ମତ୍ସ୍ୟ ଅଧିକାରୀଙ୍କୁ ହାଣି ଲୁଟିଲେ

ସୋର: ଲୁଟ୍‌ରୁ କେହି ବାଦ୍‌ ପଡ଼ୁ ନାହାନ୍ତି। ଆଜି ଜଣେ ବ୍ଲକ୍‌ ମତ୍ସ୍ୟ ଅଧିକାରୀଙ୍କୁ ଆକ୍ରମଣ କରି ଲୁଟ୍‌ ହୋଇଛି। ଏପରି ଏକ ଘଟଣା ଘଟିଛି ସୋର ଅଞ୍ଚଳରେ। ବାହାନଗା ବ୍ଲକ୍‌ ରଘୁନାଥପୁର ପାଟଣା ଗ୍ରାମର କାର୍ତ୍ତିକ ଚନ୍ଦ୍ର ମହାନ୍ତି ସିମୁଳିଆ ବ୍ଲକ୍‌ ମତ୍ସ୍ୟ ଅଧିକରୀ ଭାବେ କାର୍ଯ୍ୟ କରନ୍ତି। ଆଜି ଅପରାହ୍ନରେ ସେ ଅଫିସ୍‌ କାମରେ ବାଲେଶ୍ୱର ଆସୁଥିଲେ। ଏହି ସମୟରେ ସୋର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ଅଲୀପୁର ନିକଟ ଷ୍ଟାର୍‌ ହୋଟେଲ୍‌ ପଛପଟ ବାଇପାସ୍‌ ରାସ୍ତାରେ ଗୋଟିଏ ବାଇକ୍‌ରେ ଆସି ୩ ଜଣ ଯୁବକ ତାଙ୍କୁ ଅଟକାଇଥିଲେ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କଠାରେ ଥିବା ୨ଟି ମୋବାଇଲ୍‌ ସହ ୩ ହଜାର ଟଙ୍କା ଓ ୩ଟି ଏଟିଏମ୍‌ କାର୍ଡ ନେଇଯାଇଥିଲେ। କାର୍ତ୍ତିକ ରକ୍ତାକ୍ତ ଅବସ୍ଥାରେ ସୋର ଡାକ୍ତରଖାନା ଯାଇଥିଲେ ଏବଂ ସେଠାରେ ପ୍ରାଥମିକ ଚିକିତ୍ସା କରାଇଥିଲେ। ତେବେ ସଂଧ୍ୟାରେ ସେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର