ୟୁଜିସି ଦରମା ସଂଶୋଧନ ପାଇଁ ଗଠନ ହେଲା ଫିଟମେଣ୍ଟ କମିଟି

୪୫ଦିନରେ ଦେବ ରିପୋର୍ଟ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜରେ ୟୁଜିସି ବେତନ ପାଉଥିବା ଅଧ୍ୟାପକ ଏବଂ ଏହି ସମକକ୍ଷ କ୍ୟାଡରର କର୍ମଚାରୀଙ୍କୁ ୭ମ ବେତନ କମିସନର ସୁପାରିସ ଅନୁଯାୟୀ ବେତନ ପ୍ରଦାନ କରାଯିବ। ଏନେଇ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଲାଗୁ କରିବା ପାଇଁ ଦରମା ହାର କ’ଣ ରହିବ ସେନେଇ ଫିଟମେଣ୍ଟ କମିଟି ଗଠନ ହୋଇଛି।

ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୭ଜଣିଆ କମିଟି ଗଠନ ହୋଇଛି। ଏହି କମିଟିରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜିଭିଭି ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏ.କେ.କେ ମିନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ସଚିବ ସଞ୍ଜୟ କୁମାର ସିଂହ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ କୁମାର ମେହେରଦା ଏଥିରେ ସଦସ୍ୟ ଥିବାବେଳେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଅକ୍ଷୟ କୁମାର ମହାନ୍ତି ସଂଯୋଜକ ସଦସ୍ୟ ଅଛନ୍ତି।

ଏହି କମିଟି ୪୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କର ୭ମ ବେତନ କମିସନ ଲାଗୁ କରିଥିବାବେଳେ ଏହାକୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଲାଗୁ କରିବାକୁ ଯୋଜନା ହୋଇଛି। ତେଣୁ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଫିଟମେଣ୍ଟ କମିଟି ଗଠନ ହୋଇଛି। କମିଟିର ରିପୋର୍ଟ ଅନୁଯାୟୀ ସରକାର ନିଷ୍ପତ୍ତି ନେବେ। ୟୁଜିସି ବେତନ ହାର ସଂଶୋଧନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ମିଳିତ କ୍ରିୟାନୁଷ୍ଠାନ ପରିଷଦ, ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ସଂଯୋଜକ ଅମୀୟ କୁମାର ମହାନ୍ତି ସ୍ୱାଗତ କରିଛନ୍ତି। ସେହିପରି ଉଚ୍ଚଶିକ୍ଷା ବିଭାଗର ଏହି ନିଷ୍ପତ୍ତିକୁ ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ଓ କଲେଜ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ମାନସ ବେହେରା ସ୍ୱାଗତ କରିଛନ୍ତି। ସରକାର ତୁରନ୍ତ ସଂଶୋଧିତ ବେତନ ଲାଗୁ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଏହାଦ୍ୱାରା ସରକାରୀ ବିଶ୍ୱବିଦ୍ୟାଳୟର ପ୍ରାୟ ୧୨୦୦, ବେସରକାରୀ ବିଶ୍ୱବିଦ୍ୟାଳୟର ପ୍ରାୟ ୧୦୦୦, ମେଡିକାଲ କଲେଜର ପ୍ରାୟ ୫୦୦, ଓୟୁଏଟିର ପ୍ରାୟ ୩୦୦ ଏବଂ ବିଭିନ୍ନ ଇଞ୍ଜିନିୟରିଂ କଲେଜର ପ୍ରାୟ ୧୫୦ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ।

ସମ୍ବନ୍ଧିତ ଖବର