ଜରାଜୀର୍ଣ୍ଣ ଅବସ୍ଥାରେ ବାଲିପାଟପୁର ଓ ଭୁଷଣ୍ତପୁରରେ ନିର୍ମାଣ ହୋଇଥିବା ମାଛଧରା ଜେଟି, ଚିନ୍ତାରେ ମତ୍ସ୍ୟଜୀବୀ

ନିରାକାରପୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବାଲିପାଟପୁର ଓ ଭୁଷଣ୍ତପୁରରେ ନିର୍ମାଣ ହୋଇଥିବା ମାଛଧରା ଜେଟି ଦୁଇଟି ଯେଉଁ ଉଦ୍ଦେଶ୍ୟ ରଖି ନିର୍ମାଣ କରାଯାଇଥିଲା, ତାହା କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ମତ୍ସଜୀବୀମାନେ ଯେପରି ସୁବିଧାରେ ଚିଲିକାରୁ ମାଛମାରି ପାରିବେ, ମାରିଥିବା ମାଛଗୁଡିକୁ ସୁବିଧାରେ କୂଳକୁ ଆଣି ବିକ୍ରି କରିପାରିବେ ସେଥିପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାଛ ପରିବହନ ପାଇଁ କଂକ୍ରିଟ୍ ରାସ୍ତା, ପକ୍କାଘର, ଶୌଚାଳୟ, ପାନୀୟ ଜଳ ଓ ଆଲୋକର ବ୍ୟବସ୍ଥା କରାଯାଇଥିଲା। ଏପରିକି ଚିଲିକା ଓ ବାଲିପାଟପୁର,ଭୁଷଣ୍ତପୁର ଜେଟି ମଧ୍ୟରେ ଡଙ୍ଗା ଚଳାଚଳ ସୁଗମ ପାଇଁ ଜଳପଥକୁ ମଧ୍ୟ ସଂପୂର୍ଣ୍ଣ ରୂପେ ପଙ୍କ, ଆବର୍ଜନା ମୁକ୍ତ କରାଯିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ନିର୍ମାଣକୁ ଇତି ମଧ୍ୟରେ ୩୦ରୁ ଊର୍ଦ୍ଧ୍ବ ବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ନପଡିବାରୁ ଜେଟି ଦ୍ୱୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି।

ବାଲିପାଟପୁର ଓ ଭୁଷଣ୍ତପୁର ଜେଟି ନିକଟରେ ମତ୍ସ୍ୟଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମଗୃହ ଭାଙ୍ଗିରୁଜି ଗଲାଣି। ପ୍ଲାଷ୍ଟର ଓ ଢଳେଇ ନଷ୍ଟ ହୋଇଯାଇଥିବାରୁ ଘରର ଛାତର ରଡ୍‌ ବାହାରି କଳଙ୍କି ଲାଗି ଗଲାଣି। ପରିସ୍ଥିତି ଏମିତି ଯେ ଯେ କୌଣସି ମୁହୁର୍ତ୍ତରେ ଏହା ଭୁଶୁଡି ପଡ଼ିବାର ଆଶାଙ୍କା ସୃଷ୍ଟି ହୋଇଛି। ସେହିପରି ଶୌଚାଳୟଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଯାହା କେତେକ ମତ୍ସଜୀବୀଙ୍କ ଶୁଖୁଆ ଗୋଦାମ ପାଲଟିଛି। ଶୌଚାଳୟର ଅବ୍ୟବସ୍ଥା ଯୋଗୁଁ ରାସ୍ତାକଡ଼ ମୁକ୍ତାକାଶ ପାଇଖାନା ପାଲଟିଛି। ଜେଟି ଠାରୁ ଚିଲିକା ଭିତର ପେଣ୍ଠ ପର୍ଯ୍ୟନ୍ତ ଏକ କିଲୋମିଟର ଯାଇଥିବା ରାସ୍ତାର ସୁରକ୍ଷା ପାଚେରି ନଥିବାରୁ ଏହାର ଅଧିକାଂଶ ସ୍ଥାନ ଧସିବାକୁ ଲାଗିଲାଣି। ଖାଲି ସେତିକି ନୁହେଁ, ଆଲୋକ ବ୍ୟବସ୍ଥା ନଥିବାରୁ ମତ୍ସ୍ୟଜୀବୀମାନେ ଅନେକ ସମୟରେ ବହୁବିଧ ସମସ୍ୟାର ସମ୍ମୁଖିନ ହେଉଥିବା ମତ୍ସଜୀବୀ ଭୋବନୀ ବେହେରା କୁହନ୍ତି। ଏବେ ଜେଟି ଠାରୁ ଚିଲିକା ଯିବା ରାସ୍ତାଟି ପଙ୍କ ଓ ଘାସରେ ପୋତି ହୋଇପଡ଼ିବା କାରଣରୁ ମତ୍ସଜୀବୀମାନେ ଚିଲିକା ଭିତରକୁ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି କୁହନ୍ତି ବାଲିପାଟପୁର ମତ୍ସଜୀବୀ ବୃନ୍ଦାବନ ବେହେରା।

ଦୈନିକ ଉଭୟ ଜେଟିରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ଡଙ୍ଗା ଦୟନୀୟ ଅବସ୍ଥାରେ ଚିଲିକା ଭିତରକୁ ଯାଉଛି। ଜେଟି ଦୁଇଟିର ଶୋଚନୀୟ ସ୍ଥିତି ନେଇ ଆମେ ବିଭାଗୀୟ ଅଧିକାରୀ, ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ମାତ୍ର କିଛି ସୁଫଳ ମିଳି ନାହିଁ ବୋଲି ପଦ୍ମାଦେବୀ ପ୍ରାଥମିକ ସମବାୟ ସମିତିର ସଭାପତି ବିରଞ୍ଚି ବେହେରା ଅଭିଯୋଗ କରିଛନ୍ତି। ଚିଲିକା ଉପରେ ନିର୍ଭର କରୁଥିବା ଦୁଇଟି ପଞ୍ଚାୟତର ହଜାର ହଜାର ସଂଖ୍ୟାର ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ମତ୍ସଜୀବୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର