କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ଲଢ଼େଇ ବ୍ୟାପକ କରାଯିବ: ବିଭି ଶ୍ରୀନିବାସ

ଯୁବ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ଶିବିର ଉଦ୍‌ଯାପିତ

ରାଉରକେଲା: ରାଜ୍ୟ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ ସ୍ଥାନୀୟ କଳୁଙ୍ଗାଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି. ଶ୍ରୀନିବାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଥିଲେ। ଉଦ୍‌ବୋଧନରେ କହିଲେ, କେନ୍ଦ୍ର ସରକାର କେବଳ ଶିଳ୍ପପତିଙ୍କୁ ସୁହାଇଲା ଭଳି ନିଷ୍ପତ୍ତି ନେଇଚାଲିଥିବାରୁ କୋଟିକୋଟି ଯୁବକଯୁବତୀ ଆଜି ବେରୋଜଗାର। ଜ୍ଞାନ ଅଛି, ମାତ୍ର ନିଯୁକ୍ତି ଅଭାବ ଯୋଗୁଁ ଚାକିରି ଖଣ୍ଡେ ପାଇପାରୁନାହାନ୍ତି। ଏତଦ୍‌ବ୍ୟତୀତ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ନିୟନ୍ତ୍ରଣ ବାହାରେ।

ଦର ବୃଦ୍ଧି ନିୟନ୍ତ୍ରଣ ବାହାରେ। ଏହାଦ୍ବାରା ଗରିବ ଜନସାଧାରଣ ଯାବତୀୟ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଏସବୁ ଅନୈତିକ ନୀତି ବିରୋଧରେ ସଂଗଠନ ଆଗାମୀ ଦିନରେ ପ୍ରତିବାଦକୁ ବ୍ୟାପକ ଓ ତୀବ୍ର କରିବ। ଦେଶବାସୀଙ୍କ ସମସ୍ୟାକୁ ନେଇ ରାଜ୍ୟବ୍ୟାପି କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରାଯାଇଛିବୋଲି କହିଥିଲେ। ବୈଠକରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା, ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଭାରୀ କ୍ରିଷ୍ଣା ଆଲ୍ଲାବରୁ, ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ, ସହ-ପ୍ରଭାରୀ ରିୟାଜୁଲ ଅନସାରୀ, ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ତିର୍କୀ, ବିଧାୟକ ରାଜେନ ଏକ୍କା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଯୁବ କଂଗ୍ରେସର ବରିଷ୍ଠ ନେତାମାନେ କଲୁଙ୍ଗାଠାରେ ଚାଲିଥିବା ଆଦିବାସୀ ଯୁବ ସର୍ବୋଦୟ ସଂକଳ୍ପ ଶିବିରର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିରେ ଆଦିବାସୀ ଯୁବକମାନଙ୍କ ଭୂମିକାକୁ ନେଇ ଏହି ଶିବିର ଆୟୋଜିତ ହୋଇଥିଲା। ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରଶିକ୍ଷଣ ପ୍ରଭାରୀ ସଚିନ ରାଓ, ଅଖିଳ ଭାରତୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ପ୍ରଭାରୀ ସୀତାରାମ ଲାମ୍ବା ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ। ଆଦିବାସୀମାନଙ୍କ ଭୂମିକା, ହକ୍ ଏବଂ ବିଭିନ୍ନ ସମସ୍ୟାକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରକାଶଥାଉକି, ଶିବିରର ପ୍ରଥମ ଦିନରେ ପ୍ରଥମ ଦିନ ସଚିନ ରାଓ, ଦ୍ବିତୀୟ ଦିବସରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ପ୍ରଭାରୀ କ୍ରିଷ୍ଣା ଆଲ୍ଲାବାରୁ ପ୍ରଶିକ୍ଷଣ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ବି.ଭି. ଶ୍ରୀନିବାସ ଆଦିବାସୀ ଯୁବକ, ଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର