ସମୁଦ୍ର ଭିତରେ ଅଘଟଣ : ଜାହାଜ ଧକ୍କାରେ ଲଞ୍ଚ ଚୂର୍‌ମାର

ଗାନ୍ଧିଛକ : ବାଲେଶ୍ୱର ଜିଲ୍ଲା ବାହାବଳପୁରଠାରୁ ୯୦ କିମି ଦୂର ବଙ୍ଗୋପସାଗର ଭିତରେ ଗତକାଲି ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଏକ ପଣ୍ୟବାହୀ ଜାହାଜ ଧକ୍କାରେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଏକ ଲଞ୍ଚ୍‌ ଭାଂଗି ଯାଇଛି। ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ଲଞ୍ଚ୍‌ର ୧୫ ଜଣ ମତ୍ସ୍ୟଜୀବୀ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଛନ୍ତି। ମତ୍ସ୍ୟଜୀବୀମାନେ ରାତିରେ ବିଶ୍ରାମ ନେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ ଅଧିକ ସୂଚନା ମିଳିପାରି ନାହିଁ।

ଖବର ଅନୁସାରେ ବାଲେଶ୍ୱର ସଦର ବ୍ଲକ୍‌ ବାହାବଳପୁରରୁ ଜୟନ୍ତ ମଣ୍ଡଳଙ୍କ ଓଡି-୦୧-୩୩୨ ନମ୍ବରର ଆଦ୍ୟାଶକ୍ତି (୧) ଲଞ୍ଚ୍‌ରେ ଡ୍ରାଇଭର ବିଜୟ ପଟ୍ଟନାୟକଙ୍କ ସହ ୧୪ ଜଣ ଗତ ୨୪ ତାରିଖ ଦିନ ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିଲେ। ଗତକାଲି ରାତିରେ ସେମାନେ ଭଦ୍ରକ ଧାମରା ବନ୍ଦରଠାରୁ ପୂର୍ବରେ ପାଖାପାଖି ୮୫ କିମି ଓ ବାଲେଶ୍ୱର ବାହାବଳପୁରଠାରୁ ୯୦ କିମି ଦକ୍ଷିଣରେ ଲଙ୍ଗର ପକାଇ ଲଞ୍ଚ୍‌ରେ ଶୋଇଥିଲେ। ରାତି ପାଖାପାଖି ୪ଟା ବେଳେ ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ପାରାଦ୍ୱୀପ ଯାଉଥିବା ଏକ ପଣ୍ୟବାହୀ ଜାହାଜ ଉକ୍ତ ଲଞ୍ଚ୍‌କୁ ଧକ୍କା ଦେଇଥିଲା। ପ୍ରଚଣ୍ଡ ଧକ୍କାରେ ଲଂଚ୍‌ଟି ଭାଙ୍ଗିରୁଜି ଯିବା ସହ ବୁଡ଼ିବାକୁ ଲାଗିଥିଲା। ସମସ୍ତେ ବିପଦସଂକୁଳ ଅବସ୍ଥାରେ ସକାଳ ପର୍ଯ୍ୟନ୍ତ ଲଞ୍ଚ୍‌ର ଭଙ୍ଗା ଅଂଶକୁ ଧରି ଜୀବନ ବଞ୍ଚାଇ ଭାସିଥିଲେ। ଆଜି ସକାଳେ ସୂଚନା ପାଇ ବାହାବଳପୁର ଅଞ୍ଚଳର ୩ଟି ବୋଟ୍‌ ମରଣ ମୁହଁରୁ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛନ୍ତି। ଆଜି ରାତି ସୁଦ୍ଧା ମତ୍ସ୍ୟଜୀବୀମାନେ ବାହାବଳପୁରରେ ପହଂଚି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର