ଝାରସୁଗୁଡ଼ା : ଝାରସୁଗୁଡ଼ା ସହରରେ ପ୍ରଦୂଷଣ ଉଦ୍ବେଗଜନକ ଭାବରେ ବୃଦ୍ଧି ପାଉଛି। ଏହାର କୁପ୍ରଭାବ ସିଧାସଳଖ ଜୀବଜଗତ ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଝାରସୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଳାଶୟଗୁଡ଼ିକରେ କିଛିଦିନ ଅନ୍ତରରେ ମାଛ ମଡ଼କ ଦେଖା ଯାଇଥାଏ। ଗତ ୨/୩ ଦିନ ହେଲା ଝାରସୁଗୁଡ଼ା ମଧ୍ୟଭାଗରେ ଥିବା ପୁରୁଣାବସ୍ତି ବନ୍ଧରେ ହଜାର ହଜାର ମାଛ ମରି ଭାସୁଥିବା ଦେଖାଯାଇଛି। ମାଛଗୁଡ଼ିକ କିଭଳି ଓ କାହିଁକି ମରି ଯାଉଛନ୍ତି ସେ ନେଇ କୌଣସି ତଥ୍ୟ ହସ୍ତଗତ ହୋଇ ନଥିଲେ ମଧ୍ୟ ଦ୍ରୁତ ପ୍ରଦୂଷଣ ହିଁ ଏହାର ଅନ୍ୟତମ କାରଣ ବୋଲି କୁହାଯାଉଛି।
ଝାରସୁଗୁଡ଼ା ସହରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ପୌରସଂସ୍ଥା ଦୀର୍ଘ ବର୍ଷ ହେଲା ନିଷ୍କ୍ରିୟ ହୋଇ ରହିଛି। ସହର ଭିତରେ କୌଣସି ନାଳ ନିୟମିତ ସଫା ହେଉନି। ବର୍ଷ ବର୍ଷ ଧରି ନର୍ଦ୍ଦମା ପାଣି ଘର ଆଗରେ ଲହଡ଼ି ମାରୁଛି। ବର୍ଷା ହେଲେ ନାଳର ପାଣି ବୋହି ଯାଇ ବିଭିନ୍ନ ଜଳାଶୟରେ ମିଶୁଛି। ପୁରୁଣାବସ୍ତି ବନ୍ଧରେ ସହରର ଅଧା ଅଞ୍ଚଳର ନର୍ଦ୍ଦମା ପାଣି ସିଧାସଳଖ ମିଶୁଥିବା ଅଭିଯୋଗ ହୋଇଛି। ଏହି ବିଷାକ୍ତ ପାଣି ଜଳାଶୟରେ ମିଶିବା ଯୋଗୁଁ ବନ୍ଧକଟାଗୁଡ଼ିକ ପ୍ରଦୂଷିତ ହୋଇ ମାଛ ମରି ଭାସୁଥିବା କୁହାଯାଉଛି। ବିଭିନ୍ନ କାରଖାନାରୁ ନିର୍ଗତ ବର୍ଜ୍ୟ ବର୍ଷା ପାଣିରେ ଭାସି ଜଳାଶୟରେ ମିଶୁଛି। ଏହାଦ୍ବାରା ଜଳାଶୟଗୁଡ଼ିକ ମଧ୍ୟ ପ୍ରଦୂଷିତ ହେଉଥିବା ଅନୁମାନ କରାଯାଉଛି। ବନ୍ଧରେ ମାଛ ମରି ଭାସୁଥିବା ବେଳେ ଏହି ପାଣି ବିଷାକ୍ତ ହୋଇଯାଇଥିବା ଅନୁମାନ କରି ଲୋକେ ଏହି ବନ୍ଧ ପାଣିକୁ ବ୍ୟବହାର କରିବାକୁ ଭୟ କଲେଣି।
ତେବେ ଏହି ଅଞ୍ଚଳରେ ବନ୍ଧ ଉପରେ ଶହ ଶହ ଲୋକ ନିର୍ଭର କରନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ଏହି ପ୍ରଦୂଷିତ ପାଣିକୁ ବ୍ୟବହାର କରୁଛନ୍ତି। ଏହି ପାଣି ବ୍ୟବହାର କରୁଥିବା ଲୋକ ବିଭିନ୍ନ ପ୍ରକାର ଚର୍ମରୋଗ ଓ ସଂକ୍ରାମକ ରୋଗର ଶିକାର ହେବା ସମ୍ଭାବନା ଦେଖା ଦେଇଛି। ପ୍ରଶାସନ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।