ଭୁବନେଶ୍ବର: ରାଜ୍ୟରେ ଖୁବ୍ଶୀଘ୍ର ମତ୍ସ୍ୟ ଓ ପଶୁ ସମ୍ପଦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଆଜି ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସଠାରେ ବିଶ୍ବ ମତ୍ସ୍ୟ ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ ଓ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ମାଧ୍ୟମରେ ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରାଯିବ। ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ରେ ଚଳିତ ଆର୍ଥିକ ବର୍ଷରୁ ୨୦୨୮-୨୯ ମଧ୍ୟରେ ୨୨୩୯କୋଟି ଟଙ୍କା ଖର୍ଚ୍ଚ ହେବ। ଯାହା ରାଜ୍ୟରେ ମତ୍ସ୍ୟ ଚାଷ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ। ସମ୍ବଲପୁରରେ ୧୦୦ଏକର ଜମିରେ ଏକ ଆକ୍ବା ପାର୍କ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।
ଏହା ସହ ମନ୍ତ୍ରୀ କହିଛନ୍ତି ଯେ ୨୦୨୩-୨୪ବର୍ଷରେ ୧୧.୩୩ଲକ୍ଷ ମେଟ୍ରିକ ଟନ୍ ମାଛ ଉତ୍ପାଦନ କରି ଓଡ଼ିଶା ସର୍ବଭାରତୀୟ ସ୍ତରରେ ସର୍ବାଧିକ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନରେ ପହଞ୍ଚି ଥିବାବେଳେ ରତ୍ପାନି ମଧ୍ୟ ବଢ଼ିଛି। ଆଗକୁ ଓଡ଼ିଶାକୁ ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ସେହିପରି ଗତ ଦୁଇ ଦଶନ୍ଧି ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଖାଦ୍ୟ ରତ୍ପାନି ୧୨ଗୁଣା ବୃଦ୍ଧି ପାଇଥିବାବେଳେ ୪୫୪୬କୋଟି ବୈଦେଶିକ ମୁଦ୍ରା ମିଳିଛି। ଏହି ଦୁଇ ଦଶନ୍ଧିରେ ମାଛ ଜାଆଁଳ ଉତ୍ପାଦନ ଦଶ ଗୁଣା ବୃଦ୍ଧି ପାଇଛି। ୨୦୨୩-୨୪ରେ ୩୧୦ କୋଟି ମାଛ ଜାଆଁଳ ଉତ୍ପାଦିତ ହୋଇଛି। ଆଗାମୀ ଦିନରେ ଏହାକୁ ବଢ଼ାଯିବ। ଏହି କାର୍ଯ୍ୟକ୍ରମରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ନାବାର୍ଡର ମହାପ୍ରବନ୍ଧକ ସଂଜୟ କୁମାର ତାଲୁକଦାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ମତ୍ସ୍ୟ ନିର୍ଦ୍ଦେଶକ ରାମାଶିଷ ହାଜରା ସ୍ବାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଦେଇଥିଲେ।