ଭୁବନେଶ୍ୱର: ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ରାଜ୍ୟର ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ନୂତନ ଭାବେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହୋଇଛି। ଯେଉଁଥିରେ ୧୧ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୫୦ ହଜାର ମତ୍ସ୍ୟଜୀବୀ ସିଧାସଳଖ ଉପକୃତ ହେବେ। ପ୍ରାଣୀପାଳକଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ୧୮୧ ନୂତନ ମୋବାଇଲ୍ ଭେଟେରିନାରି ୟୁନିଟ୍ ଭ୍ୟାନ୍ର ବ୍ୟବସ୍ଥା ହୋଇଛି। ଖୁବଶୀଘ୍ର ଆଉ ୧୩୧ ଭ୍ୟାନ୍କୁ ସାମିଲ କରାଯିବ। ବୈଜ୍ଞାନିକ ପଦ୍ଧତିରେ ଫାର୍ମିଂ ପାଇଁ ବାୟୋ-ଫ୍ଲକ୍, କେଜ୍ କଲଚର ମାଛଚାଷ, ସେକ୍ସ ସର୍ଟେଡ୍ ସିମେନ୍ ପରି ନୂଆ ଜ୍ଞାନକୌଶଳ ବ୍ୟବହାର କରାଯାଇ ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଛନ୍ତି।
ସମାବେଶରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ୧୯୯୯-୨୦୦୦ରେ କୃଷି ବିଭାଗର ବଜେଟ ୨୭୮ କୋଟି ୫୮ ଲକ୍ଷ ଟଙ୍କା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବଜେଟ୍ ୧୨୧ କୋଟି ୪୭ ଲକ୍ଷ ଟଙ୍କା ରହିଥିଲା। ୨୦୨୪-୨୫ରେ କୃଷି ବିଭାଗର ବଜେଟ୍ ୭୯୨୩ କୋଟି ୮୭ ଲକ୍ଷ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ବଜେଟ୍ ୧୯୩୭ କୋଟି ୬୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ପ୍ରାଣୀସମ୍ପଦ ସ୍ୱାସ୍ଥ୍ୟ ଓ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ୧୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୮-୧୯ରେ ମାଛ ଉତ୍ପାଦନ ୭ ଲକ୍ଷ ୫୯ ହଜାର ମେଟ୍ରିକ୍ ଟନ୍ ଥିଲା। ଏହା ପ୍ରାୟ ୪୦% ବୃଦ୍ଧି ପାଇ ୨୦୨୨-୨୩ରେ ୧୦ ଲକ୍ଷ ୫୨ ହଜାର ମେଟ୍ରିକ୍ ଟନ୍ରେ ପହଞ୍ଚିଛି। ମାଛ ବିହନ ଉପଲବ୍ଧ କରାଇବା ପାଇଁ ବର୍ଷା ଋତୁ ପୂର୍ବରୁ ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। କୁକୁଡ଼ା ମାଂସ ଉତ୍ପାଦନରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇଛି। ମାଛ ଯାଆଁଳ ଉତ୍ପାଦନ ୧୯୪% ବୃଦ୍ଧି ପାଇ ୨୦୨୨-୨୩ରେ ୨୭୮ କୋଟି ୬୩ ଲକ୍ଷରେ ପହଞ୍ଚିଛି। ସାମୁଦ୍ରିକ ଖାଦ୍ୟ ରପ୍ତାନି ଗତ ୪ ବର୍ଷ ମଧ୍ୟରେ ୫୩ ପ୍ରତିଶତ ବୃଦ୍ଧି ୨୦୨୨-୨୩ ରେ ୪୮୦୭ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଥିଲେ।
ଉଦ୍ଘାଟନୀ ଉତ୍ସବରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଧ୍ୟକ୍ଷତା କରି ଗତ ୨୦ ବର୍ଷରେ ଚାଷୀଙ୍କ ଆୟ ବୃଦ୍ଧି ସହ ମାଛ, ମାଂସ, କୁକୁଡ଼ା ଓ ଦୁଗ୍ଧ ଉତ୍ପାଦନରେ ଉଲ୍ଲେଖନୀୟ ସଫଳତା ମିଳିଥିବା କହିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାଛ ଚାଷ ଓ ପ୍ରାଣୀପାଳନକୁ ଗ୍ରାମାଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମତ୍ସ୍ୟଚାଷୀ ପଦ୍ମଶ୍ରୀ ବଟକୃଷ୍ଣ ସାହୁଙ୍କ ସମେତ ଜାତୀୟସ୍ତରରେ ସ୍ୱୀକୃତି ପାଇଥିବା ୫ ଜଣ ଚାଷୀ ଏବଂ ୩୦ ଜିଲ୍ଲାର ଚମ୍ପିଅନ୍ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀଙ୍କୁ ସ୍ଥାୟୀ ପୁଞ୍ଜିନିବେଶ ଉପରେ ସବ୍ସିଡି ରାଶିର ଚେକ୍ ଦିଆଯାଇଥିଲା। କଟକ ଜିଲ୍ଲାର ମହିଳା ଚାଷୀ ନମିତା ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ମହିଳା ଚାଷୀ ମମତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ। ସମାବେଶ ଅବସରରେ ଆଜି ସକାଳେ କଳିଙ୍ଗ ଷ୍ଟାଡିୟମ୍ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ଏକ ଗଣଦୌଡ଼ ଆୟୋଜନ କରାଯାଇଥିଲା। ସମାବେଶରେ ରାଜ୍ୟର ୬୦୦୦ ଚାଷୀ ଭାଇ ଓ ଭଉଣୀ ଯୋଗଦେଇଥିଲେ।