ଶ୍ରୀଜଗନ୍ନାଥଙ୍କ ଜମିରେ ମାଛ ପୋଖରୀ

ପୁରୀ/ଗୋପ : ଶ୍ରୀଜଗନ୍ନାଥଙ୍କ ଜମିରେ ମାଛ ପୋଖରୀ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ଜବରଦଖଲ କରି ମାଛ ପୋଖରୀ କରିବା ଆନ୍ଧ୍ର ମାଛ ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଜବରଦଖଲ ଜମିରେ ହୋଇଥିବା ପୋଖରୀରୁ ମାଛ ଜିଲ୍ଲା ପ୍ରଶାସନ ଧରିବାକୁ ନିଷ୍ପତ୍ତି ନେଇଛି। ଗୋପ ଅଞ୍ଚଳରେ ହୋଇଥିବା ସମସ୍ତ ବେଆଇନ ମାଛ ପୋଖରୀରୁ ପ୍ରଶାସନ ମାଛ ଧରିବାକୁ ନିଷ୍ପତ୍ତି ନେଇଛି। ପୁଲିସ ଉପସ୍ଥିତିରେ ପୋଖରୀରୁ ମାଛ ଧରାଯିବ। ପୋଖରୀରେ ଆନୁମାନିକ ପ୍ରାୟ ୩୦ ଲକ୍ଷ ଟଙ୍କାର ମାଛ ଥିବା ଜଣାପଡ଼ିଛି। ତେବେ ଏ ସମସ୍ତ ଟଙ୍କା ଜିଲ୍ଲା ପ୍ରଶାସନ ଖାତାକୁ ଯିବ। ଅନ୍ୟପକ୍ଷରେ ମାଛ ଧରା ହେଲେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ମହାପ୍ରଭୁଙ୍କ ଜମିରେ ମାଛ ପୋଖରୀ ଖୋଳି ମାଛ ବ୍ୟବସାୟ କରୁଥିବା ସଂପର୍କରେ ‘ସମ୍ବାଦ’ରେ ଖବର ବାହାରିବା ପରେ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋପ ତହସିଲଦାରଙ୍କୁ ଫୋନ୍‌ କରି ଶ୍ରୀମନ୍ଦିର ପ୍ରଶାସନ ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଗୋପ ଅଞ୍ଚଳରେ ମହାପ୍ରଭୁଙ୍କ କେତେ ଜମି ଅଛି ତାର ତାଲିକା ଦେବାକୁ ତହସିଲଦାରଙ୍କୁ କୁହାଯାଇଛି। ମହାପ୍ରଭୁଙ୍କ ଜମିରୁ ତୁରନ୍ତ ଜବରଦଖଲ ଊଚ୍ଛେଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସକ କାମ ଆରମ୍ଭ କରିବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଗୋପ, ଅସ୍ତରଙ୍ଗ ଅଞ୍ଚଳରେ ମାଛ ଚାଷ କରୁଥିବା ଆନ୍ଧ୍ର ବ୍ୟବସାୟୀଙ୍କୁ ଓଡ଼ିଶା ସରକାରଙ୍କ ମାଛ ଚାଷ ପାଇଁ ସବ୍‌ସିଡି ପ୍ରଦାନ ଘଟଣାକୁ ନେଇ ମଧ୍ୟ ତନାଘନା ଆରମ୍ଭ ହୋଇଛି। ଏଥିରେ ସଂପୃକ୍ତ ଥିବା ମତ୍ସ୍ୟ ବିଭାଗ ଅଧିକାରୀ, କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଅଞ୍ଚଳର ଓରୁଆଳି ମୌଜାରେ ଶହ ଶହ ଏକର ଜମିରେ ମାଛ ପୋଖରୀ କରି ଆନ୍ଧ୍ର ବ୍ୟବସାୟ ବର୍ଷ ବର୍ଷ ଧରି ମାଛ ବ୍ୟବସାୟ କରି ଆସୁଥିଲେ। ଏ ନେଇ ଗ୍ରାମବାସୀ ପ୍ରତିବାଦ କରିବା ପରେ ପ୍ରଶାସନ ଚେତିଛି।

ସମ୍ବନ୍ଧିତ ଖବର