ଚିଲିକାରେ ମାଛ ସଂଗ୍ରହାଳୟ : ଦେଖିବାକୁ ମିଳିବ ୮୦ ପ୍ରଜାତିର ମାଛ

କରୋନା ସ୍ଥିତି ସୁଧାର ପରେ ଛାତ୍ରଛାତ୍ରୀଙ୍କ ପାଇଁ ୪ମାସ ମାଗଣା ପ୍ରବେଶ

ଭୁବନେଶ୍ୱର : ନୀଳାମ୍ବୁ ଚିଲିକାର ମତ୍ସ୍ୟ ସମ୍ପଦକୁ ଚିହ୍ନିବାର ଅବକାଶ ଆଣିବ ‘ମାଛ ସଂଗ୍ରହାଳୟ’। ବଡ଼କୂଳରେ ନିର୍ମିତ ମାଛ ସଦୃଶ ସଂଗ୍ରହାଳୟର ଆକ୍ବାରିୟମରେ ୮୦ ପ୍ରଜାତିର ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଦେଖିବାକୁ ମିଳିବ। ଚିଲିକାର ଐଶ୍ବର୍ଯ୍ୟ ଓ ମତ୍ସ୍ୟ ଭଣ୍ଡାର ସମ୍ପର୍କରେ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବାଣ୍ଟିବା ଲାଗି ଚିଲିକା ଉନ୍ନୟନ ପ୍ରାଧିକରଣ (ସିଡିଏ)ର ଏହି ନିଆରା ସୃଷ୍ଟି।

ସଂପ୍ରତି ଚିଲିକାରେ ୩୩୦ ପ୍ରଜାତିର ମାଛ ଓ ୧୨ ପ୍ରଜାତିର ଚିଙ୍ଗୁଡ଼ି ରହିଥିବା ବ‌େଳେ ୨ଲକ୍ଷ ମତ୍ସ୍ୟଜୀବୀଙ୍କ ରୋଜଗାରର ମୁଖ୍ୟ ଆୟୁଧ ପାଲଟିଛି। କେବଳ ଚିଲିକାରୁ ୨୦ ପ୍ରତିଶତ ସାମୁଦ୍ରିକ ମତ୍ସ୍ୟ ଓଡ଼ିଶା ମଧ୍ୟରୁ ବାହାରକୁ ରପ୍ତାନି କରାଯାଉଛି। ଏହି ସମ୍ପଦକୁ ପ୍ରତୀକ ରୂପରେ ପରିଚିତ କରାଇବା ପାଇଁ ସଂଗ୍ରହାଳୟ ପରିକଳ୍ପନା କରାଯାଇଛି ବୋଲି ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ କହିଛନ୍ତି। ଶ୍ରୀ ନନ୍ଦଙ୍କ ସୂଚନା ମୁତାବକ, ପାଖାପାଖି ୮ଶହ ବର୍ଗଫୁଟ ପରିମିତ ଜାଗାରେ ଏହା ପ୍ରତିଷ୍ଠା ହୋଇଛି। ଜଣେ ଅନ୍ତର୍ଜାତୀୟ ଡିଜାଇନର ଏହାର ରୂପରେଖ ପ୍ରସ୍ତୁତ କରିଥିବା ବ‌େଳେ ଭାରତ ସରକାରଙ୍କ ଅନୁଦାନରେ ଏହା ନିର୍ମିତ ହୋଇଛି। ଏହି ପରିସରରେ ବଡ଼ କାଚ ଜାର୍‌ମାନଙ୍କରେ ୫କେଜିଆ ଖଇଙ୍ଗାଠାରୁ ନେଇ ୩ କେଜିଆ ଚିଙ୍ଗୁଡ଼ି ଭଳି ବ୍ୟାବସାୟିକ ଗୁରୁତ୍ବ ବହନ କରୁଥିବା ୮୦ଟି ପ୍ରଜାତିର ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ଦେଖିବାର ସୁଯୋଗ ମିଳିବ।

ସଂଗ୍ରହାଳୟଟି ଆସନ୍ତା ସପ୍ତାହେ ମଧ୍ୟରେ ଖୋଲାଯିବ। ତେବେ କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ପର୍ଯ୍ୟଟକ ଓ ଛାତ୍ରଛାତ୍ରୀମାନେ ଏହା ମଧ୍ୟକୁ ବୁଲିବାକୁ ଆସି ପାରିବେ। ସିଡିଏ ପକ୍ଷରୁ ପ୍ରଥମ ୩ରୁ ୪ ମାସ ପର୍ଯ୍ୟନ୍ତ ଏହା ମଧ୍ୟକୁ ଛାତ୍ରଛାତ୍ରୀଙ୍କ ମାଗଣା ପ୍ରବେଶ ବ୍ୟବସ୍ଥା ହେବ। ଏହା ପରେ ସଂଗ୍ରହାଳୟର ପରିଚାଳନାକୁ ଦୃଷ୍ଟିରେ ରଖି ନିମ୍ନତମ ଦେୟର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଏହି ସଂଗ୍ରହାଳୟ ସ୍ଥାପନ ପରେ ସମ୍ପୃକ୍ତ ସ୍ଥାନର ପର୍ଯ୍ୟଟନ ମୂଲ୍ୟବୋଧ ବୃଦ୍ଧି ପାଇଛି। ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ପାଇଁ ବାଟ ଖୋଲିଛି। ଏନେଇ ପରିବେଶବିତ୍‌ ବିଶ୍ବଜିତ ମହାନ୍ତି କହିଛନ୍ତି, ସାଧାରଣ ଲୋକଙ୍କୁ ଚିଲିକା ବିଷୟରେ ଜାଣିବା ଓ ଗର୍ବ କରିବାରେ ଏହା ସହାୟକ ହେବ। ବିଶେଷକରି ଏଠାରେ ରହିଥିବା ବହୁ ପ୍ରଜାତିର ସାମୁଦ୍ରିକ ମତ୍ସ୍ୟ ସମ୍ପଦ ବାବଦରେ ଛୋଟ ପିଲାମାନେ ଅନେକ କିଛି ଶିକ୍ଷା ପାଇପାରିବେ ବୋଲି ସେ କହିଛନ୍ତି। ଜମ୍ମୁର ‘ବାଘ-ଇ-ବହୁ’ ଆକ୍ବାରିୟମ, ହାଇଦ୍ରାବାଦର ସେଣ୍ଟ୍ରାଲ୍‌ ଫିସରିଜ୍‌ ବୋର୍ଡର ବିଲ୍‌ଡିଂ ମାଛ ସଦୃଶ ହୋଇଥିବା ବ‌େଳେ ଚିଲିକା କୂଳରେ ଏହି ମାଛ ସଂଗ୍ରହାଳୟ ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିବ।

ସମ୍ବନ୍ଧିତ ଖବର