ମତ୍ସ୍ୟ ଉତ୍ପାଦନ ୧୭%, ସାମୁଦ୍ରିକ ଖାଦ୍ୟ ରପ୍ତାନୀ ୧୮% ବଢ଼ିଛି

ଭୁବନେଶ୍ୱର: ରାଜ୍ୟରୁ ମତ୍ସ୍ୟ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଛି। ଏହାକୁ ତାଳ ଦେଇ ସାମୁଦ୍ରିକ ଖାଦ୍ୟଦ୍ରବ୍ୟ ରପ୍ତାନୀ ବଢ଼ିଛି ୧୮ ପ୍ରତିଶତ। ୨୦୧୫-୧୬ ଆର୍ଥିକ ବର୍ଷ ତୁଳନାରେ ଗତ ଆର୍ଥିକ ବର୍ଷରେ ଏଭଳି ଅଭିବୃଦ୍ଧି ହାସଲ ହୋଇଛି। ମୋଟ ପରିମାଣ ହିସାବରେ ଏଭଳି ଅଭିବୃଦ୍ଧି ଘଟିଛି। କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ସାମୁଦ୍ରିକ ଖାଦ୍ୟଦ୍ରବ୍ୟ ରପ୍ତାନୀ ଅଭିବୃଦ୍ଧି ହାର ୨୩ ପ୍ରତିଶତ ହୋଇଥିବା ଆକଳନ କରାଯାଇଛି।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ମତ୍ସ୍ୟ ଓ ପଶୁସମ୍ବଳ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରିବା ବେଳେ ଉପରୋକ୍ତ ସୂଚନା ମିଳିଛି। ମାଛଧରା ବନ୍ଦରଗୁଡ଼ିକରେ ଆଧୁନିକ ବ୍ୟବସ୍ଥା, ସୁବିଧା ସୃଷ୍ଟି କରିବାକୁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ସଚିବ। ଧାମରା ହେଉଛି ସମଗ୍ର ପୂର୍ବତଟରେ ଆଧୁନିକ ମାଛଧରା ବନ୍ଦର। ସବୁ ଯାନ୍ତ୍ରିକ ବୋଟ୍‌ରେ ଡିସ୍‌ଟ୍ରେସ୍‌ ଆଲର୍ଟ ଟ୍ରାନ୍ସମିଟର(ଡାଟ୍‌ସ)ରେ ସ୍ଥାପନ କରିବାକୁ ସେ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ, ରାଜ୍ୟରେ ମୋଟ ୨୨୨୮୯ଟି ବିଭିନ୍ନ ପ୍ରକାରର ବୋଟ୍‌ ପଞ୍ଜୀକୃତ ହୋଇଛି। ଗତ ସେପ୍ଟେମ୍ବର ମାସ ସୁଦ୍ଧା ଆହୁରି ୧୬୨୦ଟି ବୋଟ୍‌ ପଞ୍ଜୀକୃତ ହୋଇଛି। ସମସ୍ତ ଯାନ୍ତ୍ରିକ ବୋଟ୍‌ ମାଲିକଙ୍କୁ ଡାଟ୍‌ସ ଯନ୍ତ୍ର ନିଜ ନିଜ ବୋଟ୍‌ରେ ଲଗାଇବାକୁ କୁହାଯାଇଛି।

ସୂଚନା ଅନୁଯାୟୀ ବାରଙ୍ଗ ତହସିଲ୍‌ରେ ଦୁଗ୍ଧ ଉତ୍ପାଦନ(ଡାଏରି) ପ୍ଲାଣ୍ଟ ସ୍ଥାପନ ପାଇଁ ଓମ୍‌ଫେଡ୍‌କୁ ୫୧ ଏକର ଜମି ଆବଣ୍ଟନ କରାଯାଇଛି। ନାବାର୍ଡ ସହାୟତାରେ ଏହା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ତେବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡରରେ କେହି ଅଂଶଗ୍ରହଣ ନ କରିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି। ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ବିଶାଳ ଗଗନ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ, ମତ୍ସ୍ୟ ନିର୍ଦେଶକ ବିଜୟ ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର