ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ୨୭ ତାରିଖ ପର୍ଯ୍ୟନ୍ତ ଲାଗିଲା କଟକଣା

ଫେରିଲା ୧୩ଶହ ଡଙ୍ଗା, ତାଗିଦ୍‌ କଲା ପୁଲିସ, ମରି ଭାସୁଛନ୍ତି ହଜାର ହଜାର ମାଛ

ପୁରୀ : ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଅଘଟଣ ଏଡ଼ାଇବା ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ରରେ ଡଙ୍ଗା ଚଳାଚଳ ସହ ମାଛ ମାରିବା ଉପରେ କଟକଣା ଲଗାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ବାତ୍ୟା ସଂପର୍କରେ ସଚେତନ ବି କରାଯାଉଛି। ଶନିବାର ଦିନ ମତ୍ସ୍ୟ ବିଭାଗର ଅଧିକାରୀ ଓ ପୁଲିସ ପେଣ୍ଠକଟା ଓ ଆଖପାଖ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବା ସହ ସମୁଦ୍ରକୁ ଯିବାରେ ତାଗିଦ୍‌ କରିଛି। ଶନିବାର ଦିନ କିଛି ଅମାନିଆ ସମୁଦ୍ରରେ ବୁଲୁଥିବାବେଳେ ସେମାନଙ୍କୁ କୂଳକୁ ଅଣାଯାଇଛି। ଅନ୍ୟପଟେ ପେଣ୍ଠକଟା ଓ ଆଖପାଖ
ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ସାମୁଦ୍ରିକ ମାଛ ମରି ପଡ଼ିଥିବା ଦେଖିବାକୁ ମିଳିଛି। କିଛି ସମୁଦ୍ରରେ ଭାସୁଥିବାବେଳେ
କିଛି ଭାସି ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି। କେଉଁ କାରଣରୁ ଏତେ ସଂଖ୍ୟା ମାଛ କୂଳରେ ମରି ଭାସୁଛନ୍ତି, ତାହାସ୍ପଷ୍ଟ ହୋଇନାହିଁ।

ଏ ସଂପର୍କରେ ସହକାରୀ ମତ୍ସ୍ୟ ସଂପଦ ଅଧିକାରୀ(ମେରାଇନ୍‌) ରବୀନ୍ଦ୍ର ମହାନ୍ତ କହିଛନ୍ତି, ପେଣ୍ଠକଟାରେ ପ୍ରାୟ ୧୩ଶହ ଡଙ୍ଗା ରହିଛି। ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଗତ ୨୦ ତାରିଖରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛି ମାରି ଯିବାକୁ ମନା କରାଯାଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲଗାଯାଇଛି। ଗତ ୨୦ ତାରିଖରୁ ପେଣ୍ଠକଟା ଓ ଆଖପାଖ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରାଯାଉଛି। ସମସ୍ତ ଡଙ୍ଗାକୁ ନିଜ ନିଜ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶନିବାର ଦିନ କିଛି ଅମାନିଆ ସମୁଦ୍ରରେ ବୁଲୁଥିବା ସଂପର୍କରେ ଶ୍ରୀ ମହାନ୍ତି କହିଛନ୍ତି, ‌ଏହି ମତ୍ସ୍ୟଜୀବୀମାନଙ୍କୁ ତାଗିଦ୍‌ କରିବା ପରେ ସମସ୍ତେ କୂଳକୁ ପଳାଇ ଆସିଥିଲେ। ପରେ ସମସ୍ତ ଡଙ୍ଗାକୁ ଭିନ୍ନ ଭିନ୍ନ କେନ୍ଦ୍ରରେ ରଖାଯାଇଛି। ସମସ୍ତ ମତ୍ସ୍ୟଜୀବୀଙ୍କୁ ବି ତାଗିଦ୍‌ କରାଯାଇଛି ବୋଲି ସେ କହିଛନ୍ତି।

ମାଛ ମରି ଭାସିବା ସଂପର୍କରେ ଶ୍ରୀ ମହାନ୍ତି କହିଛନ୍ତି, ଏହା ସାଧାରଣ ଘଟଣା। ପ୍ରତିଦିନ ଏଭଳି ଛୋଟ ଛୋଟ ମାଛ ସମୁଦ୍ର କୂଳରେ ଲାଗନ୍ତି। ଏହା ସେଭଳି ବଡ଼ ସମସ୍ୟା ନୁହେଁ ବୋଲି ସେ କହିଛନ୍ତି। ସମୁଦ୍ରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ହୋଇଛି କି ବୋଲି ପ୍ରଶ୍ନରେ ସେଭଳି କିଛି ହୋଇନଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର