀତ ପଡ଼ିଥିବା ବେଳେ ଏବର୍ଷ ସାମାନ୍ୟ ବିଳମ୍ବ ହୋଇଛି।