ଚାନ୍ଦବାଲି : ଯୁଆଡେ ଚାହିଁବ ଖାଲି ମାଛ ଆଉ ମାଛ। କ୍ବିଣ୍ଟାଲ୍ କି ଦୁଇ କ୍ବିଣ୍ଟାଲ୍ ନୁହେଁ, ଧୀବରଙ୍କ ଜାଲରେ ପଡ଼ିଲା ଟନ୍ ଟନ୍ ମାଛ। ସମୁଦ୍ର ମୁହାଣରୁ ଜୋର ପର୍ଯ୍ୟନ୍ତ ପାଖାପାଖି ୧ କିଲୋମିଟର ଯାଏ ପାଣି ଭିତରେ ଏତେସଂଖ୍ୟାରେ ମାଛ ଦେଖି ଧୀବର ବି ତଟସ୍ଥ। ମାଛ ଧରିବା ପାଇଁ ୨ ଦିନ ୨ ରାତି ବିତିଯାଇଥିଲେ ମଧ୍ୟ ମାଛଧରା ସରୁନାହିଁ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଧାମରା ମୁହାଁଣରେ ଏମିତି କିଛି ଦୃଶ୍ୟ ଚକିତ କରିଛି ମତ୍ସ୍ୟଜୀବୀଙ୍କୁ।
ଧାମରା କରଞ୍ଜମାଳ ପଞ୍ଚାୟତ ଧାନକୁଟା ଗାଁର ମତ୍ସ୍ୟଜୀବୀ ଅକ୍ଲେଶ ମଣ୍ଡଳ ସବୁଦିନ ଭଳି ୧୧ ତାରିଖରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସେ ଦିନ ସନ୍ଧ୍ୟାରେ ନିଜ ମୋଟରଚାଳିତ ବୋଟ୍କୁ ଧରି ସେ ଘରକୁ ଫେରିବା ବେଳେ ଧାନକୁଟା ଗାଁ ନିକଟ ଜୋର (ଛୋଟ ନାଳ)ରେ ‘ଖଇରୀ’ ପ୍ରଜାତିର କିଛି ସାମୁଦ୍ରିକ ମାଛ ଦେଖିବାକୁ ପାଇଥିଲେ। ବଜାରରେ ଏହାର ଢେର ଚାହିଦା ରହିଛି। ଶ୍ରୀ ମଣ୍ଡଳ ଅଗତ୍ୟା ବୋଟ୍ରୁ ଜାଲ ବାହାର କରି ଜୋର କୂଳେ କୂଳେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଜାଲ ବିଛାଇ ଘରକୁ ଫେରି ଆସିଥିଲେ। ୧୧ ତାରିଖ ରାତିରେ ଜୁଆର ସମୟରେ ବୋଟରେ ଯାଇ ଜାଲ ମୁହଁ ବନ୍ଦ କରିଦେଇ ଆସିଥିଲେ ଶ୍ରୀ ମଣ୍ଡଳ। ୧୨ ତାରିଖ ଭୋର ସମୟରେ ଶ୍ରୀ ମଣ୍ଡଳ ଜୋର କୂଳକୁ ଯାଇ ଯାହା ଦେଖିଲେ ତାହା ଥିଲା ତାଙ୍କ କଳ୍ପନା ବାହାରେ। ୧ କିଲୋମିଟର ଯାଏ ଲମ୍ବିଥିବା ଜାଲରେ ପଡ଼ିଥିଲେ ଗଦାଗଦା ମାଛ। ପୂର୍ବରୁ ନଦୀ ମୁହାଣରୁ ସେ ଅଧ କ୍ବିଣ୍ଟାଲ କିମ୍ବା ଅତି ବେଶୀରେ ୧ କ୍ବିଣ୍ଟାଲ ପର୍ଯ୍ୟନ୍ତ ମାଛ ଧରୁଥିଲେ। ହେଲେ ଏକାଥରକେ ଏତେସଂଖ୍ୟାରେ ମାଛ ଧରିବା ତାଙ୍କ ଜୀବନକାଳ ମଧ୍ୟରେ ପ୍ରଥମ ଥର ବୋଲି କହିଛନ୍ତି ଶ୍ରୀ ମଣ୍ଡଳ।
ସମୁଦ୍ର ମଧ୍ୟରୁ ଖାଦ୍ୟ ଅନ୍ବେଷଣରେ ମାଛଗୁଡ଼ିକ ମୁହାଣ ଦେଇ ଜୋର ମଧ୍ୟକୁ ପଶି ଆସିଥିଲେ। ପୂର୍ଣ୍ଣ ଜୁଆର ଯୋଗୁଁ ମାଛଗୁଡ଼ିକ ଜୋର ଭିତରେ ରହି ଯାଇଥିବାବେଳେ ଆଉ ସମୁଦ୍ରକୁ ଯାଇ ପାରିନଥିଲେ।