ଲକ୍ଷେ କୋଟି ଟଙ୍କାର ମାଛ ରପ୍ତାନି ଲକ୍ଷ୍ୟ

 ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ବାଲେଶ୍ବର ଶ୍ରେଷ୍ଠ

ପାରାଦୀପ ହେବ ବୃହତ୍‌ ମଛଧରା ବନ୍ଦର
ଓଡ଼ିଶାର ୯୪% ଲୋକ ମାଛ ଖାଆନ୍ତି
ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୯ ଗୁଣ ବୃଦ୍ଧି

ଭୁବନେଶ୍ବର : ମାଛ ଉତ୍ପାଦନରେ ଓଡ଼ିଶା ଦେଶରେ ୪ର୍ଥ ସ୍ଥାନରେ ରହିଛି। ମାତ୍ର ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ବାଲେଶ୍ବର ଜିଲ୍ଲା ସାରା ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛି। ଦେଶର ଅନ୍ୟାନ୍ୟ ଉପକୂଳବର୍ତୀ ଜିଲ୍ଲାଗୁଡ଼ିକ ତୁଳନାରେ ଏଠାରେ ଉତ୍ପାଦନ ବହୁ ଅଧିକ। ସେହିପରି ମାଛ ଯାଁଳ ଉତ୍ପାଦନରେ ବଲାଙ୍ଗୀର ଜିଲ୍ଲାର ସୁମନ ଫିସ୍‌ ଫିଡ୍‌ ଫାର୍ମ ଦେଶରେ ଶ୍ରେଷ୍ଠ ହୋଇଛି। ଏଥିପାଇଁ ବିଶ୍ବ ମତ୍ସ୍ୟ ଚାଷ ଦିବସ ଅବସରରେ କେନ୍ଦ୍ର ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ବର ରେଳ ‌ଅଡିଟୋରିମ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଂସ୍ଥାକୁ ପୁରସ୍କୃତ କରାଯାଇଛି।

କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ସାମୁଦ୍ରିକ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ରାଜ୍ୟଗୁଡ଼ିକ ନୂତନ ବିକଳ୍ପ ସନ୍ଧାନ ଏବଂ ପରସ୍ପରର କାର୍ଯ୍ୟରେ ଅନୁପ୍ରାଣିତ ହେବାର ଆବଶ୍ୟକତା ରହିଛି। କିଷାନ୍‌ କ୍ରେଡିଟ୍‌ କାର୍ଡ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଲାଗି ଖୁବ୍‌ଶୀଘ୍ର ଏକ ବଡ଼ ଅଭିଯାନ ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଥିଲେ। କେନ୍ଦ୍ର ମତ୍ସ୍ୟ ରାଷ୍ଟ୍ରମନ୍ତ୍ରୀ ଏଲ୍‌ ମୁରୁଗାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦେଶ ଏବେ ୧ ଲକ୍ଷ କୋଟି ଟଙ୍କାର ଆୟ ସୃଷ୍ଟି କରିବା ଲାଗି ମହତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଧାରଣ କରିଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ୨୦ହଜାର କୋଟି ଟଙ୍କାର ପାଣ୍ଠି ବିନିଯୋଗ ହୋଇଛି। ସାମୁଦ୍ରିକ ଶୈବାଳ ଚାଷ ଉପରେ ଗୁରୁତ୍ବାରୋପ କରାଯାଉଛି। ଦେଶର ୫ଟି ପ୍ରମୁଖ ବନ୍ଦରକୁ ବୃହତ୍‌ ମାଛଧରା ବନ୍ଦର ଭାବେ ବିକଶିତ କରାଯାଉଛି। ସେଥିରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।

ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ସଚିବ ଆର୍‌. ରଘୁପ୍ରସାଦ କହିଲେ, ୧୫.୮୯ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଓ ଯୁବଗୋଷ୍ଠୀ ସମ୍ପୃକ୍ତ ଥିବା ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାର ଅଗ୍ରାଧିକାର ଦେଉଛନ୍ତି। ଓଡ଼ିଶାର ୪୮୦ କିମି ସୁଦୀର୍ଘ ଉପକୂଳ, ୪.୧୮ ଲକ୍ଷ ହେକ୍ଟର କ୍ଷାର ଜଳକ୍ଷେତ୍ର, ୬.୮୬ ଲକ୍ଷ ହେକ୍ଟର ମଧୁର ଜଳକ୍ଷେତ୍ର ଭାରତର ମତ୍ସ୍ୟ ସମ୍ପଦକୁ ସମୃଦ୍ଧ କରୁଛି। ଗତ ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ କ୍ଷେତ୍ରରେ ବାର୍ଷିକ ୧୩% ଅଭିବୃଦ୍ଧି ଘଟିଛି। ଓଡ଼ିଶାର ୯୪ ଭାଗ ଲୋକ ମାଛ ଖାଇବାକୁ ଭଲ ପାଆନ୍ତି। ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୯ ଗୁଣ ବୃଦ୍ଧି ପାଇ ୬୧ହଜାର ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ଏହାର ମୂଲ୍ୟ ୩୧୦୮ କୋଟି ଟଙ୍କା।

ରାଜ୍ୟ ସରକାରଙ୍କ ଦ୍ବାରା ଚାଷୀଙ୍କୁ ବାର୍ଷିକ ୧୦୦ କୋଟି ଟଙ୍କାର ସବ୍‌ସିଡି ପ୍ରଦାନ କରାଯାଉଛି। ମିସନ୍‌ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ୮ହଜାର ୩୦୦ ଏସ୍‌ଏସ୍‌ଜି ମଧୁର ଜଳ ମାଛ ଚାଷରେ ନିୟୋଜିତ ଅଛନ୍ତି। ଜଳଭଣ୍ଡାରଗୁଡ଼ିକରେ ପଞ୍ଜୁରି ଭିତରେ ମାଛ ଚାଷ ନିମନ୍ତେ ଏହାର ଜଳ ଭାଗକୁ ଲିଜ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କ ନୀତି ନିର୍ଦ୍ଧାରଣ କରିଛନ୍ତି। ବାୟୋଫ୍ଲକ୍‌ ମାଛ ଚାଷକୁ ପ୍ରୋତ୍ସାହିତ କରିବା ଲାଗି ସବ୍‌ସିଡି ବାବଦରେ ଗତ ଦୁଇ ବର୍ଷରେ ରାଜ୍ୟ ସରକାର ୪୦ କୋଟିରୁ ଅଧିକ ଅର୍ଥ ବ୍ୟୟ ବରାଦ ହୋଇଛି। ଏହି ଅବସରରେ ମତ୍ସ୍ୟ ସମ୍ପର୍କିତ ବିଭିନ୍ନ ପୋଷ୍ଟର, ଜିଙ୍ଗଲ ମଧ୍ୟ ଉନ୍ମୋଚନ କରାଯାଇଥିଲା।

ସମ୍ବନ୍ଧିତ ଖବର