୧ରୁ ମେ’ ୩୧ ଯାଏଁ ମାଛମରା ନିଷେଧ

ଅଲିଭ୍‌ ରିଡ୍‌ଲେ କଇଁଛର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ, ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା ରାଶି ୭୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ବର: ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ, ପ୍ରଜନନ ଓ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ରାଜ୍ୟ ପ୍ରଶାସନ। ଏଥିପାଇଁ ନଭେମ୍ବର ପହିଲାରୁ ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳରୁ ୨୦ କି.ମି. ଦୂର ପର୍ଯ୍ୟନ୍ତ ମାଛମରା ନିଷେଧ ଘୋଷଣା କରାଯାଇଛି। ଏହି ଦୃଷ୍ଟିରୁ ଉପକୂଳବର୍ତୀ ମତ୍ସ୍ୟଜୀବୀମାନେ ପ୍ରଭାବିତ ହେଉଥିବାରୁ ସେମାନଙ୍କ ସହାୟତା ପାଇଁ ପୂର୍ବରୁ ଘୋଷିତ ରାଶି ୫ ହଜାର ଟଙ୍କାରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କୁ ସୁପାରିସ କରାଯିବ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କ୍ଷମତା ସଂପନ୍ନ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ନିଆଯାଇଛି। ପ୍ରତିବର୍ଷ ପରି ଏଥର ସମୁଦ୍ର ଉପକୂଳର ୨୦ କି.ମି. ନିର୍ଧାରିତ ସ୍ଥାନ ପର୍ଯ୍ୟନ୍ତ ବିଶେଷ କରି ଧାମରା, ଦେବୀ, ଋଷିକୂଲ୍ୟା ନଦୀ ମୁହାଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଉପକୂଳରେ ମାଛମରା ଉପରେ ନିଷେଧାଜ୍ଞା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବ। ଯନ୍ତ୍ରଚଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ସଂପୂର୍ଣ୍ଣ ନିଷେଧ ହେବ। ତେବେ ନିଷେଧାଜ୍ଞା ସମୟରେ ବିନା ମୋଟର ବୋଟ୍‌ରେ ପାରମ୍ପରିକ ଢଙ୍ଗରେ ମାଛ ଧରୁଥିବା ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଅଯଥାରେ ଅସୁବିଧାରେ ନ ପକାଇବା ପାଇଁ ମୁଖ୍ୟସଚିବ ନିର୍ଦେଶ ଦେଇଥିଲେ। ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର, ଡିଆରଡିଓ, ଉପକୂଳବର୍ତୀ ୩ଟି ବନ୍ଦର କର୍ତୃପକ୍ଷମାନେ ସଂରକ୍ଷଣ ନିୟମକୁ କଡ଼ାକଡ଼ି ପାଳନ କରିବା ସହିତ ରାତି ବେଳା ତୀବ୍ର ଆଲୋକ ରଶ୍ମିକୁ ହ୍ରାସ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ବୈଠକରେ ଗଞ୍ଜାମ ଜିଲ୍ଲାର ଖଲିକୋଟ୍‌ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘାଟି ସେଣ୍ଟ୍ରାଲ୍‌ ନର୍ସରୀ ନିକଟରେ ସାମୁଦ୍ରିକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସ୍ବର୍ଗତଃ ଚନ୍ଦ୍ରଶେଖର କରଙ୍କ ନାମରେ ଅଲିଭ୍‌ ରିଡ୍‌ଲେ ଗବେଷଣା ଫେଲୋସିପ୍‌ ପ୍ରତିଷ୍ଠା ପାଇଁ ମଧ୍ୟ ସ୍ଥିର ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ସନ୍ଦୀପ ତ୍ରିପାଠୀ, ବିଶେଷଜ୍ଞ ଡ. ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦୀ ପ୍ରମୁଖ ବରିଷ୍ଠ ପଦାଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର