ଭଦ୍ରକ: ମତ୍ସ୍ୟ ଚାଷର ବିକାଶ ପାଇଁ ୧୯୮୦ ମସିହାରେ ଭଦ୍ରକ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା ଏକ ମତ୍ସ୍ୟ ଯାଆଁଳ ପ୍ରକଳ୍ପ। ଭଦ୍ରକ ବ୍ଲକ ଅନ୍ତର୍ଗତ ଓଲଙ୍ଗ ପଞ୍ଚାୟତର ସରମଙ୍ଗା ମେଜାରେ ୩୦ ଏକର ଜମି ଉପରେ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ମତ୍ସ୍ୟ ଯାଆଁଳ ଉତ୍ପାଦନ କରାଯାଇ ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ମତ୍ସ୍ୟ ଚାଷୀଙ୍କୁ ଶୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଥିଲା। ଉଦ୍ଦେଶ୍ୟ ଥିଲା ଜିଲ୍ଲାରେ ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହିତ କରିବା। ସେମାନଙ୍କୁ ଉନ୍ନତମାନର ମତ୍ସ୍ୟ ଯାଆଁଳ ଯୋଗାଇ ଦେବା ସହ ସେମାନେ ମତ୍ସ୍ୟ ଚାଷକୁ ନିଜର ଜୀବନ ଜୀବିକା ଭାବେ ଗ୍ରହଣ କରିବେ।
ମତ୍ସ୍ୟ ଚାଷ କରି ଲୋକେ ନିଜର ଆର୍ଥିକ ମାନଦଣ୍ଡର ଉନ୍ନତି କରିବେ। ଏଇ ଯାଆଁଳ କେନ୍ଦ୍ରରୁ କେବଳ ଭଦ୍ରକ ଜିଲ୍ଲାର ମତ୍ସ୍ୟ ଚାଷୀଙ୍କୁ ଯାଆଁଳ ଯୋଗାଇ ଦିଆଯାଉଥିଲା ତାହା ନୁହେଁ, ବରଂ ପଡୋଶୀ ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଯାଜପୁର,କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ମତ୍ସ୍ୟ ଚାଷୀମାନେ ମଧ୍ୟ ଏଇ ଯାଆଁଳ କେନ୍ଦ୍ର ଉପରେ ନିର୍ଭର କରୁଥିଲେ। ସେ ସମୟରେ ଜିଲ୍ଲାର ମତ୍ସ୍ୟ ଚାଷୀମାନଙ୍କୁ ଯାଆଁଳ କେନ୍ଦ୍ର ବେଶ୍ ସହାୟକ ହେଉଥିଲା।
/sambad/media/post_attachments/13e3bb45edf925d4a4381d2a50a286aa4dfc3f2bcf4552ebc71132127d43218a.jpg)
୧୯୮୦ରୁ ୨୦୦୫ ମସିହା ପର୍ଯ୍ୟନ୍ତ ଯାଆଁଳ କେନ୍ଦ୍ର ବେଶ୍ ଭଲ ଭାବେ ପରିଚାଳିତ ହେଉଥିଲା। ଏହାର ରକ୍ଷଣା ବେକ୍ଷଣ କରାଯାଉଥିଲା। ଏବେ ଏହାର ପରିସର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଏହି ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତି ଜିଲ୍ଲା ମତ୍ସ୍ୟ ବିଭାଗ ଆଉ ଗୁରୁତ୍ୱ ଦେଲାନାହିଁ। ସାରା ରାଜ୍ୟ କେବଳ ନୁହେଁ, ଯେତେବେଳେ ସାରା ଦେଶ ମତ୍ସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛି, ସେତେବେଳେ ଭଦ୍ରକ ଜିଲ୍ଲାରେ ମତ୍ସ୍ୟ ବିଭାଗ ଏଇ ବିଭାଗ ଉପରେ ଆଉ ଗୁରୁତ୍ୱ ଦେଉନାହିଁ। ବିଶେଷ କରି ମଧୁର ଜଳରେ ମତ୍ସ୍ୟ ଚାଷ ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ମତ୍ସ୍ୟ ଚାଷ ପାଇଁ ଆବଶ୍ୟକ ଉପକରଣ ଓ ମତ୍ସ୍ୟ ଚାଷ ପାଇଁ ପୋଖରୀ ଖୋଳିବା ବାବଦରେ ସବ୍ସିଡରେ ଚାଷୀଙ୍କୁ ଋଣ ଯୋଗାଇ ଦିଆଯାଉଛି। କିନ୍ତୁ ଜିଲ୍ଲାରେ ମଧୁର ଜଳରେ ମତ୍ସ୍ୟ ଚାଷ ଏବେ ତା'ର ଗୁରୁତ୍ୱ ହରାଇଲା ଭଳି ମନେ ହେଉଛି।
ପୂର୍ବରୁ ଜିଲ୍ଲାରେ ଗାଁ ଗହଳିରେ ଥିବା ଲୋକଙ୍କର ପୋଖରୀ ଓ ଗାଡିଆରେ ମାଛ ଚାଷ କରିବା ପାଇଁ ସରକାର ପ୍ରୋତ୍ସାହିତ କରୁଥିଲେ। ନିଜର ପୁରୁଣା ପୋଖରୀକୁ ପୁର୍ନରୁଦ୍ଧାର କରି ସେଠାରେ ଉନ୍ନତ କିସମର ମତ୍ସ୍ୟ ଯାଆଁଳ ଯୋଗାଇ ଦେଉଥିଲା। ଏବେ ଜିଲ୍ଲା ମତ୍ସ୍ୟ ବିଭାଗ ଚୁଲିକୁ ଗଲାଣି। ଭଦ୍ରକ ଜିଲ୍ଲା ଫିସରୀ ଅଫିସର କେହି ମା' ବାପ ଥିଲା ପରି ଲାଗୁ ନାହିଁ। ସରମଙ୍ଗାଠାରେ ସେ ସମୟରେ ନିର୍ମାଣ କରାଯାଇଥିବା ମତ୍ସ୍ୟ ଯାଆଁଳ କେନ୍ଦ୍ରର ଦୂରାବସ୍ଥା ଦେଖିଲେ ଭଦ୍ରକ ଜିଲ୍ଲାର ଫିସରୀ ବିଭାଗର ଅଚଳାବସ୍ଥାକୁ ବେଶ୍ ଭଲ ଭାବେ ବୁଝି ହେଉଛି। ୩୦ ଏକର ଜମି ଉପରେ ସରମଙ୍ଗା ଫିସରୀ ହାଚେରୀ କେନ୍ଦ୍ର ମଧ୍ୟରେ ପ୍ରାୟ ୨୦ଟିରୁ ଉର୍ଦ୍ଧ୍ଵ ବଡବଡ ପୋଖରୀ ଖୋଳାଯାଇ ମତ୍ସ୍ୟ ଯାଆଁଳ ଉତ୍ପାଦନ କରାଯାଉଥିଲା।
ରାନ୍ଦିଆଠାରେ ବାଉଦପୁର ଷ୍ଟେସନ୍ ଆଡକୁ ଯିବା ବେଳେ ଯେଉଁ ସବୁ ଫିସରୀ ପୋଖରୀ ଯାଆଁଳ ଉତ୍ପାଦନ ପାଇଁ ଖୋଳା ହୋଇଥିଲା, ସେ ଫିସରୀ ବନ୍ଧର ଚମକ ଆଉ ନାହିଁ। ସମୟକ୍ରମେ ଭଦ୍ରକ ଜିଲ୍ଲାର ଏଇ ଦୁଇ ପ୍ରମୁଖ ଫିସରୀ ହାଚେରୀ ପୋଖରୀଗୁଡିକ ତାର ଗୁରୁତ୍ୱ ହରାଇ ବସିଛି। ଏପରି ପରିତ୍ୟକ୍ତ କରି ଏଇ ଯାଆଁଳ କେନ୍ଦ୍ରକୁ ପକାଇବା ପଛରେ କଣ ରହିଛି ରହସ୍ୟ। ଜିଲ୍ଲା ଫିସରୀ ଅଫିସ୍ ବନ୍ତଛକଠାରେ ରହିଥିବା ବେଳେ ଏହାର ଅଧିକାରୀ ଓ କର୍ମଚାରୀ ଭଦ୍ରକର ସରମଙ୍ଗାସ୍ଥିତ ଏଇ ପ୍ରମୁଖ ମତ୍ସ୍ୟ ଯାଆଁଳ କେନ୍ଦ୍ରକୁ କାହିଁକି ଏଭଳି ପରିତ୍ୟକ୍ତ କରି ପକାଇଛନ୍ତି, ତାହାକୁ ନେଇ ଜିଲ୍ଲାର ମତ୍ସ୍ୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି।