ବାଲିଅନ୍ତା: ସ୍ଥାନୀୟ ବେଣ୍ଟପୁରସ୍ଥିତ କୁଶଭଦ୍ରା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଜଣେ ସେଠାରେ ଟଳିପଡ଼ିଥିଲେ। ମୃତକ ହେଲେ ସ୍ଥାନୀୟ ବେଣ୍ଟପୁର ଦିୱାନପାଟଣା ଗ୍ରାମର ଶୀଧର ବେହେରା(୫୬)। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ସହକର୍ମୀମାନେ ଶୀଧରଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୁଚନା ଅନୁସାରେ ଶୀର୍ଧରଙ୍କର ନିକଟସ୍ଥ ଡେଲଟା ବଜାରରେ ମାଛ ଦୋକାନ ଅଛି। ଦୋକାନ ପାଇଁ ସେ ଆଖପାଖ ନଦୀ ପୋଖରୀରୁ ମାଛ ସଂଗ୍ରହ କରିଥାନ୍ତି। ଗତକାଲି ରାତିରେ କୁଶଭଦ୍ରା ନଦୀରେ ସେ ଫାସି ଜାଲ ଟାଣିଥିଲେ। ଆଜି ଭୋର ସମୟରେ ସେ ଅନ୍ୟ ସହକର୍ମୀଙ୍କ ସହ ମିଶି ଜାଲ ଟାଣୁଥିବା ବେଳେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ତାଙ୍କ ମୃତ୍ୟୁରେ ଆଜି ଡେଲଟା ବଜାର ବନ୍ଦ ରହିବା ସହ ବ୍ୟବସାୟୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।