ଚିଲିକା ଘେରି, ମାଛ ମାରିବାକୁ ନେଇ ବିବାଦ : ୮ ବର୍ଷ ହେବ ଗାଁ’କୁ ଫେରି ପାରୁନାହାନ୍ତି ୧୩ ପରିବାର

ଜିଲ୍ଲାପାଳଙ୍କ ଆଦେଶ ସତ୍ତ୍ବେ ସମାଧାନ ହୋଇପାରୁନି
ମିଳିଥିବା ଇନ୍ଦିରାଆବାସ ଘର ବି ତିଆରି କରିପାରୁ ନାହାନ୍ତି

ପୁରୀ : ଚିଲିକା ଘେରି ଓ ମାଛମରାକୁ କେନ୍ଦ୍ରକରି ୮ ବର୍ଷ ତଳେ ଦେଖା ଦେଇଥିବା ବିବାଦ ଆଜି ସୁଦ୍ଧା ସମାଧାନ ହୋଇପାରିନି। ଯେଉଁଥିପାଇଁ ୮ ବର୍ଷ ହେବ ଗାଁ’ରୁ ବାସନ୍ଦ ହୋଇଥିବା ୧୩ ପରିବାର ନିଜ ଭିଟାମାଟି ଫେରି ପାରୁନାହାନ୍ତି। କିଏ ବ୍ରହ୍ମପୁର ତ’ କିଏ ଅନ୍ୟ କେଉଁଠି ପରିବାର ସହ ରହୁଛନ୍ତି। ଯଦି କେହି ଗାଁ’କୁ ଫେରିବାକୁ ଇଚ୍ଛା ପ୍ରକାଶ କଲା, ବୋମା ଓ ବନ୍ଧୁକ ଦେଖାଇ ଜୀବନରୁ ‌ଶେଷ କରି ଦେବାକୁ ଧମକ ମିଳୁଛି। ଆଇନକୁ ହାତକୁ ନେଇ ଚାଲିଥିବା ଏହି କଙ୍ଗାରୁ କୋର୍ଟ ବିରୋଧରେ ବାସନ୍ଦ ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ବି ଏ ଦିଗରେ କୃଷ୍ଣପ୍ରସାଦ ତହସିଲଦାର ଓ ଥାନା ଅଧିକାରୀ ପ୍ରମୁଖଙ୍କୁ ହସ୍ତକ୍ଷେପ କରି ଘଟଣାର ସ୍ଥାୟୀ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସମ୍ବେଦନଶୀଳ ଘଟଣାର ସମାଧାନ ହୋଇପାରିନି। ଯେଉଁଥିପାଇଁ ଭିଟାମାଟି ଛାଡ଼ିଥିବା ଏହି ପରିବାର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି।

୨୦୧୨ ମସିହାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ଅଲଣ୍ଡାପାଟଣା ଗାଁର ହଟକିଶୋର ସାମନ୍ତରାୟ, ବାନାମ୍ବର ସାମନ୍ତରାୟ, ସୁଶାନ୍ତ ସାମନ୍ତରାୟ, ମାନସ ସାମନ୍ତରାୟ ଓ ସେମାନଙ୍କ ପରିବାର ପ୍ରମୁଖଙ୍କୁ ଗାଁ’ରୁ ବାସନ୍ଦ କରି ଦିଆଯାଇଥିଲା। ବାସନ୍ଦ ହଟକିଶୋରଙ୍କ କହିବା ମୁତାବକ, ଅଲଣ୍ଡାପାଟଣା ଗାଁରେ ୮୦ ପରିବାର ବସବାସ କରନ୍ତି। ସମସ୍ତେ ମତ୍ସ୍ୟଜୀବୀ ସଂପ୍ରଦାୟର। ମାଛ ମାରି ପରିବାର ଗୁଜୁରାଣ ମେଣ୍ଟାନ୍ତି। ଏଥିପାଇଁ ୧୯୮୨ ମସିହା ଠାରୁ ଖୋର୍ଧା ଜିଲ୍ଲା ବାଲୁଗାଁର ଚିଲିକା ସର୍କଲ୍‌ ଆସିଷ୍ଟାଣ୍ଟ୍‌ ରେଜିଷ୍ଟ୍ରାର୍‌ ଅଫ୍‌ କୋଅପରେଟିଭ୍ ସୋସାଇଟି କାର୍ଯ୍ୟାଳୟ ଅଧୀନରେ ଅଲଣ୍ଡାପାଟଣା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ‌ଖୋଲାଯାଇଥିଲା। ଉପରୋକ୍ତ ବ୍ୟକ୍ତିମାନେ ଏହି ପଞ୍ଜିକୃତ ସମିତିକୁ ବୁଝାସୁଝା କରିବା ସହ ପୁରୀ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଭୁବନେଶ୍ବରସ୍ଥିତ ଫିସ୍‌ ଫେଡ୍‌ ଠାରୁ ଚିଲିକାରୁ ମାଛ ଧରିବା ପାଇଁ ସବ୍‌ ଲିଜ୍‌ ଆଣିଥିଲେ।

କିନ୍ତୁ ୨୦୦୬ ମସିହାରେ ଅଲଣ୍ଡାପାଟଣା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ସଭାପତି ଓ ସଂପାଦକଙ୍କ ସହ ଅନ୍ୟ ସଦସ୍ୟମାନେ ବଳପୂର୍ବକ କିଛି ମାଛ ମାଫିଆଙ୍କୁ ଧରି ବେଆଇନ୍ ଭାବେ ମାଛ, ଚିଙ୍ଗୁଡ଼ି ମାରିଲେ। ବେଆଇନ୍ ଘେରିବନ୍ଧ କରି କୃତ୍ରିମ ବାଲିବନ୍ଧ ଓ ନିଷିଦ୍ଧ ନାଇଲନ୍‌ ଜାଲ ସାହାଯ୍ୟରେ ମାଛ ମାରିଲେ। କ୍ରମେ ଚିଲିକାର ମୁଖ୍ୟ ରାସ୍ତାକୁ ବି ଏମାନେ ଜବରଦଖଲକୁ ନେଇ ଯାଇଥିଲେ। ଯେଉଁଥିପାଇଁ ଅନ୍ୟମାନେ ମାଛ, ଚିଙ୍ଗୁଡ଼ି ମାରି ପାରିଲେନି। ମତ୍ସ୍ୟଜୀବୀମାନେ ଏହାଦ୍ବାରା ପ୍ରଭାବିତ ହୋଇଥିଲେ। ଅଲଣ୍ଡାପାଟଣା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତିର ଏଭଳି କାର୍ଯ୍ୟକଳାପ ବିରୋଧରେ ଉପରୋକ୍ତ ପରିବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରତିବାଦ ଜଣାଇବା ସହ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

୨୦୧୨ ମସିହାରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରତିବାଦ ଜଣାଉଥିବା ୧୩ ପରିବାରକୁ ଅଲଣ୍ଡାପାଟଣା ଗାଁ’ରୁ ତଡ଼ି ଦିଆଯାଇଥିଲା। ସେମାନଙ୍କ ଘରଦ୍ବାର ଛାଡ଼ି ଚାଲିଯିବାକୁ ବାଧ୍ୟ କରାଗଲା। ଜୀବନ ବଞ୍ଚାଇବାକୁ ୧୩ ପରିବାର ଗାଁ ଛାଡ଼ି ଆସି ପାଖ ଆଳୁପାଟଣା ଗାଁରେ ବସବାସ କରୁଛନ୍ତି। ଆଉ କିଛି ପରିବାର ବ୍ରହ୍ମପୁରରେ ଯାଇ ରହୁଛନ୍ତି ବୋଲି ହଟକିଶୋର କହିଛନ୍ତି। ବାସନ୍ଦ ପରିବାର ଏହା ଉପରେ ହାଇକୋର୍ଟ (ଡବ୍ଲୁପିସି-୨୩୬୧୮/୨୦୧୫)ଙ୍କ ଦ୍ବାରସ୍ଥ ହେବା ପରେ ହାଇକୋର୍ଟ ଜିଲ୍ଲାପାଳଙ୍କୁ ଏହି ମାମଲାର ସମାଧାନ ପାଇଁ ଆଦେଶ ଦେଇଥିଲେ। ଏହି ଆଦେଶ ପରେ ଜିଲ୍ଲାପାଳ ବି ୨୦୧୬ ମସିହ‌ାରେ କୃଷ୍ଣପ୍ରସାଦ ତହସିଲଦାର, ଥାନା ଅଧିକାରୀ ଓ ଚିଲିକା ଏଆର୍‌ସିଏସଙ୍କୁ ତୁରନ୍ତ ବାସନ୍ଦ ପରିବାରକୁ ଶାନ୍ତିପୂର୍ଣ୍ଣ ଭାବେ ଗାଁ’କୁ ଫେରିବା ଦିଗରେ ପଦ‌କ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏକ ଶାନ୍ତି କମିଟି ଗଠନ କରି ଆପୋଷ ବୁଝାମଣା ପାଇଁ ନିର୍ଦେଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଆଦେଶକୁ ୪ ବର୍ଷ ବିତିବାକୁ ବସିଥିଲେ ବି ସମସ୍ୟାର ସମାଧାନ ହୋଇପାରିନି। ବାଧ୍ୟ ହୋଇ ବାସନ୍ଦ ୧୩ ପରିବାର ପୁନର୍ବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ମାଗିଛନ୍ତି। ଗାଁ’କୁ ଫେରି ପାରୁନଥିବାରୁ ଯେଉଁ ଘର ଥିଲା ସେସବୁ ଭାଙ୍ଗିରୁଜି ଗଲାଣି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲେ ବି ଜୀବନ ପ୍ରତି ବିପଦ ରହିଥିବାରୁ ଏହି ଘର ବି କରିହେଉନି ବୋଲି ଦୁଃଖର ସହ କହିଛନ୍ତି ୧୩ ବାସନ୍ଦ ପରିବାର।

ସମ୍ବନ୍ଧିତ ଖବର