ଭୁବନେଶ୍ୱର: କୋମାରେ ସରକାରଙ୍କ ମତ୍ସ୍ୟ ବିଭାଗ। ରାଜ୍ୟର ୨୭ ଜିଲ୍ଲାରେ ଜିଲ୍ଲା ମତ୍ସ୍ୟ ଅଧିକାରୀ (ଡିଏଫ୍ଓ) ପଦବି ଖାଲି ପଡ଼ିଛି। କେବଳ ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ ଭାରପ୍ରାପ୍ତ ଏଡିଏଫ୍ଓଙ୍କ ଦ୍ବାରା ଏହା ପରିଚାଳିତ ହେଉଛି। ୫ ବର୍ଷ ହେଲାଣି ଏହି ସ୍ଥିତି ଲାଗି ରହିଛି। ରାଜ୍ୟର ପ୍ରାୟ ୧୫ ଲକ୍ଷ ଲୋକଙ୍କ ଜୀବିକା ମତ୍ସ୍ୟସମ୍ପଦ ଉପରେ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ତୃଣମୂଳସ୍ତରରେ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ଅଧିକାରୀ ପଦ ଖାଲି ପଡ଼ିବା ଚିନ୍ତାର ବିଷୟ ପାଲଟିଛି।
ରାଜ୍ୟର ୯୫% ଲୋକ ମାଛ ଖାଇଥାନ୍ତି। ଜଣେ ବ୍ୟକ୍ତି ବର୍ଷକୁ ହାରାହାରି ୧୮.୩୩ କେଜି ମାଛ ଖାଇଥା’ନ୍ତି, ଯାହାକି ଜାତୀୟ ହାରଠାରୁ ଅଧିକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟ ସମ୍ପଦର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ରାଜ୍ୟ ସରକାରଙ୍କ ‘ଭିଜନ୍ ଓଡ଼ିଶା ୨୦୩୬’ରେ ମତ୍ସ୍ୟ ଉତ୍ପାଦନ ୩.୩ ନିୟୁତ ମେଟ୍ରିକ୍ ଟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଡିଏଫ୍ଓ ପଦବି ଖାଲି ପଡ଼ିଥିବାରୁ ମତ୍ସ୍ୟ ସମ୍ପଦର କିଭଳି ୧୦ ଗୁଣ ବିକାଶ ହେବ ତାହା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମତ୍ସ୍ୟ ବିଭାଗର ଟାଳଟୁଳ ନୀତି ମତ୍ସ୍ୟ ଚାଷକୁ ଭରସା କରିଥିବା ଯୁବବର୍ଗଙ୍କୁ ଚକିତ କରିଛି।
ମତ୍ସ୍ୟ ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଯେଉଁ ଜିଲ୍ଲାରେ ଡିଏଫ୍ଓ ପଦ ଖାଲି ରହିଛି, ସେଠାରେ ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ(ଏଡିଏଫ୍ଓ)ଙ୍କୁ ଦାୟିତ୍ବ ଦିଆଯାଇଛି।
ଏଡିଏଫ୍ଓମାନେ ଅତିକମ୍ରେ ନିଜ ପଦବିରେ ୫ବର୍ଷ କାମ କରିବା ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ। ଯେହେତୁ ଏଡିଏଫ୍ଓମାନେ ଏହି ଅବଧି ପୂରଣ କରିନାହାନ୍ତି, ତେଣୁ ପଦୋନ୍ନତି କାର୍ଯ୍ୟ ଆଗେଇ ପାରିନାହିଁ। ଅପରପକ୍ଷରେ ମତ୍ସ୍ୟ ଅଧିକାରୀଙ୍କ କ୍ୟାଡର୍ ପୁନର୍ଗଠନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ମୁଖ୍ୟମନ୍ତ୍ରୀ ଏହାକୁ ମୋହର ମାରିଛନ୍ତି। କ୍ୟାଡର୍ ପୁନର୍ଗଠନ ହେଲେ ଡିଏଫ୍ଓ ପଦର ବିଲୋପ ହେବା ସହ ସିଡିଏଫ୍ଓ ପଦବି କାର୍ଯ୍ୟକାରୀ ହେବ। ଡିସେମ୍ବର ବେଳକୁ ଏଡିଏଫ୍ଓମାନେ ଧାର୍ଯ୍ୟ ଅବଧି ପୂରଣ କରିବେ। ତେବେ ପ୍ରଥମେ କ୍ୟାଡର ପୁନର୍ଗଠନ ହେବ ନା ପଦୋନ୍ନତି ଦିଆଯିବ ତାହା ସରକାର ସ୍ଥିର କରିବେ। ଏଡିଏଫ୍ଓମାନେ ଦାୟିତ୍ବରେ ରହିଥିବାରୁ ତୃଣମୂଳସ୍ତରରେ କୌଣସି କାର୍ଯ୍ୟ ବାଧାପ୍ରାପ୍ତ ହେଉନାହିଁ।