କୁଣ୍ଡରେ ହେବ ମାଛ ଚାଷ, ବାୟୋଫ୍ଲକ୍‌ ପଦ୍ଧତିରେ ଚାଷ କରିବାକୁ ସରକାରଙ୍କ ପ୍ରୋତ୍ସାହନ

କମ୍‌ ଜମି ଥିବା ବ୍ୟକ୍ତିଙ୍କ ପାଇଁ ନୂଆ ରୋଜଗାର ପନ୍ଥା

ଭୁବନେଶ୍ବର : ଏଣିକି କୁଣ୍ଡରେ ହେବ ମାଛ ଚାଷ। କମ ଜମି କିମ୍ବା ଛାତ ଉପରେ ବି ବାୟୋଫ୍ଲକ୍‌ (ଜୈବପୁଞ୍ଜ) ପଦ୍ଧତିରେ ସଘନ ମାଛ ଚାଷ କରାଯାଇପାରିବ। ଏଥିପାଇଁ ସରକାର ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ। ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏ ନେଇ ନୂତନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଦ୍ବାରା ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବକ ଯୁବତୀ ଓ ଅଗ୍ରଣୀ ମତ୍ସ୍ୟଚାଷୀଙ୍କୁ ଜୀବିକା ସହାୟତା ମିଳିପାରିବ। ଖାଲିସେତିକି ନୁହେଁ, ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସ୍ବାବଲମ୍ବୀ ହୋଇପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି।

ବିଭାଗ ପକ୍ଷରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ, ଅଧିକ ଜମି ଓ ଜଳ ସମ୍ପଦ ଉପଯୋଗ ନ କରି ସୀମିତ ସ୍ଥାନରେ ସଘନ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବାୟୋଫ୍ଲ୍‌କ୍‌ ଏକ ନୂତନ ଜ୍ଞାନ କୌଶଳ ବିକାଶ ହୋଇଛି। ଏଥିରେ ମାତ୍ର ୧୫୦ରୁ ୨୦୦ ବର୍ଗମିଟର ପରିମିତ ଜମିରେ ମାଛ ଚାଷ କରାଯାଇପାରିବ। ସହରାଞ୍ଚଳର ପାଇପ୍‌ ଜଳ କିମ୍ବା ନଳକୂପ ଜଳକୁ ଉପଯୋଗ କରି ଜଣେ ଚାଷୀ ସ୍ବଳ୍ପ ଖର୍ଚ୍ଚରେ ମାଛ ଉତ୍ପାଦନ କରିବାରେ ସକ୍ଷମ ହେବେ।

ଏହି ପଦ୍ଧତିରେ ବଜାରରେ ଚାହିଦା ଥିବା ମଧୁରଜଳ ମାଛ ଯେପରିକି ଗିଫ୍‌ଟ୍‌ ଟିଲାପିଆ, ମାଗୁର, ଜଳଙ୍ଗ, କଉ, ବିଲାତି ରୋହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ ଅଟେ। ବାୟୋଫ୍ଲକ୍‌ କୁଣ୍ଡରେ ବର୍ଜ୍ୟ ଜୈବ ପଦାର୍ଥ ଓ ଅବ୍ୟବହୃତ ଖାଦ୍ୟକୁ ପ୍ରୋବାୟୋଟିକ୍‌ (ହିତକାରୀ ବ୍ୟାକ୍ଟେରିଆ) ଏବଂ ତରଳ ଗୁଡ଼ ଭଳି ଅଙ୍ଗାରକ ଉତ୍ସର ମିଶ୍ରଣ ଦ୍ବାରା ମାଛର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ସାଧାରଣତଃ ମାଛ ଚାଷ ନିମନ୍ତେ ୧ ଏକର ପରିମିତ (୪୦୦୦ ବର୍ଗ ମିଟର) ପୋଖରୀରୁ ୬ ମାସରେ ୨୦୦୦ କିଲୋଗ୍ରାମ୍‌ ମାଛ ଉତ୍ପାଦିତ ହୋଇପାରୁଛି। କିନ୍ତୁ ଏବେ ସେହି ସମାନ ପରିମାଣର ମାଛ ୧୦୦ରୁ ୧୫୦ ବର୍ଗ ମିଟର ଚଟାଣ ଉପରେ ସ୍ଥାପିତ ୪ ମିଟର ବ୍ୟାସ ଓ ୧.୨ ମିଟର ଗଭୀରତା ବିଶିଷ୍ଟ ୪ଟି ବାୟୋଫ୍ଲକ୍‌ କୁଣ୍ଡରୁ ଉତ୍ପାଦିତ ହୋଇପାରିବ। ପ୍ରତି କୁଣ୍ଡରେ ୧୦୦୦ରୁ ୧୫୦୦ ସଂଖ୍ୟକ ମାଛ ଯାଆଁଳ (୨-୩ ସେ.ମି) କିମ୍ବା (୮-୧୦ ସେ.ମି) ଛାଡ଼ି ୬ ମାସ ଅବଧି ଭିତରେ ୫୦୦ କିଲୋଗ୍ରାମ୍‌ ମାଛ ଉତ୍ପାଦନ ହୋଇପାରିବ। ମାଛଗୁଡ଼ିକ ପ୍ରତି ତିନିମାସରେ ୨୦୦ ଗ୍ରାମ୍‌ ଓଜନ ପର୍ଯ୍ୟନ୍ତ ବଢ଼ିବେ। ସ୍ଥାନୀୟ ବଜାର ଚାହିଦା ଅନୁଯାୟୀ ଓ ଚାଷୀର ଦୈନିକ ରୋଜଗାର ପାଇଁ ନିୟମିତ ଆଂଶିକ ମାଛ ଧରାଯାଇପାରିବ। ଏହି ପଦ୍ଧତିରେ ମାଛ ଚାଷ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କରାଯାଇପାରିବ। ଉଚ୍ଚସ୍ଥାନ, ଘର ଛାତ ଓ ଘର ପଛ ପଟେ ଥିବା ଖୋଲା ସ୍ଥାନରେ ଏହି କୁଣ୍ଡ ରଖାଯାଇପାରିବ।

ବାୟୋଫ୍ଲକ୍‌ କୁଣ୍ଡ ସ୍ଥାପନା ନିମନ୍ତେ ସରକାରଙ୍କ ସବସିଡି ବ୍ୟବସ୍ଥା ରହିଛି। ୨ଟି କୁଣ୍ଡ ପାଇଁ ୧.୫୦ ଲକ୍ଷ ଟଙ୍କା ଓ ୬ଟି କୁଣ୍ଡ ପାଇଁ ୪ ଲକ୍ଷ ଟଙ୍କାର ପ୍ରକଳ୍ପ ମୂଲ୍ୟ ରଖାଯାଇଛି। ଏଥିରେ ଚାଷୀଙ୍କୁ ୪୦% ରିହାତି ଯୋଗାଇ ଦିଆଯିବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଏହି ରିହାତି ପରିମାଣ ୬୦% ରଖାଯାଇଛି।

ସମ୍ବନ୍ଧିତ ଖବର