ଜଳେଶ୍ବର/ଭୋଗରାଇ/କମର୍ଦ୍ଦା: ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ୍‌ କମର୍ଦ୍ଦା ଥାନା ଗୁଣସାର୍ଥା ପଞ୍ଚାୟତ ପୂର୍ବ ଅନଳିଆ ଗାଁରେ ଆଜି ସକାଳେ ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଛନକା ଖେଳି ଯାଇଥିଲା। ସକାଳ ପ୍ରାୟ ୬ଟା ସମୟରେ ଗ୍ରାମର ଗୋପାଳ ସାହୁ, ଭୂପତି ଜେନାଙ୍କ ସହ‌ ଅନ୍ୟ କିଛି ଯୁବକ ନିକଟସ୍ଥ ଆକାଶିଆ ଜଙ୍ଗଲକୁ ଯାଇଥିବା ବେଳେ ବାଘ ପରି ଦେଖା ଯାଉଥିବା ଦୁଇଟି ଜନ୍ତୁ ଦେଖିବାକୁ ପାଇଥିଲେ। ଏହି ଜନ୍ତୁ ଦୁଇଟି ଇକଡ ବଣରୁ ବାହାରି ପାଣିରେ ଚାଲି ଚାଲି ଆକାଶିଆ ଜଙ୍ଗଲ ଆଡ଼କୁ ଯାଉଥିବା ବେଳେ ବିକଟାଳ ଗର୍ଜନ ମଧ୍ୟ କରୁଥିଲେ। ଏହି ସମୟରେ ଗୋପାଳ ଓ ଭୂପତି ସେମାନଙ୍କର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ଚାହୁଁ ଚାହୁଁ ଏହି ଖବର ନିଆଁ ଭଳି ବ୍ୟାପି ଯାଇଥିବା ବେଳେ ସୋସିଆଲ୍‌ ମିଡିଆରେ ମଧ୍ୟ ଏହାର ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ଜଳେଶ୍ଵର ରେଞ୍ଜର ଜୟଶ୍ରୀ ମୁର୍ମୁଙ୍କ ନିର୍ଦ୍ଦେଶରେ ଫରେଷ୍ଟର ମୀନାରାଣୀ ବେହେରା, ଫରେଷ୍ଟ ଗାର୍ଡ ରଞ୍ଜିତା ବିଶ୍ବାଳଙ୍କ ସହ ବନ ବିଭାଗର ଏକ ଟିମ୍‌ ପୂର୍ବ ଅନଳିଆ ଗାଁକୁ ଯାଇଥିଲେ।

Advertisment

ତେବେ ଟିମ୍‌ ଯିବା ବେଳକୁ ସେହି ସ୍ଥାନରେ ଜନ୍ତୁ ଦୁଇଟି ନଥିଲେ ମଧ୍ୟ ସେମାନଙ୍କର ପାଦଚିହ୍ନ ଦେଖିବାକୁ ମିଳିଥିଲା। ପାଦଚିହ୍ନକୁ ବନ ବିଭାଗ ମାପିବା ସହ ତାର ଫଟୋ ଉତ୍ତୋଳନ କରିଥିଲା। ଯୁବକମାନଙ୍କ ଦ୍ବାରା ଉତ୍ତୋଳିତ ହୋଇଥିବା ଭିଡିଓ, ଫଟୋ ସହ ବନ ବିଭାଗ ପକ୍ଷରୁ ସଂଗ୍ରହ ହୋଇଥିବା ପାଦଚିହ୍ନକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବା ପରେ ଏହି ଜନ୍ତୁ ଦୁଇଟି ‘ଫିସିଂ କ୍ୟାଟ୍‌’ ବା ମାଛଧରାଳି ଓଧ ବୋଲି କହିଛନ୍ତି ଜଳେଶ୍ବର ରେଞ୍ଜର ଜୟଶ୍ରୀ ମୁର୍ମୁ।

ଶ୍ରୀମତୀ ମୁର୍ମୁଙ୍କ କହିବା ଅନୁଯାୟୀ, ୧୯୭୨ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍‌ ଅନୁସାରେ, ହାତୀବାଘ ପରି ‘ଫିସିଂ କ୍ୟାଟ୍‌’କୁ ମଧ୍ୟ ବିରଳ ବନ୍ୟପ୍ରାଣୀ ତାଲିକାରେ ସାମିଲ କରାଯାଇଛି। ସାଧାରଣ ବିରାଡ଼ିଠାରୁ ଅପେକ୍ଷାକୃତ ବଡ଼ ଏହି ‘ଫିସିଂ କ୍ୟାଟ୍‌’ ସନ୍ତସନ୍ତିଆ ଉପଯୋଗୀ ପରିବେଶରେ ବାସ କରନ୍ତି। ଏମାନେ ପାଣି ଭିତରୁ କେବଳ ମାଛ ଶିକାର କରି ଖାଉଥିବା ବେଳେ ମଣିଷର କୌଣସି କ୍ଷତି କରନ୍ତି ନାହିଁ। ପଶ୍ଚିମବଙ୍ଗ ସରକାର ଏହାକୁ ରାଜ୍ୟ ପଶୁର ମାନ୍ୟତା ଦେଇଛନ୍ତି। ତେବେ ଭୋଗରାଇ ଅଞ୍ଚଳରେ ନିୟମିତ ବ୍ୟବଧାନରେ ‘ଫିସିଂ କ୍ୟାଟ୍‌ ଦେଖାଯିବା ପରିବେଶ ପାଇଁ ଏକ ଶୁଭ ଲକ୍ଷଣ ବୋଲି କହିଛନ୍ତି ରେଞ୍ଜର ଶ୍ରୀମତୀ ମୁର୍ମୁ। ଏ ସମ୍ପର୍କରେ ବାଲେଶ୍ଵର ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ବିନୀ କୁମାର ଦାସ କହିଛନ୍ତି, ବିଲୁପ୍ତ ଥିବା ଏହି ‘ଫିସିଂ କ୍ୟାଟ୍‌ ପଶ୍ଚିମବଙ୍ଗରେ ବେଶୀ ଦେଖିବାକୁ ମିଳନ୍ତି। ପୂର୍ବ ଅନଳିଆ ଗାଁ ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଥିବାରୁ ଏଠାରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁଛି। ଏହି ଜନ୍ତୁର ସୁରକ୍ଷା ପାଇଁ ଖୁବଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।