ସମ୍ବଲପୁରରେ ରାଜ୍ୟର ପ୍ରଥମ ମହିଳା ଡାକଘର ଉଦ୍‌ଘାଟିତ

ପୋଷ୍ଟାଲ ଷ୍ଟାମ୍ପରେ ସ୍ଥାନିତ ହେବ ଜିଏମ୍‌ୟୁ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର : ମହିଳା ସଶକ୍ତୀକରଣ ସାଙ୍ଗକୁ ମହିଳାଙ୍କ ସୁବିଧା ଉଦ୍ଦେଶ୍ୟରେ ସମ୍ବଲପୁରର ଗୋଲବଜାରଠାରେ ରାଜ୍ୟର ପ୍ରଥମ ମହିଳା ଡାକଘର ଉଦ୍‌ଘାଟିତ ହୋଇଯାଇଛି।

ସମ୍ବଲପୁର ଡିଭିଜନ ପୋଷ୍ଟାଲ ଅଧୀକ୍ଷକ ବାନାମ୍ବର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଡାକ ଘରର ଉଦ୍‌ଘାଟନ କରିଥିଲେ। ଏହି ଡାକ ଘରେ ସମସ୍ତ କର୍ମଚାରୀ ମହିଳା ରହୁଥିବାବେଳେ ମହିଳାଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ସୁଯୋଗ ଉପଲବ୍ଧ ହେବ ବୋଲି ଶ୍ରୀ ସେଠୀ କହିଥିଲେ।

ସୂଚନା ଅନୁସାରେ, ଏଠାରେ ଜଣେ ପୋଷ୍ଟମାଷ୍ଟର, ପୋଷ୍ଟାଲ ଆସିଷ୍ଟାଣ୍ଟ ଓ ଜଣେ ପିଅନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଗୋଲବଜାରରେ ଥିବା ପୁରୁଣା ପୋଷ୍ଟ ଅଫିସ୍‌କୁ ମହିଳା ପୋଷ୍ଟ ଅଫିସ୍‌ ଭାବେ ଘୋଷଣା କରାଯାଇଥିବା ବେଳେ ମୁଦିପଡ଼ାସ୍ଥିତ ଡାକଘରକୁ ମଧ୍ୟ ଖୁବ୍‌ଶୀଘ୍ର ମହିଳା ଡାକଘର ଭାବେ ଘୋଷଣା କରାଯିବ ବୋଲି ସେଠାରେ ଘୋଷଣା କରାଯାଇଥିଲ‌ା।

ପୋଷ୍ଟାଲ ଷ୍ଟାମ୍ପରେ ସ୍ଥାନିତ ହେବ ଜିଏମ୍‌ୟୁ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ

ସମ୍ବଲପୁର : ରାଜ୍ୟର ଉତ୍କଳ ବିଶ୍ବବିଦ୍ୟାଳୟ ଓ ଫକୀର ମୋହନ ବିଶ୍ବବିଦ୍ୟାଳୟ ପରେ ଏବେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ମଧ୍ୟ ପୋଷ୍ଟାଲ ଷ୍ଟାମ୍ପ ଖୁବ୍‌ଶୀଘ୍ର ଉପଲବ୍ଧ ହେବ। ସୋମବାର ସମ୍ବଲପୁର ପିଏମ୍‌ଜି କାର୍ଯ୍ୟାଳୟ‌ରେ ଏନେଇ ପୋଷ୍ଟାଲ ଅଧୀକ୍ଷକ ବାନାମ୍ବର ସେଠୀ ସୂଚନା ପ୍ରଦାନ କରିଛନ୍ତି। ଏହା ସହିତ ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ସ୍ବାଧୀନତା ସଂଗ୍ରମୀଙ୍କୁ ନେଇ ଏକ ସମନ୍ବିତ ପୋଷ୍ଟାଲ ଷ୍ଟାମ୍ପ ପ୍ରଚଳନ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର