ଚିଙ୍ଗୁଡ଼ି ଘେରିରେ ଫସି ଯାଇଥିବା ଛୁଆ ହାତୀକୁ ଉଦ୍ଧାର କଲେ ମତ୍ସଜୀବୀ

କଇଠା ଗ୍ରାମ ନିକଟସ୍ଥ କିଆ ବୁଦାରେ ୧୪ ଟିକିଆ ହାତୀପଲ, ଡେରା ପକାଇଛି ବନ ବିଭାଗ, ଗ୍ରାମରେ ଭୟର ବାତାବରଣ

ଚିକିଟି/ବ୍ରହ୍ମପୁର: ଖରିଫ ଅମଳ ବେଳରେ ଗଞ୍ଜାମ ଜିଲ୍ଲା‌ରେ ପ୍ରତ୍ୟେକ ଦିନ ହାତୀ ଉପଦ୍ରବ ଲାଗି ରହିଛି। ଦକ୍ଷିଣ ଘୁମୁସର ବନମଣ୍ଡଳ ଅଞ୍ଚଳରୁ ଆସିଥିବା ୧୫ଟିକିଆ ହାତୀପଲ ବ୍ରହ୍ମପୁର ବନମଣ୍ଡଳ ଅଧୀନ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଉପଦ୍ରବ ଚଳାଇବା ପରେ ଆନ୍ଧ୍ର ଆଡ଼କୁ ମୁହାଁଇଥିଲେ। ସେଠାରୁ ପୁଣି ଗତକାଲି ଗଞ୍ଜାମ ଲେଉଟି ଚିକିଟି ବ୍ଲକ୍‌ ସୁରଳ ପଞ୍ଚାୟତ ଇଲାକାରେ ଉପଦ୍ରବ ଚଳାଇଛନ୍ତି। ସୁରଳ ପଞ୍ଚାୟତର କଇଠା ଗ୍ରାମ ନିକଟ ହର୍ଷ ହ୍ରଦର ତୁବୁଡ଼ା ମଳାରେ ହୋଇଥିବା ଚିଙ୍ଗୁଡ଼ି ଘେରିରେ ପଶି ଉପଦ୍ରବ କରିଛନ୍ତି। ଏହି ଘେରିରୁ ୧୪ଟି ବଡ଼ ହାତୀ ବାହାରି ପଳାଇ ଆସି କଇଠା ଗ୍ରାମ ନିକଟସ୍ଥ କିଆ ବୁଦାରେ ଡେରା ପକାଇଛନ୍ତି। ତେବେ ହାତୀପଲରେ ଥିବା ଏକ ଛୁଆ ହାତୀ ଘେରିରେ ଫସି ଯାଇଥିଲା। ଭୋର୍‌ରୁ ସ୍ଥାନୀୟ ମତ୍ସଜୀବୀମାନେ ଦେଖି ଡଙ୍ଗା ସହାଯ୍ୟରେ ଉକ୍ତ ଛୁଆ ହାତୀକୁ ଉଦ୍ଧାର କରିଥିଲେ। ବନବିଭାଗ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। ଛୁଆ ହାତୀକୁ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀ ନେଇ ହାତୀପଲ ନିକଟରେ ଛାଡ଼ିଥିଲେ। ତେବେ, ମଣିଷ ସଂସ୍ପର୍ଶରେ ଆସିଥିବାରୁ ତାକୁ ହାତୀପଲ ଗୋଠଛଡ଼ା କରିଥିବା ଏବଂ ପାଖରେ ପୂରାଇ ଦେଉ ନଥିବା ଦେଖାଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଛୁଆ ହାତୀଟି ପଲ ଠାରୁ କିଛି ଦୂରରେ ରହିଛି। ବନବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ସେଠାରେ ଡେରା ପକାଇ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି।

ଦକ୍ଷିଣ ଘୁମୁସର ବନମଣ୍ଡଳକୁ ପଳାଇ ଆସିଥିବା ଏକ ହାତୀପଲ ଚଳିତ ମାସ ଦ୍ବିତୀୟ ସପ୍ତାହରେ ଦିଗପହଣ୍ଡି ବନାଞ୍ଚଳ ଇଲାକାକୁ ପଶିଥିଲେ। ଏହାପରେ ସେମାନେ ଦିଗପହଣ୍ଡି ଓ ରଙ୍ଗେଇଲୁଣ୍ଡା ଅଞ୍ଚଳରେ ଉପଦ୍ରବ ଚଳାଇଥିଲେ। ଏପରିକି ପଞ୍ଚମା ରେଳ ଲାଇନ ଠାରୁ ୨କିମି ଦୂର ପଞ୍ଚମା ଜଙ୍ଗଲରେ ରହିବାରୁ ବନ ବିଭାଗର ଚିନ୍ତା ବଢ଼ିଥିଲା। ଏହାପରେ ଏହି ହାତୀପଲ ଚିକିଟି ବ୍ଲକ୍‌ର ଗୋବିନ୍ଦ ନଗର, ପିତାତଳି ନିକଟସ୍ଥ ହିଞ୍ଜିଳିଘାଇ ମୁହାଁ ହୋଇ ଧାନ ଫସଲ, ପାନ ବରଜ ଏବଂ ନଡ଼ିଆ ଗଛ ଆଦି ନଷ୍ଟ କରିଥିଲେ। ଏହାପରେ ଗତ ଦୁଇଦିନ ତଳେ ହାତୀପଲ ପଡ଼ୋଶୀ ଆନ୍ଧ୍ର ଆଡ଼କୁ ମୁହାଁଇଥିଲେ। ଆନ୍ଧ୍ରର ଡଙ୍କୁରା କାଜୁ ଜଙ୍ଗଲରେ ଏହି ହାତୀପଲ ଥିଲେ। ଗତକାଲି ପୁଣି ଗଞ୍ଜାମ ମୁହାଁ ହୋଇଥିଲେ। ହାତୀପଲ ଜାତୀୟ ରାଜପଥ ଅତିକ୍ରମ କରି ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଇନ୍ଦୁପୁର, ଅନନ୍ତରାୟପୁର, ପାତିସୁନାପୁର ଦେଇ ସମୁଦ୍ର କଡ଼େ କଡ଼େ ବ୍ରହ୍ମପୁର ବନମଣ୍ଡଳ ଅନ୍ତର୍ଗତ ସୁରଳ ନିକଟ କଇଠା ଚିଙ୍ଗୁଡ଼ି ଘେରିରେ ଫସି ଯାଇଥିଲେ। ସୁରଳ ଗ୍ରାମର ମତ୍ସ୍ୟଜୀବୀ ଭୋର ୪ ଟାରେ ଘେରିକୁ ଚିଙ୍ଗୁଡ଼ି ଧରିବାକୁ ଯିବା ବେଳେ ହାତୀ ଫସି ରହିଥିବା ଦେଖିବାକୁ ପାଇଥିଲେ। ଘେରିରେ ଜାଲ, ଡଙ୍ଗା ଆଦି ଏହି ହାତୀପଲ ନଷ୍ଟ କରିଛନ୍ତି। ସକାଳ ପର୍ଯ୍ୟନ୍ତ ଏହି ହାତୀପଲ ଚିଙ୍ଗୁଡ଼ି ଘେରିରେ ରହିଥିଲେ।

ମତ୍ସଜୀବୀ ଓ ସ୍ଥାନୀୟ ଯୁବକମାନେ ଘଉଡ଼ାଇବା ପରେ ହାତୀପଲ ସେଠାରୁ ବାହାରି ଆସି କଇଠା ଗ୍ରାମ ନିକଟସ୍ଥ କୁଆ ବୁଦାରେ ରହିଛନ୍ତି। କିନ୍ତୁ ଏକ ଅଣ୍ଡିରା ଛୁଆ ହାତୀ ଚିଙ୍ଗୁଡ଼ି ଘେରିରେ ଫସିଯିବା ସହ ‌ସେଠାରୁ ବାହାରି ପାରି ନ ଥିଲା। ମତ୍ସଜୀବୀ ଓ ସ୍ଥାନୀୟ ଯୁବକମାନେ ଡଙ୍ଗାରେ ଯାଇ ଛୁଆ ହାତୀକୁ ଉଦ୍ଧାର କରି ଆଣିଥିଲେ। ସୂଚନା ପାଇ ବ୍ରହ୍ମପୁର ଡ଼ିଏଫ୍‌ଓ ଅମ୍ଳାନ ନାୟକ ଓ ୪୦ ରୁ ଊର୍ଦ୍ଧ୍ବ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଡେରା ପକାଇଛନ୍ତି। ଡିଏଫ୍‌ଓ ଶ୍ରୀ ନାୟକ କହିଛନ୍ତି, ହାତ ପଲର ଗତିବିଧି ଉପରେ ନଜର ରଖାଯାଇଛି। ଛୁଆ ହାତୀକୁ ହାତୀପଲ ଗ୍ରହଣ କରୁନାହାନ୍ତି। ଯଦି ନ ଗ୍ରହଣ କରନ୍ତି ତେବେ ତାକୁ ନନ୍ଦନକାନନରେ ଛାଡ଼ିବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଉକ୍ତ ହାତୀପଲ ଜନବସତି ଆଡ଼କୁ ମୁହାଁଉ ଥିବାରୁ ଚିନ୍ତାରେ ପଡ଼ିଛି ବନବିଭାଗ। ସୁରଳ ଗ୍ରାମର ଦିଲେଶ୍ବର ବେହେରା କହିଛନ୍ତି, ଘେରି ଭିତରେ ବିଭିନ୍ନ କାଚ ଖଣ୍ତ ଓ ବର୍ଜ୍ୟବସ୍ତୁ ଆଦି ରହିଥାଏ। ଏଥି ଯୋଗୁ ପଲର ହାତୀ ଆଘାତ ପାଇ ଥାଇପାରନ୍ତି। ହାତୀ ପଲର ଉପସ୍ଥିତି ନେଇ ସୁରଳ ଓ ସୁନାପୁର ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର