ଘନ କୁହୁଡ଼ି ଯୋଗୁଁ ସମୁଦ୍ରରେ ବାଡ଼େଇ ହୋଇଗଲା ଦୁଇ ଡଙ୍ଗା : ଗୋଟିଏ ଡଙ୍ଗା ଦୁଇ ଫାଳ, ୧୮ମତ୍ସ୍ୟଜୀବୀ ଉଦ୍ଧାର, ୪ ମେସିନ୍‌ ନଷ୍ଟ, ଜାଲ ସହ ମାଛ ଭାସିଗଲା

ବ୍ରହ୍ମପୁର/‌ଗୋପାଳପୁର : ଘନ କୁହୁଡ଼ି ଯୋଗୁଁ ଆଜି ସକାଳେ ଗୋପାଳପୁର ସମୁଦ୍ରରେ ଏକ ଅଘଟଣ ଘଟିଛି। ମାଛ ଧରି ମତ୍ସ୍ୟଜୀବୀମାନେ ଫେରୁଥିବା ବେଳେ ଦୁଇଟି ଡଙ୍ଗା ମଧ୍ୟରେ ଧକ୍କା ହୋଇଛି। ଗୋଟିଏ ଡଙ୍ଗା ଭାଙ୍ଗି ଦି’ଫାଳ ହୋଇଯାଇଥିବାବେଳେ ଅନ୍ୟ ଡଙ୍ଗାଟି ବି କ୍ଷତିଗସ୍ତ ହୋଇଥିବା ସୂଚନା ମିଳିଛି। ତେବ‌େ ଉଭୟ ଡଙ୍ଗାରେ ଥିବା ମୋଟ ୧୮ ଜଣ ମତ୍ସଜୀବୀ ସୁରକ୍ଷିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି। ଡଙ୍ଗା ଦୁଇଟିରେ ଲାଗିଥିବା ୪ଟି ମେସିନ୍‌ ମଧ୍ୟରୁ ୨ଟି ଭାସି ଯାଇଥିବା ବେଳେ ୨ଟି ନଷ୍ଟ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ସମୁଦ୍ରରେ ଭାସିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗୋପାଳପୁର, ବନ୍ଦାରୁ ଏବଂ ରେଭୁ କତୁରୁ ଗ୍ରାମର ୧୮ଜଣ ମତ୍ସଜୀବୀ ଦୁଇଟି ଡଙ୍ଗାରେ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ। ଗୋପାଳପୁରର କେ.ଗୁରେୟାଙ୍କ ଡ଼ଙ୍ଗାରେ ବି.ତଟେୟା, କେ.ସୋମେୟା, କେ.ବୈରାଗୀ, ଇ.ପ୍ରସାଦ, ଏନ୍‌.ତାଟେୟା, ଏସ୍‌.କରଲେୟା, ପି.କାମେଶୁ ଓ ଡବ୍ଲୁ.ରାମେୟା ଥିଲେ। ସେହିପରି କେ.ବାବାଜୀଙ୍କ ଡଙ୍ଗାରେ ଡବ୍ଲୁ.କାଲେୟା, ଟି.ବାବାଜୀ, ଡବ୍ଲୁ.ରାମାରାଓ, ଡବ୍ଲୁ. ନାଗେୟା, ଏନ୍‌.ଜଗମେୟା, ବି.ମୋହନ ଓ ବି.ଶିବରାମ ଥିଲେ।

ମାଛଧରା ସାରି ଆଜି ଭୋର୍ ୫ଟାରେ ଆଗ ପଛ ହୋଇ ଡଙ୍ଗା ଦ୍ବୟ କୂଳକୁ ଫେରୁଥିଲେ। ଏହି ସମୟରେ ଘନ କୁହୁଡ଼ି ମାଡ଼ି ରହିଥିଲା। ମୁହଁକୁ ମୁହଁ ମଧ୍ୟ ଦେଖାଯାଉ ନଥିଲା। ଦୁଇ ଡଙ୍ଗାର ଚାଳକ ପରସ୍ପରକୁ ଦେଖି ପାରିନଥିଲେ। କୂଳଠାରୁ ୫ଶହ ମିଟର ଦୂରରେ ଏକ ବଡ଼ ଲହଡ଼ି ଆସିବା ଫଳରେ ଦୁଇ ଡଙ୍ଗା ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ଉଭୟ ଡଙ୍ଗା ସମୁଦ୍ରରେ ଓଲଟି ପଡ଼ିଥିଲା। ତେବେ ସମସ୍ତ ମତ୍ସ୍ୟଜୀବୀ ପହଁରି ପହଁରି କୌଣସି ମ‌ତେ କୂଳକୁ ଆସି ସେମାନଙ୍କ ଜୀବନ ରକ୍ଷା କରିଥିଲେ।

ଗୁରେୟା ଡଙ୍ଗାଟି ୬ ବର୍ଷ ତଳେ କିଣିଥିବା ବେଳେ ବାବାଜୀ ୨ମାସ ତଳେ ଡଙ୍ଗା କିଣିଥିଲେ। ଦୁର୍ଘଟଣାରେ ଗୁରେୟାଙ୍କ ଡଙ୍ଗା ଦୁଇ ଫାଳ ହୋଇଯାଇଥିବା ସହ ସେଥିରେ ଥିବା ଜାଲ, ମାଛ ଓ ମେସିନ୍ ଆଦି ସମୁଦ୍ରରେ ଭାସିଯାଇଛି। ସେହିପରି ବାବାଜୀଙ୍କ ନୂ୍ଆଡଙ୍ଗାର ‌ଦୁଇଟି ମେସିନ୍ ନଷ୍ଟ ହେବା ସହ ଜାଲ ଓ ମାଛ ଭାସିଯାଇଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ମତ୍ସ୍ୟଜୀବୀମାନେ ବେସାହାରା ପାଲଟିଛନ୍ତି। ଜାଲ ଭାସିଯାଇଥିବାରୁ ସେମାନଙ୍କ ଜୀବିକା ସଂକଟରେ ପଡ଼ିଛି। ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟ ବିଭାଗ ପକ୍ଷରୁ ଦୁଇ ଡଙ୍ଗା ମାଲିକଙ୍କୁ ସହାୟତା ଯୋଗାଇଦେବାକୁ ମତ୍ସଜୀବୀମାନେ ଦାବି କରିଛନ୍ତି। ସୂଚନା ଥାଉକି, ଗତ ଦୁଇଦିନ ହେଲା ଗଞ୍ଜାମ ଜିଲ୍ଲାରେ ଶୀତ ଟିକେ କମିଥିବା ବେଳେ ରାତିରେ ଘନ କୁହୁଡ଼ି ମାଡ଼ି ଆସୁଛି।

ସମ୍ବନ୍ଧିତ ଖବର