ପୁଣି ସମୁଦ୍ର ପଥରେ ଚେନ୍ନାଇରୁ ଗଞ୍ଜାମ : ‌ଅଢ଼େଇ ଲକ୍ଷର ଡଙ୍ଗା କିଣି ଫେରିଲେ ୩୯

ସବୁ ସଙ୍ଗରୋଧରେ ରହିଲେ, ୨.୧ ଲକ୍ଷରେ ଡଙ୍ଗା କିଣି ଫେରୁଛନ୍ତି ଆହୁରି ୩୩

ବ୍ରହ୍ମପୁର/ଚିକିଟି/ଛତ୍ରପୁର : ଲକ୍‌ଡାଉନ୍‌ ଯୋଗୁଁ ଚେନ୍ନାଇରେ ଫସିଛନ୍ତି ଶହ ଶହ ମତ୍ସ୍ୟଜୀବୀ ଓ ଶ୍ରମିକ। ସମୁଦ୍ର ଜଳପଥ ମୁକୁଳା ପଡ଼ିଥିବା ସୁଯୋଗ ନେଇ ତାମିଲନାଡ଼ୁର ଚେନ୍ନାଇରେ ଫସିଥିବା ମତ୍ସ୍ୟଜୀବୀ ପର୍ଯ୍ୟାୟ କ୍ରମେ ସଞ୍ଚିତ ଅର୍ଥ ଚାନ୍ଦା କରି ଲକ୍ଷାଧିକ ଟଙ୍କା ବିନିମୟରେ ଡଙ୍ଗା କିଣି ସମୁଦ୍ର ପଥରେ ଭାଟିମାଟି ଫେରୁଛନ୍ତି। ଶନିବାର ୨ଲକ୍ଷ ଟଙ୍କାରେ ଡଙ୍ଗା କିଣି ୩୮ଜଣ ଚେନ୍ନାଇରୁ ଜଳପଥରେ ପାତି ସୁନାପୁର ଆସିଥିଲେ। ରାଜ୍ୟ ପରିବହନ ମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବାର ୨୪ଘଣ୍ଟା ନ ପୂରୁଣୁ ପୁଣି ଚେନ୍ନାଇରୁ ୩୯ଜଣ ମତ୍ସ୍ୟଜୀବୀ ଗଞ୍ଜାମ ଉପକୂଳ ଗାଁ ପାତିସୁନାପୁର ଓ ରାମେୟାପାଟଣାକୁ ଫେରିଛନ୍ତି। ସେହିପରି ଚେନ୍ନାଇରୁ ଆଉ ୩୩ଜଣ ଅନ୍ୟ ଏକ ଡଙ୍ଗାରେ ଛତ୍ରପୁର ବ୍ଲକ୍‌ର ବଡ଼ ଆର୍ଯ୍ୟପଲ୍ଲୀକୁ ଫେରୁଥିବା ସୂଚନା ମିଳିଛି। ସେମାନଙ୍କ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ରହିଥିବାରୁ ସେମାନେ ପହଞ୍ଚିବାରେ ବିଳମ୍ବ ହେଉଥିବା ସୂଚନା ମିଳିଛି। ଆଜି ବିଳମ୍ବିତ ରାତି ସୁଦ୍ଧା ଏହି ଡଙ୍ଗା ବି ପହଞ୍ଚିଯିବ ବୋଲି ଖବର ମିଳିଛି। ମତ୍ସ୍ୟଜୀବୀ ଓ ଶ୍ରମିକମାନେ ଡଙ୍ଗା ଦ୍ବାରା ବିପଦସଙ୍କୁଳ ଭାବେ ଜଳପଥରେ ଫେରିବା ଘଟଣା ପରେ ରାଜ୍ୟର ସାମୁଦ୍ରିକ ଜଳପଥ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମତ୍ସ୍ୟଜୀବୀମାନେ ଅନାୟାସରେ ଆସି ପାରୁଥିବା ବେଳେ ସମୁଦ୍ର ପଥରେ ବେଆଇନ ଅବାଧ ଅନୁପ୍ରବେଶ ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ସୂଚନା ଅନୁଯାୟୀ, ଚିକିଟି ବ୍ଲକ୍‌ ଅର୍ନ୍ତଗତ ପାତି ସୁନାପୁର, ରାମେୟାପଟଣାର କିଛି ମତ୍ସ୍ୟଜୀବୀ କାମଧନ୍ଦା ଅନ୍ବେଷଣରେ ଚେନ୍ନାଇ ଯାଇଥିଲେ। ଲକ୍‌ଡାଉନ୍‌ ପରେ ସେଠାରେ ଫସି ରହିଥିଲେ। ଏମାନଙ୍କ ସହ ଆନ୍ଧ୍ରର କିଛି ମିଶି ସମୁଦାୟ ୩୯ଜଣ ମତ୍ସ୍ୟଜୀବୀ ଯୁବକ ୨ଲକ୍ଷ ୫୫୦ ହଜାର ଟଙ୍କାରେ ଡଙ୍ଗା କିଣି ଗତ ୨୩ତାରିଖ ରାତିରେ ନିଜ ଭିଟାମାଟି ଅଭିମୁଖେ ବାହରିଥିଲେ। ସେମାନେ ଫେରୁଥିବା ବେଳେ ଆଜି ଆନ୍ଧ୍ର ପ୍ରଦେଶର କାଭେଟି-ପାଲାସା ମଧ୍ୟବର୍ତ୍ତୀ ସ୍ଥାନରେ ବୋଟ୍‌ର ତେଲ ସରି ଯାଇଥିଲା। ତେବେ ସ୍ଥାନୀୟ କିଛି ଯୁବକ ଓ ମତ୍ସ୍ୟଜୀବୀ ନେତା ଆଉ ଏକ ଡଙ୍ଗାରେ ଡିଜେଲ୍‌ ଯୋଗାଇ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଡିଜେଲ୍‌ ସରିବା କାରଣରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଆର୍ଥାତ ଅପରାହ୍ନ ୩ଟା ବେଳେ ଡଙ୍ଗା ରାମେୟାପଟଣା ଉପକୂଳରେ ଲାଗିଥିଲା। ଗଞ୍ଜାମ ଜିଲ୍ଲା ସୀମାରେ ପହଞ୍ଚିବା ପରେ ପ୍ରଥମେ ଡଙ୍ଗା ପାତି ସୁନାପୁରଠାରେ ଲାଗିଥିଲା। ସେଠାରେ ୧୫ ଜଣଙ୍କୁ ଓହ୍ଲାଇବା ପରେ ରାମେୟାପାଟଣା ଅଭିମୁଖେ ଡଙ୍ଗା ଯାଇଥିଲା। ପାତିସୁନାପୁରଠାରେ ଓହ୍ଲାଇଥିବା ୧୫ଜଣଙ୍କୁ ସେଠାକାର ଓଡିଆରପି କଲୋନି ସ୍ଥିତ କମ୍ୟୁନିଟି ହଲ୍‌ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି। ସେଥିରେ ପାତି ସୁନାପୁର ୯ଜଣ ଏବଂ ଆନ୍ଧ୍ରର ୬ଜଣ ରହିଛନ୍ତି। ରାମେୟାପଟଣା ଗାଁର ୧୨ଜଣଙ୍କୁ ଉକ୍ତ ଗ୍ରାମର ଓଡିଆରପି କଲୋନି ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଟ୍ବିଟ୍‌ରେ ଦର୍ଶାଇଛନ୍ତି, ଡଙ୍ଗାରେ ଆସିଥିବା ୩୯ଜଣଙ୍କ ମଧ୍ୟରୁ ୨୫ଜଣ ଗଞ୍ଜାମ ଜିଲ୍ଲାର ଏବଂ ୧୪ଜଣ ଆନ୍ଧ୍ର ପ୍ରଦେଶର। ଚିକିଟି ବ୍ଲକ୍‌ ପ୍ରାଶାସନିକ ଟିମ୍‌ ପକ୍ଷରୁ ସେମାନଙ୍କ ଉପଯୁକ୍ତ ସ୍କ୍ରିନିଂ କରାଯାଇ ପଞ୍ଜୀକରଣ ପରେ ସଙ୍ଗରୋଧକୁ ନିଆଯାଇଛି। ପାତିସୁନାପୁର ଓ ରାମେୟାପଟଣାରେ ଚିକିଟି ବିଡିଓ ଫାଲଗୁନୀ ମାଝି, ତହସିଲଦାର ହରପ୍ରସାଦ ଭୋଇ, ସୁନାପୁର ସରପଞ୍ଚ ମଞ୍ଜୁଳା ବହେରା ଓ କତୁରୁ ପଞ୍ଚାୟତର ଜଗବନ୍ଧୁ ବେହେରା, ସୁନାପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପତି ପ୍ରମୁଖ ଉପସ୍ଥିତ ରହି ଏହି ଏମାନଙ୍କୁ ସଙ୍ଗରୋଧରେ ରଖିବା ସହିତ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ।

ଅନ୍ୟପକ୍ଷରେ ଚେନ୍ନାଇରୁ ଛତ୍ରପୁର ବ୍ଲକ୍‌ ବଡ଼ ଆର୍ଯ୍ୟପଲ୍ଲୀ ଅଞ୍ଚଳର ୩୩ଜଣ ଫେରୁଥିବ‌ା ଜଣାପଡ଼ିଛି। ସେମାନେ ଆଜି ବିଳମ୍ବିତ ରାତି ସୁଦ୍ଧା ପହଞ୍ଚିବେ ବୋଲି କୁହାଯାଉଛି। ଏହି ୩୩ଜଣ ଚେନ୍ନାଇର କାଶିମେଡୁ ଫିସିଂ ହାରବର‌୍‌ ସ˚ସ୍ଥାରେ ୪ମାସ ହେଲା କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଉକ୍ତ ସ˚ସ୍ଥା ବନ୍ଦ ହେବା ଫଳରେ ସେଠାରେ ସେମାନେ ଫସି ରହିଥିଲେ। ଗତ ୨୪ ତାରିଖରେ ଉକ୍ତ ଯୁବକମାନେ ୨ଲକ୍ଷ ୧୦ହଜାର ଟଙ୍କାରେ ଡଙ୍ଗା କିଣି ଭିଟାମାଟି ଅଭିମୁଖେ ବାହାରିଛନ୍ତି। ଏହି ଯୁବକମାନେ ବାହାରିବା ଦିନଠାରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନାଏବ ସରପଞ୍ଚ ଟି.ବାବାଜୀଙ୍କ ସହ ଯୋଗାଯୋଗରେ ରହିଛନ୍ତି। ବୋଟ୍‌ରେ ଆସୁଥିବା ୩୩ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ତି ଗାଁର ୫ଜଣ, ସୁନାପୁରର ଜଣେ, ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ୨ଜଣ ରହିଥିବା ନାଏବ ସରପଞ୍ଚ ଟି.ବାବାଜୀ କହିଛନ୍ତି। ଏହି ମତ୍ସ୍ୟଜୀବୀମାନେ ଆଜି ରାତି ସୁଦ୍ଧା ବଡ଼ ଆର୍ଯ୍ୟପଲ୍ଲୀଠାରେ ପହଞ୍ଚିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର